ତିରୁପୁର: ତିରୁପୁରର ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ କରିଥିବା କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ୩ବର୍ଷୀୟ ଶିଶୁର ଦେହ ଭୀଷଣ ଖରାପ ହେବା ପରେ ତୁରନ୍ତ ଚିକିତ୍ସା ଦରକାର ହୋଇଥିଲା। ଯାହା ବିଷୟରେ ଜାଣି ଚାଳକ ଜଣକ ୭୦ମିନିଟରେ ୯୦କିଲୋମିଟ ଅତିକ୍ରମ କରି ଶିଶୁକୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଭେଲାକୋଲିରୁ ବାହାରି କୋଏମ୍ବାଟୁର ମେଡ଼ିକାଲ କଲେଜ ହସ୍ପିଟାଲରେ ସେ ୭୦ମିନିଟରେ ପହଞ୍ଚିବା ଖବର ଏବେ ଚାରିଆଡ଼େ ପ୍ରସାର ହେବା ସହ ଲୋକେ ଚାଳକଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

Advertisment

ଚାଳକଙ୍କ ନାଁ ଏସ୍ ଆକାଶ(୨୧) ବୋଲି ଜଣା ପଡ଼ିଥିବା ବେଳେ ସେ ପୂରା ଘଟଣା ବିଷୟରେ ଜଣାଇଛନ୍ତି। ଏହା ସହ ଶିଶୁକୁ ଡାକ୍ତରଖାନାରେ ପହଞ୍ଚାଇବା ପରେ ସେ ନିଜ ଆମ୍ବୁଲାନ୍ସ ଆଗରେ ଠିଆ ହୋଇ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆକାଶଙ୍କ କହିବା ମୁତାବକ, ଶିଶୁକୁ ଭୀଷଣ ଜ୍ବର ହୋଇଥିବା ବେଳେ ତାକୁ ପାଖ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କୋଏମ୍ବାଟୁର ମେଡ଼ିକାଲ କଲେଜ ହସ୍ପିଟାଲକୁ ନେବା ପାଇଁ କହିବା ସହ ମୋତେ ଆମ୍ବୁଲାନ୍ସ ଯୋଗେ ଛାଡ଼ିବା ପାଇଁ କହିଥିଲେ। ତୁରନ୍ତ ଶିଶୁଟି ଡାକ୍ତରଖାନାରେ ପହଞ୍ଚିବା ଦରକାର ବୋଲି ଡାକ୍ତର କହିବା ପରେ ଆମେ ୭ଟାରେ ଡାକ୍ତରଖାନା ଛାଡ଼ିଥିଲୁ।  ପ୍ରାୟ ୭୦ମିନିଟ ମଧ୍ୟରେ ୮ଟା ୧୦ମିନିଟରେ ଆମ୍ବୁଲାନ୍ସ ଯାଇ କୋଏମ୍ବାଟୁର ମେଡ଼ିକାଲ କଲେଜ ହସ୍ପିଟାଲ ପହଞ୍ଚିଥିଲା ବୋଲି କହିଛନ୍ତି ଆକାଶ। ଏବେ ଶିଶୁଟିର ଅବସ୍ଥା ସ୍ଥିର ଥିବା ସହ ଚିିକିତ୍ସା ଚାଲୁ ରହିଥିବା ଜଣା ପଡ଼ିଛି।