ଚଳିତ ବର୍ଷ ଜୁନ ୨୮ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଅଗଷ୍ଟ ୨୬ପର୍ଯ୍ୟନ୍ତ ଜାରି ରହିବ। ଅମରନାଥ ଗୁମ୍ଫା କାଶ୍ମୀରର ବରଫ ପାହାଡ଼ ମଝିରେ ରହିଛି । ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଅମରନାଥ ଏକ ପ୍ରମୁଖ ତୀର୍ଥସ୍ଥଳୀ । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କୁ ଦେଖିବା ପାଇଁ ଅମରନାଥ ଯାତ୍ରା କରିଥାନ୍ତି । କେବଳ ହିନ୍ଦୁ ଧର୍ମର ଲୋକ ନୁହେଁ ବରଂ ମୁସଲିମ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଅମରନାଥ ଯାତ୍ରା ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ମୁସଲିମ ସମୁଦାୟ ନା କେବଳ ଏହି ଯାତ୍ରାରେ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ସାହାର୍ଯ୍ୟ କରିଥାନ୍ତି ବରଂ ଏମାନଙ୍କ ସୁରକ୍ଷାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏପରିକି ଅମରନାଥ ଯାତ୍ରା ସହିତ ଜଡ଼ିତ କିଛି ଲୋକକଥାରେ ମଧ୍ୟ ମୁସଲିମମାନଙ୍କ ବିଷୟରେ ଅନେକ ଥର କୁହାଯାଇଛି ।

Advertisment

publive-image

ଲୋକକଥା ଅନୁଯାୟୀ, ଅମରନାଥ ଗୁମ୍ଫାକୁ ବୁଟା ମାଲିକ ନାମକ ଏକ ମୁସଲିମ ବ୍ୟକ୍ତି ଖୋଜି ବାହାର କରିଥିଲେ। ବୁଟା ମାଲିକ ପ୍ରତିଦିନ ନିଜର ଛେଳି, ମେଣ୍ଢା ଅମରନାଥ ଗୁମ୍ଫା ନିକଟରେ ଥିବା ପାହାଡ଼ ପାଖରେ ଚରାଉଥିଲେ କିନ୍ତୁ ହଠାତ ତାଙ୍କର ଜଣେ ସାଧୁଙ୍କ ସହ ଭେଟ ହୋଇଥିଲା । ସାଧୁ ଜଣକ ତାଙ୍କୁ ଏକ କୋଇଲା ଭର୍ତ୍ତି ବ୍ୟାଗ ଦେଇଥିଲେ । ଯାହାକୁ ବୁଟା ନିଜ ଘରେ ଖୋଲିବା ପରେ ତାହା ସୁନା ମୁଦ୍ରା ବୋଲି ଜାଣିବାକୁ ପାଇଥିଲେ । ଏହାପରେ ବୁଟା ମାଲିକ ସାଧୁଙ୍କୁ ଧନ୍ୟବାଦ ଦେବାକୁ ଗୁମ୍ଫା ନିକଟରେ ପହଞ୍ଚିଥିଲେ କିନ୍ତୁ ସାଧୁଙ୍କର ଦର୍ଶନ ପାଇ ନଥିଲେ । ତେଣୁ ବୁଟା ମାଲିକ ଗୁମ୍ଫା ଭିତରେ ସାଧୁ ଥିବା ଭାବି ଭିତରକୁ ଯିବା ପରେ ବରଫର ଶିବଲିଙ୍ଗ ଦେଖିବାକୁ ପାଇଥିଲେ । ଯାହା ଗୁମ୍ଫା ମଧ୍ୟରେ ଚମକୁଥିଲା । ଗୁମ୍ଫାରୁ ଫେରି ବରଫର ଶିବଲିଙ୍ଗ କଥା ଗାଁ ଲୋକଙ୍କୁ କହିଥିଲେ ବୁଟା ମାଲିକ । ତେବେ କିଛି ଦିନ ପରେ ପୁଣିଥରେ ବରଫର ଶିବ ଲିଙ୍ଗଟି ଉଭେଇ ଯାଇଥିଲା । ଏହି ଘଟଣାର ଠିକ୍‌ ତିନି ବର୍ଷ ପରେ ଆରମ୍ଭ ହୋଇଥିଲା ପ୍ରଥମ ଅମରନାଥ ଯାତ୍ରା । ସେବେଠାରୁ ଅମରନାଥ ଯାତ୍ରା ଚାଲି ଆସୁଛି । ଏବେ ମଧ୍ୟ ବୁଟା ମାଲିକଙ୍କ ବଂଶଜ ଏହି ଗୁମ୍ଫା ଓ ଶିବଲିଙ୍ଗର ରକ୍ଷାଣବେକ୍ଷଣ କରୁଛନ୍ତି ।

publive-image

ଅନ୍ୟ ଏକ ଲୋକକଥା ଅନୁଯାୟୀ, ଅମରନାଥ ଗୁମ୍ଫାରେ ବରଫରେ ଆପଣାଛାଏଁ ଉଭା ହୋଇଥିବା ଶିବଲିଙ୍ଗ ପୂଜା ପାଇଥାନ୍ତି । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷରେ ଥରେ ମାତ୍ର ଆର୍ବିଭାବ ହୋଇଥାନ୍ତି। ତାହା ବି ମାତ୍ର ଅଳ୍ପ କିଛି ଦିନ ପାଇଁ । ତେବେ ପାହାଡ଼ ଭିତରେ ଶିବଙ୍କ ପ୍ରତିମୂର୍ତ୍ତି ଆର୍ବିଭାବ ହେବା ପଛରେ ଅନେକ କାହାଣୀ ରହିଛି । ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଅମରନାଥ ଗୁମ୍ଫାରେ ମା’ ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଇଥିଲେ । ଏହି ସମୟରେ ଏକ ପାରା ଯୋଡ଼ି ମଧ୍ୟ ଉକ୍ତ ଗୁମ୍ଫାରେ ବାସ କରୁଥିଲେ । ମାତା ପାର୍ବତୀଙ୍କୁ ଶିବ ଅମର ମନ୍ତ୍ର ଶୁଣାଉଥିବା ବେଳେ ପାରା ଦୁଇଟି ମଧ୍ୟ ଅମରମନ୍ତ୍ର ଶୁଣି ନେଇଥିଲେ । ଅମର ମନ୍ତ୍ର ଶୁଶିବା ପରେ ଦୁଇଟି ପାରା ସବୁଦିନ ପାଇଁ ଅମର ହୋଇଯାଇଥିଲେ। ଆଜି ପର୍ଯ୍ୟନ୍ତ ଏହି ଦୁଇ ପାରାଙ୍କୁ ଅମରନାଥ ଗୁମ୍ଫାରେ ଦେଖିବାକୁ ମିଳନ୍ତି। ଅମରନାଥ ଗୁମ୍ଫାର ମହତ୍ୱ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ ।