ତ୍ରାହି ପାଇଲେ ମଦୁଆ ଚାଳକ; ବ୍ରେଦ୍‌ ଆନାଲାଇଜର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ବ୍ୟାପିବା ଭୟ ସମସ୍ତଙ୍କୁ ଘାରିଛି। ଏହା ବ୍ୟାପିବା ପାଇଁ ସମସ୍ତ ଗଳା ବାଟ ବନ୍ଦ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ମଦ୍ୟପ ଚାଳକଙ୍କୁ ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଉଥିବା ‘ବ୍ରେଦ୍‌ ଆନାଲାଇଜର’ ଜରିଆରେ କରୋନା ଭୁତାଣୁ ବ୍ୟାପିବା ଆଶଙ୍କା ରହିଛି। ଏଣୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବ୍ରେଦ୍‌ ଆନାଲାଇଜର ବ୍ୟବହାର ନ କରିବାକୁ ପୁଲିସ ଡିଜି ସମସ୍ତ ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ ମଦୁଆ ଚାଳକଙ୍କୁ ଯାଞ୍ଚ ନ କରିବା ପାଇଁ କହିଛନ୍ତି। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ କମିସନରେଟ୍‌ ପୁଲିସ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରିଥିଲା। ମଦ୍ୟପ ଚାଳକଙ୍କ ଦ୍ବାରା ସର୍ବାଧିକ ଦୁର୍ଘଟଣା ଘଟିଥିବାରୁ କମିସନରେଟ୍‌ ପୁଲିସ ଏହି ଚାଳକଙ୍କ ଉପରେ କଡ଼ା ନଜର ରଖିଥିଲା। ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାଜ୍ୟରେ ୫ ହଜାର ୮ଶହ ୫୬ ମଦୁଆ ଗାଡ଼ି ଚାଳକ ଧରା ପଡ଼ି ସଂଶୋଧିତ ମୋଟର ଯାନ ଆଇନ ବଳରେ ଗିରଫ ହୋଇଥିଲେ। ଏହା ପରେ ଦୁର୍ଘଟଣା ହାର ମଧ୍ୟ କମି ଯାଇଥିଲା। ଏଣୁ କମିସନରେଟ୍‌ ପୁଲିସ ଅଞ୍ଚଳରେ ମଦ୍ୟପ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇଥିଲା। ପୁଲିସକୁ ଅଧିକ ‘ବ୍ରେଦ୍‌ ଆନାଲାଇଜର’ ଯୋଗାଯିବା ସହ ଚଢ଼ଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର