୨ ହାତରେ ବୋଲିଂ କରି ଚର୍ଚ୍ଚାରେ ଭାରତୀୟ କ୍ରିକେଟର ଅକ୍ଷୟ, ତାଙ୍କ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବିଦର୍ଭ ବଡ ବିଜୟ ସହ ସେମିଫାଇନାଲ ଟିକେଟ ହାତେଇଛି । ଆଉ ଏହି ମ୍ୟାଚ୍ ପଛର ହିରୋ ସାଜିଛନ୍ତି ଅକ୍ଷୟ କର୍ଣ୍ଣେୱାର, ଯିଏ ନିଜର କଞ୍ଜୁସି ବୋଲିଂ ବଳରେ ରାଜସ୍ଥାନକୁ ହଟହଟା କରିଥିଲେ । କାରଣ ଅକ୍ଷୟ ମାତ୍ର ୪ ଓଭର ବୋଲିଂ କରି ୭ ରନ ଦେବା ସହ  ଗୋଟିଏ ୱିକେଟ ହାସଲ କରିଥିଲେ । ଏହି କଞ୍ଜୁସି ବୋଲିଂ ବଳରେ ରାଜସ୍ଥାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଖାସକରି ଅକ୍ଷୟଙ୍କୁ ନେଇ ଖେଳିବା ରାଜସ୍ଥାନ ଖେଳାଳିଙ୍କ ପାଇଁ ଏତେଟା ସହଜ ନଥିଲା । କାରଣ ଅକ୍ଷୟ ଉଭୟ ହାତରେ ବୋଲିଂ କରି ରାଜସ୍ଥାନ ଖେଳାଳୀଙ୍କୁ ଅଡୁଆରେ ପକାଇଥିଲେ ।

୨୯ ବର୍ଷୀୟ ଅକ୍ଷୟ କର୍ଣ୍ଣେୱାର ଏବେ ବିଦର୍ଭ ପକ୍ଷରୁ କ୍ରିକେଟ ଖେଳୁଛନ୍ତି । କିନ୍ତୁ ଅକ୍ଷୟଙ୍କୁ ନେଇ ଏବେ ଭାରତୀୟ କ୍ରିକେଟରେ ଜୋରଦାର ଚର୍ଚ୍ଚା ହେଉଛି । କାରଣ ଏହି ଅକ୍ଷୟ ଉଭୟ ହାତରେ ବୋଲିଂ କରିବାରେ ଦକ୍ଷତ‌ା ହାସଲ କରିଛନ୍ତି । ଆଉ ଉଭୟ ହାତରେ ବୋଲିଂ କରି ପ୍ରତିପକ୍ଷ ଖେଳାଳିଙ୍କୁ ବାନ୍ଧି ରଖିବାରେ ପାରଙ୍ଗମ ଅକ୍ଷୟ । ଗତ କିଛି ବର୍ଷ ହେବ ଅକ୍ଷୟଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳୁଛି । କିନ୍ତୁ ଚଳିତ ଥର ସେ ଚର୍ଚ୍ଚାକୁ ଆସିବା ପଛର ସବୁଠୁ ବଡ କାରଣ ସାଜିଛି ଅକ୍ଷୟଙ୍କ କଞ୍ଜୁସି ବୋଲିଂ । ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଅକ୍ଷୟ ୭ଟି ମ୍ୟାଚରେ ୨୮ ଓଭର ବୋଲିଂ କରିଛନ୍ତି । ଅର୍ଥାତ ପ୍ରତି ମ୍ୟାଚରେ ୪ ଓଭର ଲେଖାଏଁ ବୋଲିଂ କରି ନିଜର କୋଟା ପୂରଣ କରିଛନ୍ତି ଅକ୍ଷୟ । ୨୮ ଓଭର ବୋଲିଂ କରିଥିଲେ ମଧ୍ୟ ମାତ୍ର ୧୦୦ ରନ୍ ବ୍ୟୟ କରିଛନ୍ତି ଅକ୍ଷୟ । ଟି-୨୦ ଫର୍ମାଟରେ ଏଭଳି କଞ୍ଜୁସି ବୋଲିଂ ଖୁବ କ୍ୱଚିତ ଦେଖିବାକୁ ମିଳେ ।

ଏହାସହ ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି ଅକ୍ଷୟ  ।  ୫ ରନରେ ୪ଟି ୱିକେଟ ନେଇ ଶ୍ରେଷ୍ଠ ପ୍ରର୍ଦଶନ କରିଛନ୍ତି ଅକ୍ଷୟ । ସବୁଠୁ ବଡ କଥା ହେଲା, ଚଳିତ ଟୁର୍ଣ୍ଣାମେଣ୍ଟରେ ଏଯାବତ୍ ୧୩ଟି ୱିକେଟ ହାସଲ କରିଛନ୍ତି ଅକ୍ଷୟ । ଯେଉଁଥିରେ ହ୍ୟାଟ୍ରିକ ୱିକେଟ ମଧ୍ୟ ରହିଛି । ଏସବୁ ବାଦ୍ ଟି-୨୦ ଫର୍ମାଟରେ ଅକ୍ଷୟଙ୍କ ନାଁରେ ଏକ ଅଲୋଡା ବିଶ୍ୱ ରେକର୍ଡ ରହିଛି । ମଣିପୁର ବିପକ୍ଷ ମ୍ୟାଚରେ ଅକ୍ଷୟ ୪ ଓଭର ବୋଲିିଂ କରିଥିବା ବେଳେ ୪ ଓଭର ମେଡେନ ନେଇଥିଲେ । ଆଉ ଏହାସହ ୨ଟି ୱିକେଟ ମଧ୍ୟ ହାତେଇଥିଲେ । ଏଭଳି ରେକର୍ଡ ବିଶ୍ୱର ଅନ୍ୟ କୌଣସି ଖେଳାଳୀଙ୍କ ନାଁରେ ନାହିଁ ।
ମହାରାଷ୍ଟ୍ରର ୟବତମାଲାରେ ଜନ୍ମିତ ଅକ୍ଷୟ ପିଲାବେଳୁ ଗରିବୀକୁ ଅତି ପାଖରୁ ଦେଖିଛନ୍ତି । ତାଙ୍କ ବାପା ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗରେ ଡ୍ରାଇଭର ଥିଲେ । ତେବେ ଗରିବୀର ଶିକୁଳିରୁ ବାହାରି ମାତ୍ର ୧୫ ବର୍ଷ ବୟସରେ ନାଗପୁରର ନବକେତନ କ୍ରିକେଟ କ୍ଲବରେ ଖେଳିବା ଆରମ୍ଭ କରିଥିଲେ ଅକ୍ଷୟ । ଆଉ ଏହା ପରଠାରୁ ଅକ୍ଷୟଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଗରିବୀ କେବେ ପାଚେରୀ ହୋଇ ଛିଡା ହୋଇନାହିଁ । ୨୦୧୬ ମସିହାରେ ପ୍ରଥମଥର ପାଇଁ ଝାଡଖଣ୍ଡ ବିପକ୍ଷରେ ପ୍ରଥମଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ ଅକ୍ଷୟ । ଏହାପରେ ଲଗାତାର ବିଦର୍ଭ ପକ୍ଷରୁ ଖେଳି ଆସୁଛନ୍ତି ଅକ୍ଷୟ । ପୂର୍ବରୁ ଦୁଇ ହାତରେ ବୋଲିଂ କରି ଚର୍ଚ୍ଚାକୁ ଆସିଥିବା ଅକ୍ଷୟ ଏବେ ଟି-୨୦ ଫର୍ମାଟରେ କଞ୍ଜୁସ ବୋଲିଂ କରି ଚୟନକର୍ତ୍ତାଙ୍କ ମନ ଜିଣିଛନ୍ତି ।
ସମ୍ବନ୍ଧିତ ଖବର