‘‘ଗୋଟେ ଭଲବହି ଯାହା କହିବାର ଥାଏ, ତାକୁ କହିବା କେବେ ଶେଷ ହୁଏନି।’’ ବିଖ୍ୟାତ ଲେଖକ ଇଟାଲୋ କାଲ୍ଭିନୋ କହିଥିବା ଏହି ଉକ୍ତିଟି ବହିର ଅମରତ୍ବ ସଂପର୍କରେ ଗୋଟିଏ ଚମତ୍କାର ସ୍ବୀକାରୋକ୍ତି। ସତରେ, ସମୟର ତମାମ ଷଡ୍ଯନ୍ତ୍ର ଭିତରେ ବି କିଛି ବହି କେବଳ ଲାଇବ୍ରେରି ଥାକରେ ଅକ୍ଷତ ରହିଯାଆନ୍ତିନି, ସମୟୋପଯୋଗୀ ହୋଇ ବି ଜ୍ଞାନ ବାଣ୍ଟନ୍ତି। ଶହ ଶହ ବର୍ଷ ନାନା ଯୁଦ୍ଧ, ବିପ୍ଳବ ଭିତରେ, ସାମ୍ରାଜ୍ୟ ଓ ସମ୍ରାଟମାନଙ୍କର ଉତ୍ଥାନ ଓ ପତନକୁ ଡେଇଁ ସେ ବହିଗୁଡ଼ିକ ବଞ୍ଚି ରହନ୍ତି। ପୃଥିବୀର ବିଭିନ୍ନ ସଭ୍ୟତାକୁ ରୂପ ଦେଇଥିବା ପବିତ୍ର ଗ୍ରନ୍ଥମାନଙ୍କଠୁ ଆରମ୍ଭକରି ଇତିହାସକୁ ବଦଳାଇ ଦେଇଥିବା ବୈପ୍ଳବିକ ଇସ୍ତାହାର; ସମୟର ଗୀତ ଗାଉଥିବା କାବ୍ୟ କବିତାଠୁ ଆରମ୍ଭକରି ମଣିଷର ସ୍ବପ୍ନ ଓ ସଂଘର୍ଷର କଥା କହୁଥିବା ଉପନ୍ୟାସ- ଏମିତି କିଛି ବହି କେବଳ କାଗଜ ଉପରେ ଛପା ହୋଇନାହାନ୍ତି, ସେମାନେ ଇତିହାସ ଓ ମଣିଷର ମନ ଉପରେ ଖୋଦେଇ ହୋଇଯାଇଛନ୍ତି। ସେମାନଙ୍କୁ ସମୟ ଲିଭାଇ ପାରିନି। ନିଜ ମୂଳଭିତ୍ତି ଉପରେ ଦୃଢ଼ଭାବେ ଠିଆହୋଇ ମଧ୍ୟ ସେ ବହିଗୁଡ଼ିକ ପିଢ଼ି ପରେ ପିଢ଼ି ନୂଆ ପାଠକଙ୍କ ଆପଣାର ହୋଇ ପାରିଛନ୍ତି। ଜୀବନଚର୍ଯ୍ୟା, ଲୋକରୁଚି ଓ ଭାଷାରେ ଆସୁଥିବା ପରିବର୍ତ୍ତନ ସତ୍ତ୍ବେ ସେଗୁଡ଼ିକ ନିଜର ପ୍ରାସଙ୍ଗିକତା ହରାଇନାହାନ୍ତି। ଓଡ଼ିଆ ଭାଷାରେ ପୁରାଣ ଓ ଧର୍ମ ସମ୍ବନ୍ଧୀୟ ଏଭଳି ଅନେକ ବହି ରହିଛି, ଯାହାର ଅନେକ ସଂସ୍କରଣ ପ୍ରକାଶିତ ହୋଇଛି ଏବଂ ଏବେ ମଧ୍ୟ ହେଉଛି। ସେଥିେର ସ୍ବତ୍ତାଧିକାର ଆଇନ ଲାଗୁ ହେଉ ନଥିବାରୁ ଅନେକ ପ୍ରକାଶକ ସେଗୁଡ଼ିକୁ ପ୍ରକାଶ କରୁଛନ୍ତି। ସେଭଳି ସ୍କୁଲ୍ ବା କଲେଜର ପାଠ୍ୟ ପୁସ୍ତକର ମାନ୍ୟତା ପାଇଥିବା ଆହୁରି ବେଶ୍ କିଛି ବହି ମଧ୍ୟ ଅନେକ ସଂସ୍କରଣରେ ପ୍ରକାଶିତ ହେଉଛନ୍ତି। ଏସବୁ ବାହାରେ ଆହୁରି ଅନେକ ଓଡ଼ିଆ ବହି ରହିଛି, ଯାହା ବହୁ ସଂସ୍କରଣରେ ପ୍ରକାଶିତ। ଓଡ଼ିଶାରେ ବହିର ଆଦର ନାହିଁ ବୋଲି ବେଶ୍କିଛି ବର୍ଷହେଲା କୁହାଯାଉଛି। ଆମର ପାଠକ ସଂଖ୍ୟା ମଧ୍ୟ ନିହାତି ନଗଣ୍ୟ ବୋଲି ଅଭିଯୋଗ ହେଉଛି। ତଥାପି କିଛି ଓଡ଼ିଆ ବହିର ଯେତିକି ସଂସ୍କରଣ ପ୍ରକାଶିତ ହୋଇ ସାରିଛି, ଶୁଣିଲେ ଅନଭିଜ୍ଞ ଲୋକଟିଏ ନିଶ୍ଚିତ ରୂପ ଚମକି ପଡ଼ିବ।
କିଛି ବହି ଥରକୁ ଥର ପୁନର୍ଜନ୍ମ ପାଆନ୍ତି,
ବାରମ୍ବାର ପ୍ରକାଶିତ ହୋଇ ପ୍ରତି ମୁହୂର୍ତ୍ତରେ ବଦଳୁଥିବା ଦୁନିଆରେ ନିଜର ପ୍ରାସଙ୍ଗିକତା ପ୍ରମାଣ କରିଚାଲନ୍ତି। ପିଢ଼ି ପରେ ପିଢ଼ି ପାଠକ ସେ ବହିକୁ ନୂଆଭାବେ ଆବିଷ୍କାର କରନ୍ତି।
ପାଠକମାନଙ୍କ ସହିତ ଏହି ବହିଗୁଡ଼ିକର ବାର୍ତ୍ତାଳାପ କେବେ ଶେଷ ହୁଏନାହିଁ। ସବୁଠୁ ଅଧିକ ସଂସ୍କରଣର ସୌଭାଗ୍ୟ ପାଇଥିବା ଓଡ଼ିଆ ସାହିତ୍ୟର ସେଭଳି କିଛି ବହି ସଂପର୍କରେ ଆଲୋଚନା କରିଛନ୍ତି
ଆଶିଷ ଗଡ଼ନାୟକ
ବହି ତା’ ଭାଗ୍ୟ ନେଇ ଆସେ?
ପ୍ରଶ୍ନ ଉଠିବ, ଏହି ବହିଗୁଡ଼ିକ ଭିତରେ ଏମିତି କ’ଣ ଅଛି, ଯାହା ସେମାନଙ୍କୁ ଅମର କରି ଦେଇଛି? ଲେଖକର ଦକ୍ଷତା, ଯାହା ସମୟକୁ ଉତ୍ତୀର୍ଣ୍ଣ ହୋଇଯାଇଛି? ନା, ସେଥିରେ ଅଛି ପ୍ରେମ, ଯୁଦ୍ଧ, କ୍ଷମତା, ଧର୍ମ ଓ ବିଦ୍ରୋହ ଭଳି ମଣିଷ ଜୀବନର କିଛି ସବୁଦିନିଆ କାହାଣୀ? ନା ଆଉକିଛି ଅଜଣା ରହସ୍ୟ- ସୁପର୍ ହିଟ୍ ଫିଲ୍ମ ‘ସୋଲେ’ ଭଳି- ଯାହା ଉପରେ ବଜାର କି ଲେଖକର କିଛି ନିୟନ୍ତ୍ରଣ ନାହିଁ, ଯାହା ଲେଖୁ ଲେଖୁ ଲେଖି ହୋଇଯାଇଛି!
୧୧୬ତମ ସଂସ୍କରଣରେ ‘ଯାଜ୍ଞସେନୀ’
ଓଡ଼ିଆରେ ଧର୍ମ ଓ ପାଠ୍ୟ ପୁସ୍ତକ ବାହାରେ ସବୁଠୁ ଅଧିକ ସଂସ୍କରଣ ପ୍ରକାଶିତ ହେବାର ରେକର୍ଡ ରହିଛି ଜ୍ଞାନପୀଠ ପୁରସ୍କାର ବିଜୟିନୀ ପ୍ରତିଭା ରାୟଙ୍କ ଉପନ୍ୟାସ ‘ଯାଜ୍ଞସେନୀ’ ନାଁରେ। ମହାଭାରତର କାହାଣୀକୁ ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ବର୍ଣ୍ଣନା କରିଥିବା ଏ ଉପନ୍ୟାସଟି ପ୍ରଥମେ ୧୯୮୪ ମସିହାରେ ପ୍ରକାଶିତ ହୋଇଥିଲା। ଜାତୀୟ ସ୍ତରରେ ମଧ୍ୟ ବହୁ ଲୋକପ୍ରିୟ ଓ ସଫଳ ଏହି ଉପନ୍ୟାସର ୧୧୬ଟି ଓଡ଼ିଆ ସଂସ୍କରଣ ପ୍ରକାଶିତ ହୋଇଛି। ତେବେ ସେ ନିଜର ଅନ୍ୟ ଉପନ୍ୟାସଗୁଡ଼ିକୁ ଯେମିତି ପ୍ରକ୍ରିୟାରେ ଲେଖନ୍ତି, ‘ଯାଜ୍ଞସେନୀ’ ଲେଖିବାବେଳେ ତା’ଠୁ କିଛି ଭିନ୍ନ ପନ୍ଥା ବା ପ୍ରସ୍ତୁତି କରି ନଥିଲେ ବୋଲି ସ୍ବୟଂ ଲେଖିକା ସ୍ବୀକାର କରନ୍ତି। ସେ କହନ୍ତି, ‘‘ଏହାକୁ ସେମିତି କିଛି ସ୍ବତନ୍ତ୍ର ଭାବେ ଲେଖି ନଥିଲି। ସବୁ ଉପନ୍ୟାସ ଲେଖିବାବେଳେ ଯେମିତି ଓ ଯେତିକି ଚିନ୍ତନ, ମନନ କରେ; ଯେମିତି କଳ୍ପନାର ରାଜ୍ୟରେ ରହେ, ମାନସିକ ସ୍ତରରେ ତା’କୁ ନେଇ ଯେତିକି ପରିଶ୍ରମ କରେ, ଯେତିକି ସମୟ ଦିଏ, ଏ ବହିଟି ଲେଖିବାବେଳେ ମଧ୍ୟ ସବୁ କରାଯାଇଥିଲା। ମୁଁ ଏ ଉପନ୍ୟାସଟି ଲେଖିବାବେଳେ ଯେତିକି ଆତ୍ମୀୟତା ଦେଇଛି, ଅନ୍ୟସବୁ ବହିରେ ମଧ୍ୟ ସେତିକି ଆତ୍ମୀୟତା ଦେଇଛି। କିଛି ଅସାଧାରଣ ନଥିଲା ସେ ପ୍ରକ୍ରିୟାରେ।’’ ସେ ଆହୁରି ଯୋଡ଼ନ୍ତି, ‘‘ଏ ବହିଟି ଏତେ ଲୋକପ୍ରିୟ ହେବବୋଲି ମୁଁ ଆଦୌ କଳ୍ପନା କରି ନଥିଲି। କେବଳ ଓଡ଼ିଶା ନୁହେଁ, ଇଂରାଜି ସମେତ ବିଭିନ୍ନ ଭାରତୀୟ ଭାଷାରେ ଏହା ଅନୂଦିତ ହୋଇ ପ୍ରଚୁର ପାଠକୀୟତା ପାଇଛି। ଅଧିକାଂଶ ଭାଷାରେ ମଧ୍ୟ ଏହାର ଏକାଧିକ ସଂକଳନ ପ୍ରକାଶିତ ହୋଇ ସାରିଛି।’’ ଉଲ୍ଲେଖନୀୟ କଥା ହେଉଛି, ଶ୍ରୀମତୀ ରାୟଙ୍କର ଅାଉ ଏକ ଉପନ୍ୟାସ ‘ଶିଳାପଦ୍ମ’ର ମଧ୍ୟ ଅନେକ ସଂସ୍କରଣ ବାହାରିଛି। ବହୁ ଭାରତୀୟ ଭାଷାରେ ଅନୂଦିତ ଏହି ଉପନ୍ୟାସର ହିନ୍ଦୀ, ମାଲାୟଲାମ୍ ଓ ଗୁଜରାଟୀରେ ମଧ୍ୟ ଏହାର ବହୁ ସଂସ୍କରଣ ପ୍ରକାଶିତ ହୋଇଛି।
ଚିରସବୁଜ ଓ ଆକାଂକ୍ଷିତ କାଉଲ୍
ଓଡ଼ିଆ ସାହିତ୍ୟର ଆଉ ଏକ ବହୁଲୋକପ୍ରିୟ ତଥା କାଳଜୟୀ ଉପନ୍ୟାସ ହେଉଛି ‘ଅମାବାସ୍ୟାର ଚନ୍ଦ୍ର’। ବାରିଷ୍ଟର ଗୋବିନ୍ଦ ଦାସଙ୍କ ଦ୍ବାରା ଲିଖିତ ଏହି ଉପନ୍ୟାସଟି ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୬୪ ମସିହାରେ। ଗତ ୬୦ ବର୍ଷ ଭିତରେ ଏହାର ୩୯ଟି ସଂସ୍କରଣ ପ୍ରକାଶିତ ହୋଇସାରିଛି। ଅନେକ ଦୃଷ୍ଟିରୁ ‘ଅମାବାସ୍ୟାର ଚନ୍ଦ୍ର’ ଏକ ଆଶ୍ଚର୍ଯ୍ୟ ସୃଷ୍ଟି। ସାହିତ୍ୟ ତ ଦୂରର କଥା, ବଲିଉଡ୍ ସିନେମାରେ ମଧ୍ୟ ଆଣ୍ଟିହିରୋର ଜମାନା ଗତ ଶତାଦ୍ଦୀର ଶେଷ ଦଶକରେ ହିଁ ଆରମ୍ଭ ହୋଇଥିଲା। ତା’ର ୩୦ ବର୍ଷ ପୂର୍ବରୁ ‘ଅମାବାସ୍ୟାର ଚନ୍ଦ୍ର’ର ନାୟକ କାଉଲ୍ ଆସିଥିଲା ସେଇ ରୂପରେ। ଉପନ୍ୟାସଟି ଏକାଧିକ ପିଢ଼ିର ଓଡ଼ିଆ ପାଠକଙ୍କର ପ୍ରିୟ ଉପନ୍ୟାସ ଭାବେ ସ୍ବୀକୃତ। ଏକାଧିକ ପିଢ଼ିର ପାଠକ ଏବେ ମଧ୍ୟ ସେହି ବିତର୍କିତ ନାୟକ କାଉଲ୍ର ପ୍ରେମରେ।
ଉପନ୍ୟାସଟି ଏତେ ପିଢ଼ିର ପାଠକଙ୍କ ଭିତରେ ଲୋକପ୍ରିୟ ହେବାର କାରଣ କ’ଣ ହୋଇପାରେ! ମୁଖ୍ୟ ଚରିତ୍ର ସମେତ ସେଥିରେ ଥିବା ଅନେକ ପ୍ରସଙ୍ଗ ସେତେବେଳର ଓଡ଼ିଶାରେ ନଥିଲା। ତେବେ କାହିଁକି ୨୦୨୫ ମସିହାର ପାଠକ ସେ ବହିଟିକୁ ପସନ୍ଦ କରୁଛନ୍ତି? ହୁଏତ ତା’ ଭିତରେ ‘ଏବେ ନଥିବା କିନ୍ତୁ ସମ୍ଭାବନା ଥିବା’ ଗୋଟିଏ ଆକାଂକ୍ଷିତ ଚିତ୍ର ଥିଲା! କାହାଣୀ ଓ ଚରିତ୍ର ଦୃଷ୍ଟିରୁ ଉପନ୍ୟାସଟି ତା’ ସମୟଠାରୁ ଆଗରେ ଥିଲା, ତେଣୁ ହୁଏତ ଆଜି ମଧ୍ୟ ତାହା ପାଠକଙ୍କୁ ଭଲ ଲାଗୁଛି। ହୁଏତ!
ବଧୂର ଅମଳିନ ମଧୁ ମଧୁ ହସ
ଓଡ଼ିଆ ସାହିତ୍ୟର ଅନ୍ୟତମ ବହୁ ଲୋକପ୍ରିୟ ଉପନ୍ୟାସ ହେଉଛି ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକଙ୍କର ‘ବଧୂ ନିରୁପମା’। ୧୯୬୫ ମସିହାରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା। ଏହା ଭିତରେ ବହିଟିର ୩୮ଟି ସଂସ୍କରଣ ପ୍ରକାଶିତ ହୋଇ ସାରିଲାଣି। ‘ବଧୂ ନିରୁପମା’ ଲେଖା ପଛରେ ଗୋଟିଏ ଚମତ୍କାର ଘଟଣା ରହିଛି। ଲେଖକ କହନ୍ତି, ‘‘ବଧୂ ନିରୁପମା’କୁ ପ୍ରକୃତରେ ମୁଁ ପ୍ରଥମେ ଉପନ୍ୟାସ ଭାବେ ଲେଖି ନଥିଲି। ଏହାକୁ ଲେଖିଥିଲି ଫିଲ୍ମ ଭାବେ। କିନ୍ତୁ ଯେଉଁମାନେ ଏହାକୁ ନେଇ ଫିଲ୍ମ କରିବେ ବୋଲି ପ୍ରସ୍ତାବ ଦେଇ ଲେଖାଇଥିଲେ, ସେମାନେ ଶେଷ ମୁହୂର୍ତ୍ତରେ ଓହରିଗଲେ। ତେଣୁ ବିଶିଷ୍ଟ ନାଟ୍ୟକାର ଗୋପାଳ ଛୋଟରାୟ ମତେ ତାହାକୁ ଉପନ୍ୟାସ ଭାବେ ଲେଖିବାକୁ ପରାମର୍ଶ ଦେଇଥିଲେ (ଉପନ୍ୟାସଟି ଶ୍ରୀ ଛୋଟରାୟଙ୍କୁ ଉତ୍ସର୍ଗ କରାଯାଇଛି)। ଫିଲ୍ମ ପାଇଁ ଯାହା ଲେଖିଥିଲି, ତାହାକୁ ନେଇ ସେ ରେଡିଓରେ ନାଟକ କରିବେ ବୋଲି କହିଲେ। ଲେଖା ପ୍ରସ୍ତୁତ ହୋଇ ଥିବାରୁ ସେ ରେଡିଓ ନାଟକଟି ପ୍ରଥମେ ପ୍ରସାରିତ ହୋଇଥିଲା। ବହୁତ ଲୋକପ୍ରିୟ ହୋଇଥିଲା, ସେଥିରେ ନିରୁପମା ଭୂମିକାରେ ଝରଣା ଦାସ ଅଭିନୟ କରିଥିଲେ।’’ ରେଡିଓ ନାଟକଟି ଶ୍ରୋତାଙ୍କ ମନଛୁଇଁବା ସହ ଚର୍ଚ୍ଚିତ ହୋଇଥିବାରୁ ୧୯୬୫ ମସିହାରେ ଯେତେବେଳେ ‘ବଧୂ ନିରୁପମା’ ଉପନ୍ୟାସର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା, ୧୦୦୦ କପି ମାତ୍ର ୬ମାସ ଭିତରେ ବିକ୍ରି ହୋଇଗଲା, ଯାହା ସେ ସମୟ ପାଇଁ ବହୁତ ବଡ଼କଥା ଥିଲା। ତା’ପରଠାରୁ ପ୍ରତି ସଂସ୍କରଣରେ ଉପନ୍ୟାସର ପ୍ରାୟ ୨୦୦୦ କପି ଛପା ହେଉଛି। ପ୍ରାଥମିକ ସମୟରେ ଉପନ୍ୟାସଟିର ପାଇରେସି ବା ନକଲ ମଧ୍ୟ ବହୁ ମାତ୍ରାରେ ବିକ୍ରି ହୋଇଥିଲା। ଆଜି ଓଡ଼ିଆ ପାଠକଙ୍କର ନଗଣ୍ୟ ସଂଖ୍ୟାକୁ ଦେଖି ଏବେ କ୍ବଚିତ୍ ଲୋକ ବିଶ୍ବାସ କରିବେ ଯେ ୧୯୭୦-୭୧ ମସିହା ପାଖାପାଖି ସମୟରେ ଥରେ ‘ବଧୂ ନିରୁପମା’ର ୧୦୦ଟି ପାଇରେସି କପି ବସ୍ରେ କଟକରୁ ଏକ ଜିଲ୍ଲା ସଦର ମହକୁମାକୁ ଯାଉଥିବାବେଳେ ପୁଲିସ ଚଢ଼ଉ କରି ଜବତ କରିଥିଲା। ତେବେ ପ୍ରାଥମିକ ସମୟରେ ‘ବଧୂ ନିରୁପମା’ ଯେଉଁ ପରିମାଣରେ ବିକ୍ରି ହେଉଥିଲା, ମଝିରେ ତାହା କମି ଯାଇଥିଲା ବୋଲି ଲେଖକ ସ୍ବୀକାର କରନ୍ତି। ତାଙ୍କ ମତରେ ପରେ ଯେବେ ଏହି ଲୋକପ୍ରିୟ ଉପନ୍ୟାସକୁ ନେଇ ଫିଲ୍ମ ତିଆରିହେଲା, ତାହା ଆଶାନୁରୂପ ହୋଇ ନଥିଲା। ସେଥିରେ ନିରୁପମା ଚରିତ୍ରକୁ ପ୍ରମୁଖତା ନଦେଇ ତା’ ଶାଶୂ ଚରିତ୍ରକୁ ଗୁରୁତ୍ବ ଦିଆଯାଇଥିଲା। ତେଣୁ ଲୋକେ ତାହାକୁ ପସନ୍ଦ କଲେନାହିଁ। ଏହାର ପ୍ରଭାବ ଉପନ୍ୟାସର ବିକ୍ରି ଉପରେ ବେଶ୍ କିଛି ବର୍ଷ ପଡ଼ିଥିବା ସେ ଅନୁଭବ କରନ୍ତି ବୋଲି ଶ୍ରୀ ପଟ୍ଟନାୟକ କହନ୍ତି। ଶ୍ରୀ ପଟ୍ଟନାୟକଙ୍କ ଲିଖିତ ‘ପ୍ରେମିକା’ ଉପନ୍ୟାସର ଲୋକପ୍ରିୟତା ମଧ୍ୟ କାହିଁରେ କ’ଣ! ନୂଆ ନୂଆ ପ୍ରେମରେ ପଡ଼ିଥିବା ବା ପ୍ରେମ କରୁଥିବା ଏକାଧିକ ପିଢ଼ିର ଯୁବ ଓଡ଼ିଆ ପାଠକଙ୍କ ମୁହଁରେ ଏକଦା ଏହାର ଧାଡ଼ିସବୁ ରହୁଥିଲା। ଅସଂଖ୍ୟ ଚିଠିରେ ଏହାର ଉକ୍ତିସବୁ ଲେଖା ହେଉଥିଲା। ୧୯୯୯ରେ ‘ପ୍ରେମିକା’ର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇ ଅସମ୍ଭବ ପାଠକୀୟତା ହାସଲ କରିଥିଲା। ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ ଆକାଶବାଣୀରେ ମଧ୍ୟ ଏହା ଧାରାବାହିକ ଭାବେ ପ୍ରସାରିତ ହେଲା, ସେ କାର୍ଯ୍ୟକ୍ରମ ମଧ୍ୟ ଶ୍ରୋତାଙ୍କର ପ୍ରିୟତମ ହୋଇ ଉଠିଥିଲା। ପ୍ରଥମ ପ୍ରକାଶନଠାରୁ ପ୍ରତି ବର୍ଷେ-ଦେଢ଼ବର୍ଷରେ ‘ପ୍ରେମିକା’ ୧୦୦୦ କପି ସହିତ ନୂଆ ସଂସ୍କରଣରେ ପ୍ରକାଶିତ ହେଉଛି ଏବଂ ଆଜି ମଧ୍ୟ ଓଡ଼ିଆ ଉପନ୍ୟାସ ବିକ୍ରି ହେଉଥିବା ବହି ଦୋକାନଗୁଡ଼ିକରେ ସବୁଠୁ ଅଧିକ ବିକ୍ରି ହେଉଥିବା ବହିର ତାଲିକାରେ ଏହା ରହିଆସୁଛି। ତେବେ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ‘ପ୍ରେମିକା’ ଉପନ୍ୟାସର ଲୋକପ୍ରିୟତାରେ ସ୍ବୟଂ ଲେଖକ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି। ସେ କହନ୍ତି, ଉପନ୍ୟାସରେ ଭାଷାର କୁହୁକ ହିଁ ଥିଲା। ସେଥିପାଇଁ ରେଡିଓରେ ତାହା ଖାଲି ପଢ଼ାଗଲେ ମଧ୍ୟ ଲୋକଙ୍କୁ ଭଲ ଲାଗୁଥିଲା।
କମିଯାଉଛି ବହି ବିକ୍ରି
ଉଲ୍ଲେଖନୀୟ କଥା ହେଉଛି, ୬୦-୭୦ ବର୍ଷ ତଳେ ଯେତେବେଳେ ହାତରେ ସିସା ଅକ୍ଷର ଖଞ୍ଜି ବହି ଛପା ଯାଉଥିଲା, ସେତେବେଳେ ପ୍ରତିଟି ବହିର ଅତିକମ୍ରେ ୧୧୦୦ କପି ଛପା ଯାଉଥିଲା। ନୂଆ ସଂସ୍କରଣ କରାଗଲେ ୧୦୦୦ କପିରୁ କମ୍ ହେଉ ନଥିଲା। ଏହା ଭିିତରେ ଓଡ଼ିଶାର ଜନସଂଖ୍ୟା ବେଶ୍ ବଢ଼ିଛି, ରାଜ୍ୟ ଆର୍ଥିକ ଦୃଷ୍ଟିରୁ ବହୁତ ଆଗେଇଛି, ଶିକ୍ଷିତ ଲୋକଙ୍କର ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି। କିନ୍ତୁ ବର୍ତ୍ତମାନ କ୍ବଚିତ୍ ଓଡ଼ିଆ ବହି ୫୦୦ରୁ ଅଧିକ ଛପା ଯାଉଛି। ଦ୍ବିତୀୟ ସଂସ୍କରଣର ଭାଗ୍ୟ ଯେଉଁ ଅଳ୍ପ ବହିକୁ ମିଳୁଛି, ତାହା ୨୦୦-୨୫୦ କପି ଭିତରେ ସୀମିତ ରହି ଯାଉଛି। ଅବଶ୍ୟ ଏଠାରେ ଆମେ ଆଦ୍ୟ ସଂସ୍କରଣରେ ମୋଟ୍ ୨୦ଟି ବହି ଛାପିବା ପରେ ୧୦ କପିରେ ‘ପ୍ରଥମ ସଂସ୍କରଣ’ ଓ ବାକି ୧୦ କପିରେ ‘ଦ୍ବିତୀୟ ସଂସ୍କରଣ’ ଛାପି ୬ମାସ ଅନ୍ତରରେ ବଜାରକୁ ଛାଡୁଥିବା ପ୍ରକାଶକମାନଙ୍କର କଥା ଆଲୋଚନା କରୁନାହୁଁ।
ଆହୁରି ଅନେକ ଅଛି
ଚିରସବୁଜ ଆବେଦନ ରଖୁଥିବା ଏସବୁ ବହି ସହିତ କିଛି ଓଡ଼ିଆ ବହି ଚର୍ଚ୍ଚା କାରଣରୁ ମଧ୍ୟ ବେଶ୍ ଭଲ ବିକ୍ରି ହୋଇଛି। ଅବଶ୍ୟ ଅଧିକାଂଶ ସ୍ଥଳରେ ତାହା ଏକ ସୀମିତ ସମୟ ପାଇଁ ଘଟିଛି। ଏହାର ଭଲ ଉଦାହରଣ ହେଉଛି ବାଂଲାଦେଶୀ ଲେଖିକା ତସ୍ଲିମ୍ ନସ୍ରିନ୍ଙ୍କ ‘ଲଜ୍ଜା’। ସେତେବେଳେ ତସ୍ଲିମା ବେଶ୍ ଚର୍ଚ୍ଚା ଓ ବିତର୍କ ଭିତରେ ରହିଥିଲେ। ପୁଣି ତାଙ୍କର ଏହି ବହିଟିକୁ ଓଡ଼ିଆରେ ଅନୁବାଦ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ଏହି ଅନୂଦିତ ବହିଟି ପ୍ରକାଶିତ ହୋଇଥିଲା ୧୯୯୪ ମସିହାରେ। ଚର୍ଚ୍ଚା ଏତେ ଥିଲା ଯେ ପ୍ରଥମ ସଂସ୍କରଣ ମାତ୍ର ୨ମାସ ଭିତରେ ଶେଷ ହୋଇ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହାର ୧୫ଟି ସଂସ୍କରଣ ପ୍ରକାଶିତ ହୋଇ ସାରିଛି। କିନ୍ତୁ ୧୯୯୪-୯୫ ସମୟରେ ଏହାର ଯେତିକି ବିକ୍ରି ହେଉଥିଲା, ଏବେ କମି ଯାଇଛି। ପ୍ରଥମ ୧୦ ବର୍ଷରେ ୧୩ଟି ସଂସ୍କରଣ ହୋଇଥିବାବେଳେ ପରବର୍ତ୍ତୀ ୧୦ ବର୍ଷରେ ଆଉ ମାତ୍ର ୨ଟି ହୋଇପାରିଛି। ଯୋଗଜନ୍ମା କଥାକାର ମନୋଜ ଦାସଙ୍କର ନିଶ୍ଚିତ ଭାବେ ଗୋଟିଏ ନିଷ୍ଠାପର ପାଠକ ଗୋଷ୍ଠୀ ରହିଛନ୍ତି। ଶ୍ରୀ ଦାସ ଓଡ଼ିଆ ସାହିତ୍ୟର ଅନ୍ୟତମ ଲୋକପ୍ରିୟ ତଥା ବହୁପଠିତ ଲେଖକ। ‘ମନୋଜ ଦାସ ପରିବେଷିତ ଉପକଥା ଶତକ’ ୨୦୦୨ ମସିହାରେ ପ୍ରକାଶିତ ହୋଇଥିଲା। ଇତିମଧ୍ୟରେ ବହିଟିର ପ୍ରାୟ ୨୦ଟି ସଂସ୍କରଣ ପ୍ରକାଶିତ ହୋଇସାରିଛି। ସେହିପରି ୧୯୯୬ ମସିହାରେ ପ୍ରକାଶିତ ଲେଖକଙ୍କର ‘ଅମୃତ ଫଳ’ ୨୦୨୪ ସୁଦ୍ଧା ୨୦ଟି ସଂସ୍କରଣ ସହିତ ପାଠକଙ୍କ ମନରେ ବଞ୍ଚି ରହିଛି। ସେହିଭଳି ଶ୍ରୀ ଦାସଙ୍କର ଅନ୍ୟ ଏକ ଲୋକପ୍ରିୟ ଓ ଗଳ୍ପ ସଂକଳନ ହେଉଛି ‘ମନୋଜ ଦାସଙ୍କ କଥା ଓ କାହାଣୀ’, ଯାହା ୧୯୭୧ ମସିହାରେ ପ୍ରକାଶିତ ହୋଇଥିଲା। ଇତିମଧ୍ୟରେ ବହିଟିର ଅନେକ ସଂସ୍କରଣ ପ୍ରକାଶିତ ହୋଇ ସାରିଛି। ଓଡ଼ିଆ ସାହିତ୍ୟର ଇତିହାସରେ ଆହୁରି କିଛି ବହି ଅଛି, ଯେଉଁଗୁଡ଼ିକ କଲେଜ ଓ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନ ପାଇଥିବାରୁ ବହୁ ସଂସ୍କରଣର ସୌଭାଗ୍ୟ ପାଇଛି। ଉଦାହରଣସ୍ବରୂପ ଫକୀର ମୋହନ ସେନାପତିଙ୍କର ‘ଗଳ୍ପସ୍ବଳ୍ପ’, କାହ୍ନୁଚରଣ ମହାନ୍ତିଙ୍କ ‘ଶାସ୍ତି’, ସଚ୍ଚିଦାନନ୍ଦ ରାଉତରାୟଙ୍କର ‘ପଲ୍ଲୀଶ୍ରୀ’ ଓ ଗୁରୁପ୍ରସାଦ ମହାନ୍ତିଙ୍କର ‘ସମୁଦ୍ରସ୍ନାନ’ ଆଦି ପାଠ୍ୟକ୍ରମରେ ସ୍ଥାନ ପାଇଥିବାରୁ ଅଧିକ ସଂସ୍କରଣରେ ପ୍ରକାଶିତ ହୋଇଛି। ତେବେ ପାଠ୍ୟକ୍ରମରେ ସ୍ଥାନ ପାଇବା ଯୋଗୁଁ ହିଁ ସେସବୁ ପାଠକଙ୍କ ପ୍ରିୟ ବୋଲି କହିବା ଅନ୍ୟାୟ ହେବ। ସମାନ୍ତରାଳରେ ସେଗୁଡ଼ିକ ଯେ ଓଡ଼ିଆ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ସଂପଦ, ସେଥିରେ କୌଣସି ସନ୍ଦେହ ନାହିଁ।
ମାନ ଓ ସଂସ୍କରଣ ସଂଖ୍ୟା
ଏ କଥା ସତ ଯେ ଅଧିକ ସଂସ୍କରଣରେ ପ୍ରକାଶିତ ହେବା, ଅନ୍ୟ ଶବ୍ଦରେ କହିଲେ ଅଧିକ ବିକ୍ରିହେବା ହିଁ କୌଣସି ବହିର ମାନ ନିର୍ଦ୍ଧାରଣର ଏକମାତ୍ର ମାପକାଠି ବୋଲି କହିବା ମଧ୍ୟ ଅନୁଚିତ ହେବ। ବର୍ତ୍ତମାନ ସମୟର ଶ୍ରେଷ୍ଠ ଓଡ଼ିଆ କବିଭାବେ ସ୍ବୀକୃତ ରମାକାନ୍ତ ରଥଙ୍କର ବହୁ ଲୋକପ୍ରିୟ ଓ ଚର୍ଚ୍ଚିତ କାବ୍ୟଗ୍ରନ୍ଥ ‘ଶ୍ରୀରାଧା’ର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା ୧୯୮୫ ମସିହାରେ। ବହିଟି ଇଂରାଜୀ ସମେତ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ବୃହତ୍ତର ପାଠକଗୋଷ୍ଠୀଙ୍କ ଦ୍ବାରା ବହୁ ପ୍ରଶଂସିତ। ଏମିତି ବି ପାଠକ ଅଛନ୍ତି, ଯେଉଁମାନେ ପୂରା ବହିଟିକୁ ମୁଖସ୍ଥ କରି ଦେଇଛନ୍ତି। ତଥାପି ପଞ୍ଚମ ସଂସ୍କରଣରେ ପହଞ୍ଚିବାଲାଗି ‘ଶ୍ରୀରାଧା’କୁ ପ୍ରାୟ ୨୦ ବର୍ଷ ଲାଗି ଯାଇଥିଲା। ଅବଶ୍ୟ ଏବେ ଏକାଧିକ ପ୍ରକାଶକ ଏହାକୁ ପ୍ରକାଶ କରୁଛନ୍ତିି, କିନ୍ତୁ ‘ଶ୍ରୀରାଧା’ ଶ୍ରେଣୀର ଗ୍ରନ୍ଥରତ୍ନ ପାଇଁ ଏହା ଯଥେଷ୍ଟ ନୁହେଁ ନିଶ୍ଚୟ। ହୁଏତ କବିତାର ପାଠକ ସଂଖ୍ୟା କମ୍ ଥିବାରୁ ଏପରି ଘଟିଥାଇପାରେ! ଏହାର ଆଉ ଗୋଟିଏ ବଡ଼ ଉଦାହରଣ ହେଉଛି ବିଖ୍ୟାତ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ନରକିନ୍ନର’। ଏହାକୁ ଏକ ବିଶ୍ବସ୍ତରୀୟ ଉପନ୍ୟାସ ଭାବେ ଅନେକ ସମାଲୋଚକ ସ୍ବୀକାର କରନ୍ତି। ବହିଟି ବିଭିନ୍ନ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ପ୍ରାୟ ସବୁ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ। କିନ୍ତୁ ପ୍ରଥମେ ୧୯୬୨ ମସିହାରେ ପ୍ରକାଶିତ ହୋଇଥିବା ଏହି ଶ୍ରେଷ୍ଠ ଉପନ୍ୟାସର ଦ୍ବିତୀୟ ସଂସ୍କରଣ ପ୍ରକାଶିତ ହେବାଲାଗି ୧୯୮୧ ମସିହା ଯାଏ, ପ୍ରାୟ ୨୦ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଇତିମଧ୍ୟରେ ବହିଟିର ଯେତିକି ସଂସ୍କରଣ ଆସିଛି, ତାହା ବହିର ମାନ ଅନୁସାରେ କିଛି ନୁହେଁ ବୋଲି ସାହିତ୍ୟ ସମାଲୋଚକ ମତ ଦିଅନ୍ତି।
ଆମ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ ସୁରେନ୍ଦ୍ର ମହାନ୍ତିଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ନୀଳଶୈଳ’ ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୬୮ ମସିହାରେ। ପ୍ରାୟ ୩୫୦ ପୃଷ୍ଠାର ଏହି ବହିଟି ଖୁବ୍ ଚର୍ଚ୍ଚା ଓ ଲୋକପ୍ରିୟତା ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା। ଉପନ୍ୟାସର ଦ୍ବିତୀୟ ସଂସ୍କରଣ ବର୍ଷେ ଅନ୍ତରରେ ପ୍ରକାଶିତ ହୋଇଥିଲା। ୨୦୨୧ ପର୍ଯ୍ୟନ୍ତ ପ୍ରଥମ ପ୍ରକାଶକ କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର୍ ଏହାର ୧୪ଟି ସଂସ୍କରଣ ପ୍ରକାଶ କରିଥିଲେ ଏବଂ ଏହାକୁ ନିଜ ଅନୁଷ୍ଠାନ ଦ୍ବାରା ପ୍ରକାଶିତ ସବୁଠୁ ଲୋକପ୍ରିୟ ବହି ବୋଲି ସ୍ବୟଂ ପ୍ରକାଶକ କହିଛନ୍ତି। କିନ୍ତୁ ‘ନୀଳଶୈଳ’ ମାନର ଏକ ଶ୍ରେଷ୍ଠ ଉପନ୍ୟାସ ପାଇଁ ତାହା କମ୍ ବୋଲି ଅନେକ କହନ୍ତି। ଶେଷରେ ଏତିକି କୁହାଯାଇପାରେ ଯେ ଆମର ଯେଉଁ ବହିଗୁଡ଼ିକ ଆହୁରି ଅଧିକ ସଂସ୍କରଣର ଆଲୋକ ଦେଖିବା ଉଚିତ ଥିଲା କିନ୍ତୁ ଦେଖି ପାରିନାହିଁ- ସେଗୁଡ଼ିକ ଚିରଦିନ ପାଇଁ ହଜିଯାଇନି। ସାହିତ୍ୟର କୁହୁକ ହେଉଛି- ଯେତେବେଳ ଯାଏ ଖୋଜିବାକୁ, ଶୁଣିବାକୁ ଓ ବିଶ୍ବାସ କରିବାକୁ କେହି ଜଣେ ବି ପାଠକ ଅଛି କୌଣସି ବହି କେବେ ପୂରା ମରିହଜି ଯାଏନି। କାରଣ ବହିର ସ୍ବର ଯେତିକି ଶକ୍ତିଶାଳୀ, ତା’ର ପ୍ରତିଧ୍ବନୀ ବି ସେତିକି ପ୍ରଭାବଶାଳୀ।