ଲକ୍ଷ୍ନୌ: ୟୁପିର ବରେଲି ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ବିବାଦ ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ମଧ୍ୟରେ ଏବେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ଆଲୋକ ମୌର୍ଯ୍ୟଙ୍କ ବାପା ତଥା ଜ୍ୟୋତି ମୌର୍ଯ୍ୟଙ୍କ ଶଶୁର।

Advertisment

ସେ କହିଛନ୍ତି ଯେ ବୋହୂର ଏପରି କାଣ୍ଡ ପରେ ଆମ ଗାଁରେ ଆଉ କେହି ନିଜ ବୋହୂକୁ ପାଠ ପଢ଼ାଇବାକୁ ଡରୁଛନ୍ତି। ଏବେ ମୋ ଝିଅମାନଙ୍କର କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଜ୍ୟୋତିଙ୍କ ବାପା ନିମନ୍ତ୍ରଣ କାର୍ଡ ଦେଖାଇ ଯେଉଁ ଅଭିଯୋଗ ଆଣିଥିଲେ ତାହାକୁ ବି ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ତେବେ ଏହି ମାମଲାରେ ଗାଁ ଲୋକ ବି ଆଲୋକ ମୌର୍ଯ୍ୟଙ୍କ ସମର୍ଥନରେ ବାହାରିଛନ୍ତି । ସେମାନଙ୍କୁ ଯେତେବେଳେ ନିମନ୍ତ୍ରଣ କାର୍ଡର ସତ ବିଷୟରେ ପଚରାଗଲା ତ ସେମାନେ କହିଛନ୍ତି କି ଆଜି ପର୍ଯ୍ୟନ୍ତ ଗାଁର କେଉଁ ବି ବାହାଘର କାର୍ଡରେ କାହାରି ପଦବୀ ଲେଖାଯାଇନାହିଁ। ଯେଉଁ କାର୍ଡ ବିଷୟରେ କୁହାଯାଉଛି ତାହା କନ୍ୟାପକ୍ଷ ଲୋକ ଛାପିଥିଲେ।

ଜ୍ୟୋତି ଏବଂ ଆଲୋକ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ସେ ଜ୍ୟୋତିଙ୍କୁ ପିସିଏସ୍ ହେବାରେ ସମର୍ଥନ କରିଥିଲେ ଏବଂ ତାଙ୍କ ପ୍ରସ୍ତୁତି ଓ ଅଧ୍ୟୟନକୁ ମଧ୍ୟ ‌ପ୍ରୋତ୍ସାହିତ କରିଥିଲେ। କିନ୍ତୁ ଏସଡିଏମ୍ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଥିଲେ।

ହେଲେ ଜ୍ୟୋତିଙ୍କ ବାପା ଆଲୋକ ଓ ଜ୍ୟୋତିଙ୍କ ବାହାଘରର ନିମନ୍ତ୍ରଣ କାର୍ଡ ଦେଖାଇ ଆଲୋକ ମିଛ କହି ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି। ‌ତାଙ୍କ କାର୍ଡରେ ସେ ଜଣେ ଗ୍ରାମ ପଞ୍ଚାୟତ ଅଧିକାରୀ ବୋଲି ଉଲ୍ଲେଖ କରିଛନ୍ତି।