କୋଟିପତି ସିଙ୍ଗଡ଼ା ବିକାଳି, ଛାପା ମାରିବା ପରେ ଉଡ଼ିଲା ଆୟକର ବିଭାଗର ଅଧିକାରୀଙ୍କ ହୋସ

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରେ ଜଣେ ସିଙ୍ଗଡ଼ା ବିକାଳି କୋଟିପତି ବୋଲି ଜାଣି ଲୋକଙ୍କ ହୋସ ଉଡ଼ି ଯାଇଛି । ସନ୍ଦେହରେ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ଆୟକର ବିଭାଗର ଅଧିକାରୀ ବିକାଳି ମୁକେଶଙ୍କ ଘରେ ଛାପା ମାରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ବର୍ଷକୁ ୪୦ଲକ୍ଷ ଆୟ କରୁଥିଲେ ଜିଏସ୍‌ଟିରେ ରେଜିଷ୍ଟ୍ରେସନ କରିବାକୁ ପଡ଼େ । କିନ୍ତୁ ୬୦ଲକ୍ଷରୁ ଅଧିକ ଟଙ୍କା ଆୟ କରି ମଧ୍ୟ ଜିଏସ୍‌ଟିରେ ରେଜିଷ୍ଟ୍ରେସନ କରି ନଥିବାରୁ ମୁକେଶଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗ ଏବେ ଏ ନେଇ ନୋଟିସ ପଠାଇଥିବା ଜଣା ପଡ଼ିଛି ।

Bhaskar

ସୂଚନା ମୁତାବକ, ଅଲିଗଡ଼ରେ ଥିବା ସୀମା ଟକିଜରେ ଗତ ୧୦ବର୍ଷ ହେଲାଣି ସିଙ୍ଗଡ଼ା ଏବଂ କଚୌଡି ଦୋକାନ ଚଳାଇ ଆସୁଛନ୍ତି ମୁକେଶ । କିଛି ଦିନ ତଳେ ତାଙ୍କ ଆୟକୁ ନେଇ ରାଜ୍ୟ ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ଆୟକର ବିଭାଗର ଅଧିକାରୀଙ୍କୁ ସୂଚନା ଦିଆ ଯାଇଥିଲା । ଯାହା ପରେ ଜୁନ୍‌ ୨୧ରେ ମୁକେଶଙ୍କ ଘରେ ଛାପା ମରା ଯାଇଥିଲା । ତଦନ୍ତ ଚାଲୁଥିବା ବେଳେ ମୁକେଶ ପ୍ରତି ମାସରେ ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବା କଥା କହିଥିଲେ । ଏହା ସହ ବର୍ଷକୁ ୬୦ଲକ୍ଷରୁ ଅଧିକ ଆୟ କରୁଥିବା କଥା ସ୍ୱୀକାର କରିଥିଲେ । ତେବେ ମୁକେଶଙ୍କ ବୟାନ ପରେ ମଧ୍ୟ ମୁକେଶଙ୍କ ଆୟ ଏକ କୋଟିରୁ ଅଧିକ ହୋଇଥାଇ ପାରେ ବୋଲି ସନ୍ଦେହ କରି ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ଆୟକର ବିଭାଗର ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହା ସହ ୬୦ଲକ୍ଷ ଆୟ କରି ଜିଏସ୍‌ଟିରେ ରେଜିଷ୍ଟ୍ରେସନ କରି ନଥିବାରୁ ମୁକେଶଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗ ଏ ନେଇ ନୋଟିସ ପଠାଇଛନ୍ତି ।

ସମ୍ବନ୍ଧିତ ଖବର