ଗାଡ଼ିମୋଟର ନିର୍ମାତାମାନେ ଦିନକୁ ଦିନ ସୁନ୍ଦର ତଥା ଆକର୍ଷଣୀୟ ଯାନ ଗ୍ରାହକଙ୍କୁ ଭେଟି ଦେଉଥିବା ବେଳେ ଫିନ୍ଲାଣ୍ଡର ଏକ ମୋଟର କମ୍ପାନି ଏକ କିମ୍ଭୂତକିମାକାର ବିଦ୍ୟୁତ୍ଚାଳିତ ଯାନ ନିର୍ମାଣ କରିଛି। ଏହା ବର୍ତ୍ତମାନ ଉପଲବ୍ଧ ଯେ କୌଣସି ଅଲ୍ ଟେରାନ୍ ଭେହିକଲ୍ (ଏଟିଭି) ବା ସବୁପ୍ରକାର ରାସ୍ତାରେ ଚାଲିପାରୁଥିବା ଯାନଠାରୁ ଉନ୍ନତତର ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହାର ମୁଖ୍ୟ ଶରୀରର ବିଶାଳକାୟ ଚେହେରା ଭିତରେ ପାରମ୍ପରିକ ଯନ୍ତ୍ରାଂଶ ସବୁ ରହିଥିବା ବେଳେ ତାହା ତଳେ ୧୮ଟି ଅତି କ୍ଷୁଦ୍ର ଚକ ଖଞ୍ଜାଯାଇଛି। ପ୍ରତି ଚକର ନିଜସ୍ବ ସସ୍ପେନ୍ସନ୍ ବ୍ୟବସ୍ଥା ରହିଥିବାରୁ ଖାଲଖମା, ଉଠାଣି ଗଡ଼ାଣି, ମସୃଣ କି ପଥୁରିଆ ରାସ୍ତାରେ ମଧ୍ୟ ତାହା ଅନାୟାସରେ ଗତି କରିପାରୁଛି।
ରାସ୍ତାରେ ପଡ଼ିଥିବା ବିରାଟ ପଥର କି କାଠଗଣ୍ଡି ପରି କୌଣସି ପ୍ରତିବନ୍ଧକୁ ମଧ୍ୟ ଏହା ଦ୍ରୁତ ବେଗରେ ଡେଇଁ ଯାଇପାରିବ ବୋଲି କୁହାଯାଇଛି। ଏହି ୧୮-ଚକିଆ ଯାନର କ୍ଷୁଦ୍ର ଚକଗୁଡ଼ିକ ଯୋଗୁଁ ଗାଡ଼ିଟି ପ୍ରତିବନ୍ଧ ଅତିକ୍ରମ କଲାବେଳେ ଚାଳକକୁ ଖୁବ୍ କମ୍ ଆଘାତ ଜଣାପଡ଼ିଥାଏ। ଏହି ଉପାଦେୟ ଯାନଟିର ପରୀକ୍ଷାମୂଳକ ତଥା ବ୍ୟାବହାରିକ ନିର୍ମାଣ ସରିଥିବା ବେଳେ ଏହାର ବ୍ୟାବସାୟିକ ସଂସ୍କରଣ ଆସନ୍ତା ଅକ୍ଟୋବରରେ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।