ନୂଆଦିଲ୍ଳୀ: ପ୍ରଶାସନ ଅଧିକାରୀ ହେବା କିଛି ଛୋଟ କଥା ନୁହେଁ। ଏହି ଚାକିରି ପାଇଁ ‌ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କେଉଁ ପରିବାରୁ ଯଦି ଜଣେ କେହି ଅଧିକାରୀ ବନିଯାଆନ୍ତି ତ ସେ ପରିବାରର ସମ୍ମାନ ଯଥେଷ୍ଟ ଅଧିକ ବଢ଼ିଯାଏ। ହେଲେ ଆମେ ଆଜି ଏପରି ଏକ ପରିବାର ବିଷୟରେ କହିବୁ ଯେଉଁଠା‌ରେ ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ୪ ଭାଇଭଉଣୀ ବନିପାରିଛନ୍ତି ଅଧିକାରୀ।

Advertisment

ଉତ୍ତରପ୍ରଦେଶର ପ୍ରତାପଗଡ଼ର ଚାରି ଭାଇଭଉଣୀ ଦେଶର ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ସମସ୍ତେ ଆଇଏଏସ୍‌ ଏବଂ ଆଇପିଏସ୍‌ ପରି ବଡ଼ ଅଧିକାରୀ ଭାବେ ନିଷ୍ଠାର ସହ ଦେଶ ସେବା କରୁଛନ୍ତି। ଏହି ପରିବାରର କାହାଣୀ ହେଉଛି ସେମାନଙ୍କ ଜିଲ୍ଲାର ସମସ୍ତଙ୍କ ପାଇଁ ଏକ ପ୍ରେରଣା ଉତ୍ସ। ସେମାନେ ପ୍ରତାପଗଡର ଲାଲଗଞ୍ଜ ନାମକ ଏକ ଛୋଟ ସହରରୁ ଆସିଛନ୍ତି ଏବଂ ସେଇଠା‌ରେ ହିଁ ସେମାନେ ନିଜର ଶିକ୍ଷା ସମାପ୍ତ କରିଛନ୍ତି।

ଆପଣ ଜାଣନ୍ତି ଯେ ପରୀକ୍ଷା ଭିତରେ ୟୁପିଏସ୍‌ସି ପରୀକ୍ଷା ସବୁଠୁ କଠିନ। ଏଥିପାଇଁ ରାତି ଦିନ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡେ। ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷା ଦିଅନ୍ତି ହେଲେ କିଛି ମାତ୍ର ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତି। ହେଲେ ଲାଲଗଞ୍ଜ ଅଫିସର ମିଶ୍ରା ଫ୍ୟାମିଲିର ଏହି ୪ ଅଧିକାରୀ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଘରର ବଡ ପୁଅ ୟୋଗେଶ ମିଶ୍ରା ପ୍ରଥମେ ଜଣେ ସଫ୍ଟୱେର ଇଞ୍ଜିନିୟର ଥିଲେ। ସାନ ଦୁଇ ଭଉଣୀ କ୍ଷମା ଓ ମାଧବୀ ୟୁପିଏସି ପରୀକ୍ଷା ଦେଇ ପ୍ରଥମ ଚେଷ୍ଟାରେ ବିଫଳ ହେବା ପରେ ସବୁବେଳ ଉଦାସ ରହୁଥିଲେ। ଏହା ବଡଭାଇ ଯୋଗେଶଙ୍କୁ ଚିନ୍ତାରେ ପକାଇଥିଲା। ଦୁଇ ଭଉଣୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ବଡ ନିଷ୍ପତ୍ତି ନେଲେ। ସଫ୍ଟୱେର ଚାକିରି ଛାଡି ଘରକୁ ଆସିଲେ। ନିଜେ ୟୁପିଏସସି ପରୀକ୍ଷା ପାଇଁ ନିଷ୍ଠାର ସହ ପ୍ରସ୍ତୁତି କଲେ। ୨୦୧୩ରେ ପ୍ରଥମ ଚେଷ୍ଟାରେ ହିଁ ଆଇଏଏସ୍ ବନିଲେ। ଏହାପରେ ବି ଯୋଗେଶ ଅଟକିନଥିଲେ । ତାଙ୍କ ଆଗରେ ଥିଲା ଦୁଇ ଭଉଣୀଙ୍କ ସ୍ୱପ୍ନ । ନିଜର ଅଭିଜ୍ଞତାରୁ ସାଉଁଟିଥିବା ଜ୍ଞାନକୁ ଦୁଇ ଭଉଣୀ କ୍ଷମା ଓ ମାଧବୀଙ୍କୁ ବାଣ୍ଟିଥିଲେ । ୟୁପିଏସସି ପରୀକ୍ଷାରେ ସଫଳ ହେବା ପାଇଁ ଦୁଇ ଭଉଣୀଙ୍କୁ ବାଟ ବତେଇଥିଲେ।

ସୁବୁଠୁ ବଡ କଥା ହେଲା ବିନା କୌଣସି କୋଚିଙ୍ଗରେ ବଡ ଭାଇ ଯୋଗେଶଙ୍କ ପାଠ ପଢ଼ାରେ କ୍ଷମା ଓ ମାଧବୀ ଯଥାକ୍ରମେ ୨୦୧୫ ଓ ୨୦୧୬ରେ ୟୁପିଏସସି ପରୀକ୍ଷ‌ାରେ ଛତ୍ତୀର୍ଣ୍ଣ ହେଲେ। କ୍ଷମା ଏବେ କର୍ଣ୍ଣାଟକ କ୍ୟାଡରର ଆଇପିଏସ୍ ଥିବାବେଳେ ମାଧବୀ ଝାରଖଣ୍ଡ ରାମଗଡରେ ଆଇଏଏସ୍ ଭାବେ ନିଯୁକ୍ତ । ୩ ଭାଇ ଭଉଣୀଙ୍କ ପରିଶ୍ରମ ଦେଖି ନିଜକୁ ରୋକିପାରିନଥିଲେ ସାନ ଭାଇ ଲୋକେଶ ମିଶ୍ରା। ସେ ମଧ୍ୟ ବଡଭାଇଙ୍କ ମାର୍ଗଦର୍ଶନରେ ୟୁପିଏସସି ପାଇଁ ଜୋରଦାର ପ୍ରସ୍ତୁତି କଲେ ଏବଂ ୨୦୧୬ରେ ସାନ ଭଉଣୀ କ୍ଷମାଙ୍କ ସହ ସେ ମଧ୍ୟ ସଫଳ ହେଲେ ଏବଂ ଆଇଏଏସ୍ ହେଲେ। ଏବେ ସେ ରାଞ୍ଚିର ଏସଡିଏମ ଭାବେ କାର୍ଯ୍ୟରତ।