ମନ୍ଦିର ସାମ୍ନାରେ ବସି ଭିକ୍ଷା ମାଗୁଥିବା ଭିକ୍ଷୁକ କୋଭିଡ-୧୯ ପାଣ୍ଠିକୁ ଦେଲେ ୯୦ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ସମୟରେ ଦେଶକୁ ଆର୍ଥିକ ଭାବେ ସାହାଯ୍ୟ କରିବାକୁ ଅନେକ ଲୋକ ଆଗେଇ ଆସିଛନ୍ତି। କେଉଁଠାରେ ଛୋଟ ପିଲାମାନେ ନିଜ ସଞ୍ଚିତ କୁମ୍ପି ଭାଙ୍ଗୁଥିବା ବେଳେ ଆଉ କେହି ନିଜ ସଞ୍ଚିତ ଅର୍ଥରୁ କିଛି ଦେଶ ନାମରେ ଦାନ କରି ଦେଉଛନ୍ତି। ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଭିକ୍ଷା ମାଗୁଥିବା ଜଣେ ବାବା ସରକାରଙ୍କ କୋଭିଡ-୧୯ ପାଣ୍ଠିକୁ ୯୦,୦୦୦ଟଙ୍କା ଦାନ କରି ଚର୍ଚ୍ଚାରେ ରହିଛନ୍ତି।

 

ପ୍ରକାଶିତ ଖବର ମୁତାବକ, ତାମିଲନାଡୁର ମଦୁରାଇରେ ରହୁଥିବା ଜଣେ ଭିକାରୀ ନାମ ହେଉଛି ପୁଲପାଣ୍ଡିଆନ୍‌। ସେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଫଣ୍ଡ ପାଇଁ ୯୦,୦୦୦ଟଙ୍କା ଦାନ କରିଛନ୍ତି। ଏଥିସହିତ ଏଭଳି ଏକ କାମ ପାଇଁ ଜିଲ୍ଲାପାଳ ତାଙ୍କୁ ସମାଜସେବୀ ଟାଇଟଲ୍‌ର ଆଖ୍ୟା ଦେଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

ଭିକ୍ଷା ମାଗି ନିଜର ପେଟ ପୋଷୁଥିବା ପୁଲପାଣ୍ଡିଆନ୍‌ ଏହି ଦାନ ପୂର୍ବରୁ ବି ମଇ ମାସରେ ୧୦ହଜାର ରାଜ୍ୟ ସରକାରଙ୍କୁ ଦାନ କରି ସାରିଛନ୍ତି। ସେ ମନ୍ଦିର ସାମ୍ନାରେ ବସି ଭିକ୍ଷାବୃତ୍ତି କରି ଥାଆନ୍ତି। ମଇ ମାସରେ ସେ ଏହି ରାଶି ଦାନ କରୁଥିବା ସମୟରେ କହିଥିଲେ ଯେ ସଞ୍ଚିତ କରିଥିବା ଟଙ୍କାକୁ ସେ ଏଜୁକେସନ୍‌ ଫଣ୍ଡକୁ ଦାନ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ମହାମାରୀ ଭଳି ସଙ୍କଟ ହେତୁ ସେ ଏହି ଟଙ୍କାକୁ କୋଭିଡ-୧୯ ପାଣ୍ଠିକୁ ଦାନ କରିଛନ୍ତି।

ସମ୍ବନ୍ଧିତ ଖବର