ଅଲ‌ବିଦା ଇରଫାନ୍‌ : ‘ସଲାମ୍‌ ବମ୍ବେ’ରୁ ‘ଅଂଗ୍ରେଜି ମିଡିୟମ୍‌’

କର୍କଟ ସହ ଦୁଇ ବର୍ଷ ଲଢ଼ିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଇରଫାନ୍‌। ତେବେ ନିଜ ଅଭିନୟ ଜୀବନରେ ସେ ଥିଲେ ଜଣେ ପ୍ରକୃତ ବିଜେତା। ତିନି ଖାନ୍‌ ବଲିଉଡ୍‌ ଲୋକପ୍ରିୟ ଚଳଚ୍ଚିତ୍ରର ସୁପରଷ୍ଟାର୍ ହୋଇଥି‌ବାବେଳେ ସେ ଥିଲେ ସମାନ୍ତରାଳ ସିନେମା‌ରେ ସୁପରଷ୍ଟାର୍। ଇରଫାନ୍‌ଙ୍କ ଶକ୍ତି ଥିଲା ଶୁଦ୍ଧ ଓ ଜୀବନ୍ତ ଅଭିନୟ। ସିନେମାରେ ସେ ଥିଲେ ସାଧାରଣ ମଣିଷର ସଚ୍ଚା ପ୍ରତିନିଧି। ‘ସଲାମ୍‌ ବମ୍ବେ’, ‘ମକ୍‌ବୁଲ୍‌’, ‘ଲଞ୍ଚବକ୍ସ’ଠୁ ନେଇ ‘ପାନ୍‌ ସିଂ ତୋମାର’, ‘ସ୍ଲମ୍‌ଡଗ୍‌ ମିଲିୟନିୟର୍‌’ ଭଳି ଅନେକ ସିନେମାରେ ଅତୁଳନୀୟ ଅଭିନୟର ପାରଦର୍ଶିତା ପ୍ରଦର୍ଶନ କରି କରି ପ୍ରତିଟି ଚଳଚ୍ଚିତ୍ରପ୍ରେମୀଙ୍କ ହୃଦୟରେ ସେ ଏକ ସ୍ପତନ୍ତ୍ର ସ୍ଥାନ ତିଆରି କରିଥିଲେ। ଭାରତୀୟ ଅଭିନେତାଙ୍କ ମଧ୍ୟରେ ହଲିଉଡ୍‌ରେ ବି ସେ ଥିଲେ ସବୁଠୁ ଅଧିକ ସକ୍ରିୟ। ତେଣୁ ତିନି ଦଶନ୍ଧିର କ୍ୟାରିଅର୍‌ ଭିତରେ ଅନେକ ପ୍ରସିଦ୍ଧଙ୍କ ଭିଡ଼ ଭିତରୁ ମୁଣ୍ଡ ଟେକି ସେ ପାଲଟି ଯାଇଥିଲେ ସବୁରି ପ୍ରିୟ ଜଣେ ଚର୍ଚ୍ଚିତ ଅଭିନେତା, ନିଆରା ମଣିଷ। ଆଜି ସେ ଆମ ଗହଣରୁ ସବୁଦିନ ପାଇଁ ବିଦାୟ ନେଇଯାଇଛନ୍ତି ସତ, ମାତ୍ର ପର୍ଦା ଉପରେ ନିଆରା ଅଭିନୟ ଓ ସ୍ୱତନ୍ତ୍ର ଶୈଳୀର ସଂଳାପ ପାଇଁ ଇରଫାନ୍‌ ସର୍ବଦା କୋଟିକୋଟି କଳାପ୍ରେମୀଙ୍କ ହୃଦୟରେ ବଞ୍ଚି ରହିବେ।

ମୋ ମା’ ମତେ ନେବାକୁ ଆସିଛନ୍ତି…
ଇରଫାନ ଖାନ୍ ନିଜ ମା’ଙ୍କୁ ଏଇ ୩ ଦିନ ତଳେ ହରାଇଥିଲେ। ମା’ଙ୍କୁ ସେ ବହୁତ ଭଲ ପାଉଥିଲେ ମଧ୍ୟ ଲକ୍‌ଡାଉନ ଚାଲିଥିବା ଯୋଗୁଁ ଶେଷ ସମୟରେ ମା’ଙ୍କ ଶେଷକୃତ୍ୟରେ ସାମିଲ୍‌ ହୋଇପାରିନଥିଲେ। ଏହା ତାଙ୍କୁ ମାନସିକ ଆଘାତ ଦେଇଥିଲା। ତେବେ ଭିଡିଓ କନ୍‌ଫରେନ୍‌ସ ଜରିଆରେ ସେ ମା’ଙ୍କ ଶେଷକୃତ୍ୟ ଦେଖିଥିଲେ। ଆଜି ଯେବେ କୋକିଳାବେନ୍‌ ହସ୍ପିଟାଲ୍‌ରେ ସେ କୋଲନ ସଂକ୍ରମଣ ପାଇଁ ଭର୍ତି ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିଲେ ନିଜ ପତ୍ନୀ ସୁତାପାଙ୍କୁ ପାଖକୁ ‌ଡାକି କହିଥିଲେ, ଦେଖ ମତେ ଭେଟିବା ପାଇଁ ମୋ ମା’ ଆସିଛନ୍ତି। ମୋ ସହ ମୋ ମା’ ଏଇଠି ବସିଛନ୍ତି। ମା’ ମତେ ନେବା ପାଇଁ ଆସିଛନ୍ତି। ଇରଫାନଙ୍କ କଥା ଶୁଣି ସୁତାପା କାନ୍ଦି ପକାଇଥିଲେ। ଏହି କେଇପଦ କହିବା ପରେ ଆଖି ବୁଜିଥିଲେ ଇରଫାନ୍। ଚଳଚ୍ଚିତ୍ର ନିର୍ମାତା ସୁଜିତ ସର୍କାର ହିଁ ଇରଫାନଙ୍କ ପରଲୋକ ଖବର ଏକ ଟ୍ବିଟ୍‌ କରି ଜଣାଇଥିଲେ। ଯେବେ ୨୦୧୮ରେ ସେ କ୍ୟାନସର ରୋଗରେ ପୀଡ଼ିତ ହେବା କଥା ଜାଣିଲେ, ସେବେ କହିଥିଲେ ମୁଁ ସମର୍ପଣ କରିସାରିଛି। ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା, ସେ ବହୁତ ଦୃଢ଼ ଭାବେ କ୍ୟାନସର ସହ ଲଢ଼ୁଥିଲେ।

ପ୍ରଶଂସକଙ୍କୁ ଶେଷ ବାର୍ତା : ମୁଁ ଆପଣଙ୍କ ସହ ଅଛି ଓ ନାହିଁ ମଧ୍ୟ
ଜୀବନରେ ଅନେକବାର ବଡ଼ ସମସ୍ୟା ଆସେ, କିନ୍ତୁ ସକାରାତ୍ମକ ଭାବେ ବଞ୍ଚିବାକୁ ପଡ଼ିବ। ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଇରଫାନଙ୍କର ଥିଲା ଏହା ଶେଷ ବାର୍ତା। ଲକଡାଉନ ପୂର୍ବରୁ ମୁକ୍ତିଲାଭ କରିଥିବା ତାଙ୍କର ଶେଷ ଚଳଚ୍ଚିତ୍ର ‘ଅଂଗ୍ରେଜି ମିଡିୟମ’ର ପ୍ରଚାରରେ ଭାଗ ନେଇ ନ ପାରି ନିଜ ପ୍ରଶଂସକଙ୍କୁ ଏକ ବାର୍ତାରେ ସେ କହିଥିଲେ, ମୋ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ମୁଁ ଇରଫାନ୍‌….ଆଜି ମୁଁ ଆପଣଙ୍କ ସହ ଅଛି ଓ ନାହିଁ ମଧ୍ୟ। ମୋ ଶରୀର ମଧ୍ୟରେ ଗୋଟେ ଅଲୋଡ଼ା କୁଣିଆ ଆସି ବସିଛି। ତା’ ସହ କଥାବାର୍ତା ଚାଲିଛି। ଦେଖିବା କଥା କେତେବାଟ ଯାଉଛି। ଆପଣମାନଙ୍କ ପାଖେ ସକାରାତ୍ମକ ରହିବା ଛଡ଼ା ଆଉ କିଛି ବିକଳ୍ପ ହିଁ ନାହିଁ।

‘ସଲାମ୍‌ ବମ୍ବେ’ରୁ ‘ଅଂଗ୍ରେଜି ମିଡିୟମ୍‌’
ଅନେକ ଟେଲିଭିଜନ କାର୍ଯ୍ୟକ୍ରମରେ ପର୍ଦାକୁ ଆସିବା ପରେ ଇର୍ଫାନ୍ ମୀରା ନାୟାରଙ୍କ ନିର୍ଦେଶିତ ଫିଲ୍ମ ‘ସଲାମ୍‌ ବମ୍ବେ’ ରେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଯାହା ୧୯୮୮ରେ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ବିଭିନ୍ନ ଚରିତ୍ର ଅଭିନୟ ଅପେକ୍ଷା ସାଧାରଣ ମଣିଷର ଭୂମିକାରେ ସେ ଜୀବନ୍ତ ଅଭିନୟ କରୁଥିଲେ। ୧୯୯୦ରେ ଆସିଥିବା ତାଙ୍କ ଅଭିନୀତ ‘ଏକ ଡକ୍ଟର କୀ ମୌତ୍‌’, ୧୯୯୮ରେ ‘ସଚ୍‌ ଏ ଲଙ୍ଗ୍‌ ଜର୍ନି’ ଏବଂ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ଅଣଦେଖା ହୋଇ ରହିଯାଇଥିଲା। ତେବେ ୨୦୦୧ରେ ତାଙ୍କ ଭାଗ୍ୟ ଖୋଲିଥିଲା ଯେତେବେଳେ ଆସିଫ୍‌ କାପାଡିଆଙ୍କ ଡ୍ରାମା ‘ଦ ୱାରିଅର’ରେ ସେ ମୁଖ୍ୟ ଭୂମିକାରେ ଆସିଲେ। ଏହା ଭାରତ ସମେତ ସରହଦ ଡେଇଁ ଅନ୍ତର୍ଜାତୀୟ ଲୋକପ୍ରିୟତା ସାଉଁଟିଥିଲା। କିଛି ବର୍ଷ ପରେ ଶେକ୍‌ସପିୟରଙ୍କ ପ୍ରସିଦ୍ଧ ମ୍ୟାକ୍‌ବେଥ୍‌ ଉପନ୍ୟାସ ଆଧାରରେ ନିର୍ମିତ ଚଳଚ୍ଚିତ୍ର ‘ମକ୍‌ବୁଲ୍‌’ରେ ସେ ଏମିତି ଜୀବନ୍ତ ଅଭିନୟ କରିଥିଲେ, ଯାହା ହଇଚଇ ସୃଷ୍ଟି କରିଥିଲା। ୨୦୦୫ରେ ସେ ମୁଖ୍ୟ ଭୂମିକାରେ ଆସିଥିବା ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ମହେଶ ଭଟ୍ଟ ପ୍ରଯୋଜିତ ‘ରୋଗ୍‌’। ମୀରା ନାୟାରଙ୍କ ସହ ପୁଣି ସଂଯୋଗ ଘଟିଥିଲା ୨୦୦୬ରେ। ଏଥର ସେ ତାଙ୍କ ଚଳଚ୍ଚିତ୍ର ‘ଦ ନେମ୍‌ସେକ୍‌’ରେ ମୁଖ୍ୟ ଭୂମିକା ପାଇଥିଲେ। ଆମେରିକୀୟ ଟେଲିଭିଜନ ଶୋ ‘ଇନ୍‌ ଟ୍ରିଟ୍‌ମେଣ୍ଟ’ରେ ସେ ଦେଖାଦେବା ପରେ ବଡ଼ ବଡ଼ ଷ୍ଟୁଡିଓ ଓ ଚିତ୍ରନିର୍ମାତାମାନେ ତାଙ୍କୁ ଡାକିବାକୁ ଲାଗିଲେ। ୨୦୧୨ରେ ‘ଦ ଆମେଜିଙ୍ଗ୍‌ ସ୍ପାଇଡରମ୍ୟାନ୍’ରେ ଡକ୍ଟର ରଜିତ୍‌ ରଥ ଏବଂ ସେହି ବର୍ଷ ‘ଲାଇଫ୍‌ ଅଫ୍‌ ପାଏ’ରେ ସେ ମୁଖ୍ୟ ଭୂମିକାରେ ଆସିଥିଲେ, ଯାହା ବିଶ୍ୱରେ ୬୦ କୋଟି ଡଲାର ଆୟ କରିଥିଲା। ୪ଟି ଓସ୍କାର ଜିତିଥିଲା। ବର୍ଷେ ପରେ ତାଙ୍କ ଅଭିନୀତ ଭିନ୍ନ ସ୍ବାଦର ରୋମାଣ୍ଟିକ୍‌ ଚଳଚ୍ଚିତ୍ର ‘ଦ ଲଞ୍ଚବକ୍ସ’ରେ ଅନ୍ତର୍ଜାତୀୟ ସମାଲୋଚକ ସପ୍ତାହରେ ୨୦୧୩ରେ ପ୍ରଦର୍ଶିତ ହୋଇ ପରେ ସେଠାରେ ଦର୍ଶକଙ୍କ ପସନ୍ଦ ପୁରସ୍କାର ଜିତିଥିଲା। ‘ପାନ୍‌ସିଂ ତୋମାର’(୨୦୧୧)ରେ ଡକାୟତରୁ ରୂପାନ୍ତରିତ ଆଥଲେଟ୍‌ ଭୂମିକାକୁ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ଏବଂ ଫିଲ୍ମଫେୟାର କ୍ରିଟିକ୍‌ ପୁରସ୍କାର ମଧ୍ୟ ମିଳିଥିଲା ଶ୍ରେଷ୍ଠ ଅଭିନେତା ରୂପେ। ଏହା ପରେ ବ୍ୟାବସାୟିକ ସଫଳ ଚଳଚ୍ଚିତ୍ର ‘ହାଇଦର’(୨୦୧୪), ଗୁଣ୍ଡେ (୨୦୧୪), ପିକୁ (୨୦୧୫) ଏବଂ ତଲୱାର (୨୦୧୫) ଆସିଥିଲା। ୨୦୧୫ରେ ସେ ହଲିଉଡ୍‌ର ସୁପରହିଟ୍ ଚଳଚ୍ଚିତ୍ର ‘ଜୁରାସିକ୍‌ ୱାଲ୍‌ଡ’ ଚଳଚ୍ଚିତ୍ରରେ ଦ୍ୱିତୀୟ ମୁଖ୍ୟ ଭୂମିକାରେ ଆସିଥିଲେ। ୨୦୧୮ରେ କ୍ୟାନସର ପୀଡ଼ିତ ହେଲାବେଳେ ‘ଅଙ୍ଗ୍ରେଜୀ ମିଡିୟମ୍‌’ରେ ସେ ଶେଷଥର ପାଇଁ ଅଭିନୟ କରିଥିଲେ।

ଇରଫାନ୍‌ଙ୍କ କିଛି ଚର୍ଚ୍ଚିତ ଚଳଚ୍ଚିତ୍ର
ସଲାମ୍‌ ବମ୍ବେ (୧୯୮୮), ଏକ୍‌ ଡକ୍ଟର କି ମୌତ୍‌ (୧୯୯୦), ଦି ୱାରିଅର (୨୦୦୧), କସୁର (୨୦୦୧), ଦି ମିଥ୍‌ (୨୦୦୨), କାଲି ସାଲୱାର (୨୦୦୨), ଗୁନାହ (୨୦୦୨), ଫୁଟ୍‌ପାଥ୍‌ (୨୦୦୩), ମକ୍‌ବୁଲ (୨୦୦୩), ଚକ୍‌ଲେଟ୍‌ (୨୦୦୫) , ଦି କିଲର (୨୦୦୬), ଡେଡ୍‌ଲାଇନ୍‌: ସିର୍ଫ ୨୪ ଘଣ୍ଟେ (୨୦୦୬), ଏ ମାଇଟି ହାର୍ଟ (୨୦୦୭), ଲାଇଫ୍‌ ଇନ୍‌ ଏ ମେଟ୍ରୋ (୨୦୦୭), ଦି ନେମ୍‌ସେକ୍‌ (୨୦୦୭), ପାର୍ଟିସନ (୨୦୦୭), ସନ୍‌ଡେ (୨୦୦୮), ମୁମ୍ବାଇ ମେରି ଜାନ୍‌ (୨୦୦୮), ସ୍ଲମ୍‌ ଡଗ୍‌ ମିଲିୟନେୟାର (୨୦୦୮), ବିଲୁ (୨୦୦୯), ହିସ୍‌ (୨୦୧୦), ୟେ ସାଲି ଜିନ୍ଦେଗି (୨୦୧୧), ସାତ୍‌ ଖୁନ୍‌ ମାଫ୍‌ (୨୦୧୧), ଥ୍ୟାଙ୍କ୍‌ ୟୁ (୨୦୧୧), ପାନ୍‌ସିଂ ତୋମାର (୨୦୧୨), ଦି ଆମେଜିଂ ସ୍ପାଇଡର ମ୍ୟାନ୍‌ (୨୦୧୨), ବିୱି ଔର ଗ୍ୟାଙ୍ଗଷ୍ଟର ରିଟର୍ନ (୨୦୧୩), ଦି ଲଞ୍ଚ ବକ୍ସ (୨୦୧୩), ଗୁଣ୍ଡେ (୨୦୧୪), ହାଇଦର (୨୦୧୪), ଜୁରାସିକ ୱାର୍ଲଡ (୨୦୧୫), ତଲୱାର (୨୦୧୫), ଦି ଜଙ୍ଗଲ ବୁକ୍‌ (୨୦୧୬), ଇନ୍‌ଫର୍ଣ୍ଣୋ (୨୦୧୬), ମଦାରି (୨୦୧୬), ହିନ୍ଦୀ ମିଡିୟମ (୨୦୧୭), ବ୍ଲାକ୍‌ମେଲ (୨୦୧୮), ଅଂଗ୍ରେଜି ମିଡିୟମ (୨୦୨୦)।

ସମ୍ବନ୍ଧିତ ଖବର