ରାଫେଲ ସହିତ ଭାରତକୁ ଆସିଛି ଏସବୁ ମାରାତ୍ମକ ମିସାଇଲ

ଭାରତୀୟ ବାୟୁସେନାର ନୂଆ ଶକ୍ତି ରୂପେ ଉଭା ହୋଇଛି ଶକ୍ତିଶାଳୀ ରାଫେଲ ବିମାନ । ସାମରିକ ବିଶେଷଜ୍ଞ କହନ୍ତି, ଭାରତୀୟ ଉପମହାଦେଶରେ ଏହି ଅତ୍ୟାଧୁନିକ ବିମାନ ଶକ୍ତି ସନ୍ତୁଳନକୁ ଅନେକ ମାତ୍ରାରେ ବଦଳାଇ ରଖିଦେବ। ପାକିସ୍ତାନ ପାଖରେ ଆମେରିକାର ଅତ୍ୟାଧୁନିକ ଏଫ-୧୬ ଲଢୁଆ ବିମାନଥିବା ବେଳେ ଶକ୍ତି ଓ ଦକ୍ଷତାରେ ତାହା ରାଫେଲ ସହିତ ତୁଳନୀୟ । କିନ୍ତୁ କାହିଁକି ରାଫେଲକୁ ଏତେ ଗୁରୁତ୍ୱ ଦିଆଯାଉଛି ? ପ୍ରକୃତ କଥା ହେଉଛି ରାଫେଲ ସହିତ ଯେଉଁ ଓ୍ଡିପନ୍ ସିଷ୍ଟମ୍ ବା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଖଞ୍ଜାଯାଇଛି ତାହା ହିଁ ଚୀନ, ପାକିସ୍ତାନ ପାଇଁ ଚିନ୍ତାର ବିଷୟ ହେବ । ରାଫେଲ ସହିତ ତିନୋଟି ମୁଖ୍ୟ ମିସାଇଲ ସିଷ୍ଟମ ଫ୍ରାନ୍ସ ଭାରତକୁ ଦେବାକୁ ଚୁକ୍ତି ହୋଇଛି । ତାହା ହେଉଛି ଷ୍ଟର୍ମ ସାଡୋ କ୍ରୁଇଜ ମିସାଇଲ ବା ସ୍କାଲପ, ମେଟେର ମିସାଇଲ ଓ ହାମର ମିସାଇଲ ।

ସ୍କାଲପ ମିସାଇଲ
ଶତ୍ରୁପକ୍ଷ ଭିତରେ ପଶି ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟକୁ ଅତ୍ୟନ୍ତ ନିର୍ଭୁଲଭାବେ ଲକ୍ଷ୍ୟଭେଦ କରି ଧ୍ବଂସ କରିବାରେ ସ୍କାଲପର ଦକ୍ଷତା ଅତୁଳନୀୟ । ପ୍ରାୟ ୩୦୦ କିମି ଦୂରତ୍ୱ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ସ୍କାଲପ ମିସାଇଲ ଶତ୍ରୁପକ୍ଷର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇପାରିବ । ଅନ୍ୟପକ୍ଷରେ ମେଟେର ମିସାଇଲର ମାରକ କ୍ଷମତା ୧୫୦ କିଲୋମିଟର । ଏହାର କ୍ଷମତା ଆମେରିକାର ଆମରାମ କ୍ଷେପଣାସ୍ତ୍ରଠାରୁ ଅଧିକ ବୋଲି କୁହାଯାଉଛି ।

ମେଟେର ମିସାଇଲ
ଏହି ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର ମାରକ ରେଞ୍ଜ୍ ୧୨୦ରୁ ୧୫୦ କିଲୋମିଟର । ଆକାଶ ମାର୍ଗରେ ଏହି ମିସାଇଲର ଜବାବ ଉଭୟ ପାକିସ୍ତାନ ଓ ଚୀନ ପାଖରେ ନାହିଁ । ପାକିସ୍ତାନ ବ୍ୟବହାର କରୁଥିବା ଏଫ-୧୬ ବିମାନରେ ଆମେରିକା ନିର୍ମିତ ଆମରାମ ମିସାଇଲ ଲାଗିଛି, ଏହାର ରେଞ୍ଜ ମାତ୍ର ୧୦୦ କିଲୋମିଟର । ଭାରତରେ ପହଞ୍ଚିଥିବା ୫ଟି ରାଫେଲ ବିମାନ ସହ ୮-୧୦ଟି ମେଟେର ମିସାଇଲ ଆସିଥିବା କୁହାଯାଉଛି ।

ହାମର ମିସାଇଲ
ରାଫେଲରେ ଖଞ୍ଜା ଯାଉଥିବା ଆଉ ଏକ ସ୍ୱତନ୍ତ୍ର ଅସ୍ତ୍ର ହେଉଛି ହାମର ମିସାଇଲ । ଏହାର ବିଶେଷତ୍ୱ ହେଉଛି ଶତ୍ରୁପକ୍ଷର ଯେକୌଣସି ପ୍ରକାରର ବଙ୍କରକୁ ଫଟାଇବାରେ ଏହି ମିସାଇଲ ସକ୍ଷମ । ଏପରିକି ହିମାଳୟ ପାର୍ବତ୍ୟାଞ୍ଚଳରେ ଥିବା ଶତ୍ରୁପକ୍ଷର ସୁରକ୍ଷିତ ବଙ୍କରକୁ ଏହା ଧ୍ୱଂସ କରିଦେବ । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏହାକୁ ଉଭୟ ଗ୍ଲାଇଡର ବୋମା ଓ ମିସାଇଲ ଭାବେ ବ୍ୟବହାର କରିହେବ । ଏହାକୁ ଫ୍ରାନ୍ସର ସାଫ୍ରାନ କମ୍ପାନି ନିର୍ମାଣ କରିଥାଏ ।

ସମ୍ବନ୍ଧିତ ଖବର