ଦେଶରେ ପାର୍ବଣ ଆରମ୍ଭ ହୋଇଯାଇଛି । ଆଗକୁ ଆସୁଛି ମାତୃ ଉପାସନାରେ ପ୍ରମୁଖ ପର୍ବ ନବରାତ୍ରୀ ଓ ଦଶହରା । ଉତ୍କଳୀୟ ପରମ୍ପରା ଅନୁସାରେ ମୂଳାଷ୍ଟମୀଠାରୁ ହିଁ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ ହୋଇଯାଇଛି । ସେହିପରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ୯ ଦିନ ଧରି ମହାମାୟାଙ୍କ ୯ଟି ରୂପର ଉପାସନା କରାଯିବ । ଏହି ମହାପର୍ବର ଏକ ମୁଖ୍ୟ ଅଂଶ ହେଲା ଚଣ୍ଡୀପାଠ । ଏହାର ମୂଳରେ ରହିଛି ଗୋଟିଏ ଧର୍ମଗ୍ରନ୍ଥ- ଦୁର୍ଗା ସପ୍ତଶତୀ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।
ଦୁର୍ଗା ସପ୍ତଶତୀ ମାର୍କଣ୍ଡେୟ ପୁରାଣର ଏକ ଅତ୍ୟନ୍ତ ପ୍ରଶସ୍ତ ଓ ଗୁରୁତ୍ବପୂର୍ଣ୍ଣ ଅଂଶ, ଯେଉଁଥିରେ ୭୦୦ଟି ଶ୍ଲୋକ ରହିଛି। ଏହି କାରଣରୁ ଏହାକୁ ସପ୍ତଶତୀ କୁହାଯାଏ। ସାଧାରଣତଃ ଏଥିରେ ମହାଦେବୀଙ୍କ ମହିମା, ଦେବୀଙ୍କ ବିଭିନ୍ନ ରୂପ ଓ ଦୁର୍ଗାଙ୍କର ଅସୁରବିନାଶୀ ଲୀଳା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ମିଳେ।
ଏହି ଗ୍ରନ୍ଥଟି ମୁଖ୍ୟତଃ ତିନିଟି ଅଂଶରେ ବିଭକ୍ତ – ପ୍ରଥମ ଚରିତ୍ର, ମଧ୍ୟମ ଚରିତ୍ର ଓ ଉତ୍ତମ ଚରିତ୍ର ।
ପ୍ରଥମ ଚରିତ୍ର: ଏହା ପ୍ରଥମ ଅଧ୍ୟାୟକୁ ନେଇ ଗଠିତ। ଏହି ଭାଗ ମହାକାଳୀଙ୍କ ମହିମା ବର୍ଣ୍ଣନା କରେ। ଏଥିରେ ମହର୍ଷି ମେଧା ରାଜା ସୁରଥ ଏବଂ ସମାଧିଙ୍କ କାହାଣୀ । ଏହି ଭାଗରେ ଦେବୀ ମହାମାୟାଙ୍କ ଆବିର୍ଭାବ, ମଧୁ ଓ କୈଟଭ ନାମକ ଦୁଇ ଅସୁରଙ୍କୁ ମା’ ମହାମାୟାଙ୍କ ପ୍ରେରଣାରେ ଭଗବାନ ବିଷ୍ଣଙ୍କ ବିନାଶ କରିବାର କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ଚରିତ୍ରକୁ ତାମସିକ ଶକ୍ତି ଭାବରେ ମଧ୍ୟ ବିବେଚନା କରାଯାଏ, ଯାହା ଅଜ୍ଞାନତା ଏବଂ ଆଳସ୍ୟକୁ ପ୍ରତିନିଧିତ୍ୱ କରେ।
ମଧ୍ୟମ ଚରିତ୍ର: ଏହି ଭାଗ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଅଧ୍ୟାୟକୁ ନେଇ ଗଠିତ। ଏଥିରେ ମହାଲକ୍ଷ୍ମୀଙ୍କ ମହିମା ବର୍ଣ୍ଣନା କରାଯାଇଛି। ଏହି ଅଧ୍ୟାୟଗୁଡ଼ିକରେ ମା' ଦୁର୍ଗା ମହିଷାସୁରକୁ ବଧ କରିବା ସହ ଦେବତାମାନଙ୍କୁ ଦେବୀଙ୍କ ପ୍ରତି ସ୍ତୁତି କରିବା ବର୍ଣ୍ଣିତ। ଏହା ସାତ୍ତ୍ୱିକ ଶକ୍ତିକୁ ପ୍ରତିନିଧିତ୍ୱ କରେ, ଯାହା ଜ୍ଞାନ ଏବଂ ସମୃଦ୍ଧିର ପ୍ରତୀକ।
ଉତ୍ତମ ଚରିତ୍ର: ଏହି ଭାଗ ପଞ୍ଚମରୁ ତ୍ରୟୋଦଶ (୫ମ ରୁ ୧୩ଶ) ଅଧ୍ୟାୟ ପର୍ଯ୍ୟନ୍ତ ବ୍ୟାପୀ ରହିଛି। ଏହା ମହାସରସ୍ୱତୀଙ୍କ ମହିମା ବର୍ଣ୍ଣନା କରେ। ଏଥିରେ ଦେବୀଙ୍କ ଦ୍ୱାରା ଧୂମ୍ରଲୋଚନ, ଚଣ୍ଡ-ମୁଣ୍ଡ, ରକ୍ତବୀଜ ଏବଂ ଶୁମ୍ଭ-ନିଶୁମ୍ଭ ଆଦି ଅସୁରମାନଙ୍କୁ ବଧ କରିବାର କାହାଣୀ ବର୍ଣ୍ଣିତ। ଏହି ଚରିତ୍ର ରାଜସିକ ଶକ୍ତିକୁ ପ୍ରତିନିଧିତ୍ୱ କରେ, ଯାହା ସୃଷ୍ଟି ଏବଂ କାର୍ଯ୍ୟର ଶକ୍ତିକୁ ଦର୍ଶାଏ।
ଦୁର୍ଗା ସପ୍ତଶତୀ କେବଳ ଏକ ପୌରାଣିକ ଗ୍ରନ୍ଥ ନୁହେଁ, ଏହା ଭକ୍ତମାନଙ୍କ ପାଇଁ ଆତ୍ମିକ ସାଧନାର ପଥପ୍ରଦର୍ଶକ। ନବରାତ୍ରି ସମୟରେ ଏହାର ପାରାୟଣ ବିଶେଷ ମାହାତ୍ମ୍ୟ ରଖେ। ଏହା ପାଠ କରିଲେ ମାନସିକ ସାନ୍ତ୍ୱନା, ଶକ୍ତି, ଏବଂ ଆତ୍ମବିଶ୍ୱାସ ବଢ଼େ ବୋଲି ଭକ୍ତମାନେ ମନେକରନ୍ତି।
ଦୁର୍ଗା ସପ୍ତଶତୀ ହେଉଛି ଭାରତରେ ଶକ୍ତିସାଧନାର ଏକ ଅମୂଲ୍ୟ ଧରୋହର । ଦୁର୍ଗା ସପ୍ତଶତୀକୁ ଭକ୍ତି, ସାଧନା ଓ ଆତ୍ମବଳର ପ୍ରତୀକ ଭାବେ ଦେଖାଯାଏ। ଭକ୍ତମାନେ ମାନନ୍ତି ଯେ, ଏହାର ପାଠ କଲେ ଦୁଷ୍ଟଚିନ୍ତା, ଭୟ ଓ ବାଧା ଦୂରୀଭୂତ ହୁଏ। ଏହା ଜୀବନରେ ସାହସ, ସ୍ୱାସ୍ଥ୍ୟ ଓ ସମୃଦ୍ଧିକୁ ଆନିଥାଏ।