ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ୨୦୨୨ରେ ରିଲିଜ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଫିଲ୍ମର ବଜେଟଠାରୁ ଢ଼େର କମ ଆୟ କରିଥିଲା ଅଭିନେତାଙ୍କ ଫିଲ୍ମ। ହେଲେ ଏହି କ୍ଷତି ଅକ୍ଷୟଙ୍କୁ ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ବାଧା ପହଞ୍ଚାଇ ପାରିନାହିଁ। ନିକଟରେ 'ରାମ ସେତୁ' ଅଭିନେତା ଜଣେ ୨୫ବର୍ଷ ବୟସ୍କା ଯୁବତୀଙ୍କୁ ସାହାଯ୍ୟ କରିଥିବା ଜଣାପଡ଼ିଛି। ଯୁବତୀଙ୍କ ହୃତପିଣ୍ଡ ପ୍ରତିରୋପଣ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିଲା। ଘର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କର ହୃତପିଣ୍ଡ ପ୍ରତିରୋପଣ ହୋଇପାରୁ ନଥିଲା। ଏ ବିଷୟରେ ଜାଣିବା ପରେ ଅକ୍ଷୟ ଦିଲ୍ଲୀର ଗୁରୁଗ୍ରାମରେ ରହୁଥିବା ଯୁବତୀଙ୍କୁ ୧୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥା ବିଷୟରେ ଜାଣିବା ପରେ ଅକ୍ଷୟ ଆୟୁଷୀ ଶର୍ମା ନାମ୍ନୀ ଯୁବତୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି ସହାୟତା ବିଷୟରେ ଅକ୍ଷୟ କାହାକୁ ଜଣାଇ ନଥିବା ବେଳେ ଆୟୁଷୀଙ୍କ ଜେଜେବାପା ଯୋଗେନ୍ଦ୍ର ଅରୁଣ ଅକ୍ଷୟଙ୍କର ଆର୍ଥିକ ସହାୟତା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।
ସେ କହିଛନ୍ତି ଯେ, ଅଭିନେତା ଅକ୍ଷୟ କୁମାର, ଫିଲ୍ମ 'ସମ୍ରାଟ ପୃଥ୍ବୀରାଜ୍'ର ନିର୍ଦ୍ଦେଶକ ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମାଧ୍ୟମରେ ଆୟୁଷୀଙ୍କ ଅବସ୍ଥା ବିଷୟରେ ଜାଣିଥିଲେ। ଏହା ପରେ ସେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଟଙ୍କା ଦେବା ବିଷୟରେ ସେ କାହାକୁ ଜଣାଇବାକୁ ଚାହୁଁ ନଥିବା ବେଳେ ମୁଁ ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କୁ କହିଥିଲି ଯେ, ମୁଁ ଅକ୍ଷୟଜୀଙ୍କଠାରୁ ଟଙ୍କା ନେବି କିନ୍ତୁ ମୋତେ କୃତଜ୍ଞତା ଜଣାଇବାକୁ ଅନୁମତି ଦିଆଯାଉ। ସେଥିପାଇଁ ମୁଁ ହୃଦୟବାନ ଅଭିନେତାଙ୍କ ମହାନ କାମ ବିଷୟରେ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଜଣାଉଛି।