ଓଡ଼ିଆ ଘରେ ବାରମାସରେ ତେର ପର୍ବ। ତା’ ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର। ଏମିତିରେ ରଜ ତିନିଦିନ, କିନ୍ତୁ ପାଳନ ହୁଏ ପାଞ୍ଚଦିନ। ପ୍ରଥମେ ସଜବାଜ, ତା’ପରେ ପହିଲି ରଜ, ରଜସଂକ୍ରାନ୍ତି, ଶେଷରଜ ଓ ବସୁମତୀସ୍ନାନ। ପ୍ରତି ଓଡ଼ିଆ ଘରେ ରଜ ଏକ ପାରିବାରିକ ମହୋତ୍ସବ। ଆଉ ଖାସ୍କରି ଝିଅବୋହୂଙ୍କୁ ଏହା ଦେଇଥାଏ ନିଆରା ଅନୁଭବ। ଯେହେତୁ ରଜରେ ଓଡ଼ିଆ ଘରେ ଚୁଲି ନଜଳିବା ପରମ୍ପରା ଥିଲା, ତେଣୁ ଘରର ମହିଳାମାନେ ସଜବାଜ ହୋଇ ତିନିଦିନ ମଉଜମଜଲିସ୍ କରୁଥିଲେ।
ପ୍ରଗତି ସାହୁ
ଦିନ ଥିଲା, ରଜରେ କୁଆଁରୀମାନେ ନୂଆ ପୋଷାକ ପିନ୍ଧି ପାଦରୁ ମଥା ପର୍ଯ୍ୟନ୍ତ ସଜବାଜ ହୋଇ ମଉଜ କରୁଥିଲେ। ସେତିକି ନୁହେଁ, ମକର, ବଉଳ, ସଙ୍ଗାତ ଭଳି ମଧୁର ସଂପର୍କରେ ବାନ୍ଧି ହୋଇଥିବା ସମବୟସୀ ସାଜସଜାରେ ଲାଗି ପଡୁଥିଲେ। ଯଦି କିଏ ଭଲ ଚନ୍ଦନ ଟିପା ଆଙ୍କୁଥିଲା ବା ଅଳତା ଲଗାଇ ପାରୁଥିଲା, ତେବେ ସାଇପଡ଼ିଶାର ଝିଅବୋହୂ ତା’ ପାଖେ ଧାଡ଼ି ବାନ୍ଧୁଥିଲେ। ସେହିପରି କିଏ ଯଦି ଭଲ ବେଣି ପାରୁଥିଲା କି କିଏ ଭଲରେ ଶାଢ଼ି ପିନ୍ଧାଇଦେଉଥିଲା, ତା’ର ବି ରାତାରାତି ଚାହିଦା ବଢ଼ି ଯାଉଥିଲା।
କିନ୍ତୁ ଆଜିକାଲି ଏସବୁ ଖୁବ୍ କମ୍ ଦେଖିବାକୁ ମିଳୁଛି। େଯୗଥପରିବାର ସଂଖ୍ୟା କମିବା ସହ ଏକକ ପରିବାର ବଢ଼ିବା ହେତୁ ରଜ ସଜବାଜ ପାଇଁ ଆମକୁ ଲୋଡ଼ା ପଡୁଛି ପାର୍ଲର୍। ଅନ୍ୟ ଅର୍ଥରେ, ଟଙ୍କା ଖର୍ଚ୍ଚ କରି ଆମକୁ ଶୃଙ୍ଗାର କିଣିବାକୁ ପଡୁଛି। ସବୁ ଜିନିଷ ଯେପରି କିଣାଯାଇ ପାରେନି ସେହିପରି ସଜବାଜ ସମୟର ହସଖୁସି ପାର୍ଲର୍ରେ ମିଳେନାହିଁ। ତଥାପି ପେସାଦାର ବିୟୁଟିସିଆନ୍ଙ୍କ ମାଧ୍ୟମରେ ଆମେ ରଜକୁ ବଜାୟ ରଖୁଛେ। ଚାହିଦାକୁ ଆଖିରେ ରଖି ରଜର ପ୍ରାୟ ୫ ଦିନ ଆଗରୁ ବିୟୁଟି ପାର୍ଲର୍ଗୁଡ଼ିକ ବିଭିନ୍ନ ଅଫର୍ ଦେବା ଆରମ୍ଭ କରିଦେଉଛନ୍ତି।
ପରିବାରରେ ରଜ ସଜବାଜ
ସମୟ ଥିଲା ଯେତେବେଳେ ରଜରେ ସଜବାଜ ଲାଗି ବ୍ୟବହୃତ ଅଧିକାଂଶ ସାମଗ୍ରୀ ଘରେ ପ୍ରସ୍ତୁତ ହେଉଥିଲା ଏବଂ ପରିବାରର ସଦସ୍ୟମାନେ ଝିଅମାନଙ୍କୁ ସଜ କରାଇ ଦେଉଥିଲେ। ଆସନ୍ତୁ, କ୍ରମଶଃ ଅଲୋଡ଼ା ହୋଇ ଯାଉଥିବା ଏହି ପରମ୍ପରାର ସ୍ମୃତିଚାରଣ କରିବା।
ରଜରେ ସ୍ନାନ ପରମ୍ପରା: ପହିଲି ରଜ ପୂର୍ବ ଦିନ ଘରର ଝିଅବୋହୂମାନେ କେଶ ଧୋଇ ପୂର୍ଣ୍ଣସ୍ନାନ କରୁଥିଲେ। ରଜ ତିନିଦିନ ଗାଧୋଇବା ପରମ୍ପରା ନଥିଲା, ତେଣୁ ସେମାନେ ପରବର୍ତ୍ତୀ ସ୍ନାନ ଚତୁର୍ଥ ଦିନରେ କରୁଥିଲେ। ଗାଧୁଆ ପୂର୍ବରୁ ତେଲ ଓ ହଳଦୀ ଲଗାଇବା ପ୍ରଚଳିତ ଥିଲା। ଏଥିପାଇଁ ପୂର୍ବରୁ କଞ୍ଚାହଳଦୀ ବଟା ହୋଇ ପ୍ରସ୍ତୁତ ହେଉଥିଲା। ଅଧିକାଂଶ ଘରେ ହଳଦୀକାଠୁଆ ସଜକରି ରଖାଯାଉଥିଲା। କେବଳ ସେତିକି ନୁହେଁ, ରଜ ସଜବାଜର ଅଂଶ ବିଶେଷ ଥିଲା ସୁଗନ୍ଧିତ ତୈଳ। ଏହି ସୁଗନ୍ଧିତ ତୈଳକୁ କୁହାଯାଉଥିଲା ଫୁଲୁରି ମାଲପା। ଘରେ ନଡ଼ିଆ ମରାଯାଇ ତେଲ ପ୍ରସ୍ତୁତ ହୋଇ ସେଥିରେ କର୍ପୁର, କେତକୀ, ଚମ୍ପା ଓ ମଲ୍ଲୀ ଆଦି ଫୁଲ ପକାଇ ସୁଗନ୍ଧିତ କରାଯାଉଥିଲା। ତେଲହଳଦୀ ଲଗାଇ ସ୍ନାନ ପରେ ଝିଅବୋହୂମାନେ ନବବସ୍ତ୍ର ପରିଧାନ କରୁଥିଲେ। ଏପରି ସ୍ନାନ ହେତୁ ତିନିଦିନ ପର୍ଯ୍ୟନ୍ତ ସେମାନେ ସତେଜ ରହୁଥିଲେ। ଚନ୍ଦନ, କୁଙ୍କୁମ ଓ କଜ୍ଜଳ ସଜା: ସ୍ନାନ ପରେ ଆରମ୍ଭ ହେଉଥିଲା ଅସଲ ସଜବାଜ। ପିଲାଠୁ ଯୁବା ପର୍ଯ୍ୟନ୍ତ ରଜକୀମାନେ କପାଳରେ ଚନ୍ଦନ ଟିପା ଲଗାଉଥିଲେ।
ପରିବାରର ମା’, ମାଉସୀ, ଭାଉଜ, ପିଉସୀ ଭଳି ସଂପର୍କୀୟମାନେ ଆକର୍ଷଣୀୟ ଶୈଳୀରେ ଚନ୍ଦନ ଟିପା କରୁଥିଲେ। ଏହାକୁ ନେଇ ଝିଅମାନଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଚାଲୁଥିଲା- କାହାର ସାଜ ସବୁଠୁ ସୁନ୍ଦର? ପରମ୍ପରା ଅନୁସାରେ, ତିନି ଦିନରେ ତିନି ପ୍ରକାର ଶୈଳୀରେ ଚନ୍ଦନ ଲଗାଯାଏ। ପ୍ରଥମ ଦିନ ରେଖ ଚନ୍ଦନ, ଦ୍ବିତୀୟ ଦିନ କମ ଚନ୍ଦନ ଓ ଶେଷଦିନ ପଟି ଚନ୍ଦନ। କପାଳରେ ଚନ୍ଦନ ସହ କୁଙ୍କୁମ ମଧ୍ୟ ବ୍ୟବହାର ହୋଇଥାଏ। ଝିଅବୋହୂମାନେ ରଜରେ ଆଖିରେ କଳା ଲଗାଇବା ପରମ୍ପରା ବି ଥିଲା। ସେତେବେଳେ ବଜାରରେ କଜ୍ଜଳ ମିଳୁ ନଥିଲା। ତେଣୁ ଘେର ବୟସ୍କ ମହିଳାମାନେ କଳାପାରି ରଖୁଥିଲେ। ଘିଅଦୀପ ଜାଳି, ସେଥିରେ କଂସା ଘୋଡ଼ାଇ କଳା ପ୍ରସ୍ତୁତ ହେଉଥିଲା। ଏହି କଳାକୁ କଜଳପାତିଆରେ ସାଇତି ରଖାଯାଉଥିଲା। ଏହା ମୁଖମଣ୍ଡଳର ସୌନ୍ଦର୍ଯ୍ୟବୃଦ୍ଧି କରୁଥିବା ବେଳେ ଆଖିକୁ ଥଣ୍ଡା ରଖୁଥିଲା।
/sambad/media/media_files/2025/06/14/ZlceApOQroKniYOUbeAH.jpg)
ନାଲି ଅଳତାରୁ ରଙ୍ଗିନ ରିବନ: ରଜରେ ଝିଅବୋହୂଙ୍କ ପାଦରୁ ନେଇ ମଥା ପର୍ଯ୍ୟନ୍ତ ସଜବାଜ ବାରି ହୋଇ ପଡୁଥିଲା। ଗାଧୁଆ ପରେ କେଶ ଶୁଖାଇ ସେମାନେ ବେଣି ଆଉ ଖୋଷା କରୁଥିଲେ। ସାନଝିଅମାନଙ୍କୁ ଘରର ମହିଳାମାନେ ବେଣି ପକାଇ କେଶବିନ୍ୟାସ କରୁଥିଲେ। ପୁଣି ବେଣି ଅଗରେ ନାଲି କିମ୍ବା ରଙ୍ଗବେରଙ୍ଗର ରିବନ ବାନ୍ଧି ଫୁଲ ପକାଇ ଦେଉଥିଲେ। ଏହା ଏକ ଲୋକପ୍ରିୟ ଶୈଳୀ ଥିଲା। କିଏ ଡବଲ୍ ବେଣି କଲାବେଳେ ଆଉ କିଏ କରୁଥିଲେ ଖଜୁରି ବେଣି। ଘରର ବୋହୂ ଓ ବୟସ୍କାମାନେ ଖୋଷା ପାରି କେଶ ସଜାଉଥିଲେ।
ପାଦରେ ଅଳତା ନାଇବା ବିନା ରଜ ସଜବାଜ ଅପୂର୍ଣ୍ଣ। ପରିବାରରେ ବଡ଼ମାନେ ଝିଅଙ୍କୁ ଅଳତା ଲଗାଇ ଦେଉଥିଲେ। ପୁଣି ଏଥିପାଇଁ ସ୍ବତନ୍ତ୍ର ଲୋକଥିଲେ, ଯେଉଁମାନେ ଘରକୁ ଆସି ଝିଅବୋହୂଙ୍କୁ ଅଳତା ଲଗାଇ ଦେଉଥିଲେ। ଅଳତା ଲଗାଇବାରେ ବି କଳାତ୍ମକତା ଥିଲା। କିଏ ଲତା ଆଙ୍କୁଥିଲା ତ କିଏ ଡାଳି, ପୁଣି କିଏ ଫୁଲ ପକାଉଥିଲା ତ କିଏ କୁମ୍ଭ। ଦାନ୍ତକାଠିରେ ତୁଳା କିମ୍ବା କନାଗୁଡ଼ାଇ ତୂଳୀ ପ୍ରସ୍ତୁତ କରି ସେଥିରେ ଅଳତା ଲଗାଯାଉଥିଲା। ସଜବାଜ ପରେ ନୂଆ ଶାଢ଼ି ପରିଧାନ କରି ଗୁଆଖୋଳପା ପିନ୍ଧି ଝିଅମାନେ ରହୁଥିଲେ। ସାମାଜିକ ପରମ୍ପରାରେ ରଜବତୀ ନାରୀଙ୍କୁ ଯେପରି ଛୁଇଁବା ଅନୁମତି ନଥିଲା, ସେହିପରି ମାଟି ମା’ ରଜବତୀ ହୋଇଥିବାରୁ ତାଙ୍କୁ ସ୍ପର୍ଶ ନକରିବା ପାଇଁ ଝିଅଙ୍କ ପାଦ ଭୂଇଁେର ପଡୁ ନଥିଲା। ସମୟ ସହିତ ତାଳଦେଇ ପରିବର୍ତ୍ତନ ଆସିଛି। ପରିବର୍ତ୍ତନ ନାମରେ ଆମେ ଏସବୁ ପରମ୍ପରାକୁ ପାସୋରି ସାରିଲେଣି। ଝିଅମାନେ ଏକାଠି ହୋଇ ପୋଖରୀ ଓ ନଦୀକୁ ଗାଧୋଇ ଯାଉଥିଲେ। ସେମାନଙ୍କ ଭିତରେ ସଙ୍ଗପଣ ଓ ସମୂହଭାବ ରହୁଥିଲା, ଯାହାକି ଆଉ ନାହିଁ। ଏକକ ପରିବାରରେ ସମସ୍ତେ ଏବେ ଏକଲା। ଗାଁରେ ଘର ଘର ବୁଲି ପିଠାପଣା ଖାଇବାର ପରମ୍ପରା ଥିଲା, କିନ୍ତୁ ଆଜିକାଲି ଆଉ ସେସବୁ ନାହିଁ। ଅନେକ ପୁରୁଣା ପରମ୍ପରା ଧୀରେ ଧୀରେ ଲୋପ ପାଇଗଲାଣି ବୋଲି କହନ୍ତି ସଂସ୍କୃତି ଗବେଷକ ତଥା ପ୍ରାବନ୍ଧିକ ବୈଷ୍ଣବଚରଣ ମହାନ୍ତି।
ପାର୍ଲର୍ରେ ରଜ ସଜ
ପୁରୁଣା ପରମ୍ପରା ସିନା ନାହିଁ, କିନ୍ତୁ ଏବେ ବି ରଜ ଆସିଲେ ଝିଅମାନଙ୍କ ଖୁସି କହିଲେ ନସରେ। ନିଜକୁ ସଜେଇବା ପାଇଁ ସେମାନେ ୧୫ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। କିଏ କେଶକୁ ନେଇ ଯତ୍ନବାନ୍ ହୋଇଥାଏ ତ କିଏ ମୁହଁ ଓ ନଖକୁ ନେଇ। ଏ ନେଇ ହେଆର୍ ହାକର୍ ବିୟୁଟି ସେଲୁନ୍ର ସ୍ବତ୍ବାଧିକାରୀ ଜିତେନ୍ଦ୍ର ଠାକୁର୍ କହନ୍ତି, ‘‘ଗ୍ରାହକଙ୍କ ଚାହିଦାକୁ ନେଇ ରଜ ବେଳେ ଆମେ ବିଭିନ୍ନ ପ୍ରକାର ଅଫର୍ ଆଣୁ। ରଜକୁ ନେଇ ନେଲ୍ ଆର୍ଟ ଓ ନେଲ୍ ଏକ୍ସ୍ଟେନ୍ସନ୍ର ମୂଲ୍ୟ ୩୦୦୦ ଟଙ୍କାରୁ କମାଇ ୧୭୦୦ ଟଙ୍କା ରଖାଯାଇଛି। ଏହି ଅବସରରେ କେଶରେ ଅଧିକ ଟ୍ରିଟ୍ମେଣ୍ଟ୍ ଦିଆଯାଉଛି। ଲରିଅଲ୍ ବ୍ରାଣ୍ଡ୍ର କେଶ ସ୍ମୁଥ୍ନିଂର ଦାମ୍ ୩୫୫୫ଟଙ୍କା ରହିଛି। ଏଥିରେ ଗୋଟେ ଫେସିଆଲ୍, ହେଆର୍ ସ୍ପା ଓ ଚୁଟି କଟା ମାଗଣା ଦିଆଯାଉଛି। ନାନୋପ୍ଲାଷ୍ଟିଆ ଫ୍ଲୋରାକ୍ଟିଭ୍ ଦର ୫୯୯୯ଟଙ୍କା ହୋଇଥିବାବେଳେ ଏଥିରେ ଡିଟ୍ୟାନ୍ ପରି ସେବା ମାଗଣା ଦିଆଯାଉଛି।’’
ରଜରେ ମେହେନ୍ଦି ଡିଜାଇନର୍ଙ୍କ ଚାହିଦା ବି ଜୋର୍। ଆଜିକାଲି ଝିଅଙ୍କର ଅଧିକ ପ୍ରିୟ ଆରୋବିକ୍ ମେହେନ୍ଦି। ଏଥିରେ ଅଳ୍ପ କାମ ଓ ସୁନ୍ଦର ଡିଜାଇନ୍ ରହିଥାଏ। ମେହେନ୍ଦିରେ ୩୦ ପ୍ରତିଶତ ରିହାତି ଦେଉଛି ହେୟାର୍ ହାକର୍। ବର୍ତ୍ତମାନ ହର୍ବାଲ୍ େମହେନ୍ଦିର ବ୍ୟବହାର ସବୁଠି। ଏହାର ରଙ୍ଗ ହାତରୁ ଛାଡ଼ିଲାବେଳେ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଏ। ଅଳତା ପ୍ରାୟତଃ ଘରେ ଲଗାଯାଇଥାଏ। ଯଦି ଗ୍ରାହକଙ୍କ ଚାହିଦା ରହୁଛି ତେବେ ବିୟୁଟି ପାର୍ଲର୍ରେ ଅଳତାରେ ବିଭିନ୍ନ ଡିଜାଇନ୍ ସହିତ ଗୋଡ଼ରେ ମେହେନ୍ଦି ଲଗାଯାଉଛି। ପାର୍ଲର୍ମାନେ ରଜ ପ୍ୟାକେଜ୍ରେ ମୁହଁରେ ହାଲୁକା ମେକ୍ଅପ୍ ସହ ଶାଢ଼ି ପିନ୍ଧା, ଲେହେଙ୍ଗା ପିନ୍ଧା ସେବା ବି ଦେଉଛନ୍ତି। ଖାସ୍କରି ରଜ ସ୍ପେସାଲ୍ ପ୍ୟାକେଜ୍ରେ ହେଆର୍ ଷ୍ଟାଇଲ୍, ଶାଢ଼ି ପିନ୍ଧା ଓ ହାଲୁକା ମେକ୍ଅପ୍ ଅନ୍ତର୍ଭୁକ୍ତ ରହୁଛି, ଯାହାର ଦାମ୍ ମାତ୍ର ୧୭୦୦ ଟଙ୍କା।
ରଜ ସଜକୁ ନେଇ ଭୁବନେଶ୍ବର ନେଚୁରାଲ୍ ସେଲୁନ୍ର ମୁଖ୍ୟ ଲୋପାମୁଦ୍ରା ପ୍ରଧାନ କହନ୍ତି, ‘‘ରଜ ହେଉଛି ଓଡ଼ିଶାର ପର୍ବ। ତେଣୁ ପ୍ରତିଟି ସେବା ଉପରେ ୫୦ ପ୍ରତିଶତ ରିହାତି ଦେଉଛୁ। ଜଣେ ଯଦି ୨ ହଜାର ଟଙ୍କାର କାମ କରାଉଛନ୍ତି, ତେବେ ୧୦୦୦ ଟଙ୍କାର ମାଗଣା ସେବା ଦିଆଯାଉଛି। ପୂର୍ବରୁ ଘରେ ସଜବାଜ ହେଉଥିଲେ, କିନ୍ତୁ ଏବେ ଝିଅମାନେ ରଜ ପୂର୍ବରୁ ଆସି କେଶର ଯତ୍ନ ନେଉଛନ୍ତି। ତେଣୁ ବ୍ଲୋ ଡ୍ରାଏ ସେଟିଙ୍ଗ୍, ହେଆର୍ ଷ୍ଟାଇଲିଂ, ସ୍ମୁଥିଙ୍ଗ୍, କେରାଟିନ୍ ଆଦି ଟ୍ରିଟ୍ମେଣ୍ଟ୍ କରାଯାଉଛି। ଏହାର ଦାମ୍ ୫୦୦ ଟଙ୍କାରୁ ଆରମ୍ଭ କରି ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।’’ ରଜ ବେଳେ ଝିଅମାନେ ହାଲୁକା ମେକଅପ୍ ସହିତ କେଶରେ ବିଭିନ୍ନ ଡିଜାଇନ୍ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କେଶ ଷ୍ଟ୍ରିକିଂ କରିବା ବା କେଶ ରଙ୍ଗ କରିବା ଅଧିକାଂଶ ଝିଅଙ୍କ ପସନ୍ଦ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/14/BS5c8pB6HBxxvLB804lW.jpg)