ନୂଆଦିଲ୍ଲୀ: ବିହାରର ଜଣେ ଯୁବକ ବିଳମ୍ବିତ ରାତିରେ ଶ୍ମଶାନରେ ଭିଡିଓ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି। ଏହି କାମ ପାଇଁ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଭଲ ଦୁଇପଇସା ରୋଜଗାର ବି କରି ପାରୁଛନ୍ତି।
ଏହି ଯୁବକଙ୍କ ନାମ ହେଉଛି ଅମିତ ପାଣ୍ଡେ। ସେ ବିହାରର ଏକ ମଧ୍ୟବିତ୍ତ ପରିବାରର ସଦସ୍ୟ। ତାଙ୍କ ବାପାଙ୍କର ଏକ ଛୋଟ ଦୋକାନ ରହିଛି। ପିଲାଟି ଦିନରୁ ତାଙ୍କ ପରିବାରଲୋକ ଚାହୁଁଥିଲେ କି ସେ ସରକାରୀ ଚାକିରି କରନ୍ତୁ। ପରିବାରଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ସେ ବହୁତ ପାଠ ବି ପଢ଼ିଲେ। ତାଙ୍କ ସହିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କ ସରକାରୀ ଚାକିରି ହୋଇଗଲା। କିନ୍ତୁ ତାଙ୍କର ହେଲା ନାହିଁ। ଏପରି ଭାବେ ସେ ତିନିବର୍ଷ ସରକାରୀ ଚାକିରି ପାଇଁ ଚେଷ୍ଟା କରିଥିଲେ। ଅସଫଳ ହେବା ପରେ ଅମିତ ଅନ୍ୟ କିଛି କରିବାକୁ ସ୍ଥିର କରିଥିଲେ।
ଏହି ଘଟଣାକୁ ନେଇ ଅମିତ କହନ୍ତି, ‘ମୋର ସିନେମା ଷ୍ଟାର ହେବାକୁ ବହୁତ ଇଚ୍ଛା ଥିଲା। ମୋର ଏହି ସ୍ବପ୍ନକୁ ପୁରା କରିବା ପାଇଁ ମୁମ୍ବାଇ ଆସିଥିଲି।। ଛୋଟଛୋଟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲି। କିନ୍ତୁ ଭଉଣୀଠାରୁ ଜାଣିବାକୁ ପାଇଲି କି ମା’ ମୋତେ ମନେ ପକାଇ ଖାଉନାହିଁ। ତେଣୁ ମୁଁ ଘରକୁ ଚାଲି ଆସିଲି।’
ଏହି ସମୟରେ ଗାଁର ଜଣେ ସାଙ୍ଗ ୟୁଟ୍ୟୁବ ଭିଡିଓ କରି ଟଙ୍କା ପାଉଥିବା ମୁଁ ଜାଣିବାକୁ ପାଇଲି। ଏହାପରେ ମୁଁ ବି ୟୁଟ୍ୟୁବ ଭିଡିଓ କରିବା ଆରମ୍ଭ କଲି।
ପ୍ରଥମେ ପ୍ରଥମେ ଭାବିଲି କି ବିଷୟବସ୍ତୁକୁ ନେଇ ଭିଡଓ କରିବି। ଏମିତି ଭାବୁଭାବୁ ଗାଁ ନିକଟରେ ଥିବା ଶ୍ମଶାନକୁ ନେଇ ଭିଡିଓ କଲି। ଦେଖିଲି ପ୍ରଥମରୁ ଲୋକେ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ଧରଣର ଭିଡିଓ କରିବା ଆରମ୍ଭ କଲି। ରାତି ୧୨ଟା ,୨ଟା ଓ ୩ଟାରେ ଭୂତ କୋଠି, ଶ୍ମଶାନ ଆଦି ସ୍ଥାନକୁ ଯାଇ ଭିଡିଓ କଲି। ଏହି ସ୍ଥାନକୁ ଲୋକେ ଦିନରେ ବି ଯିବାକୁ ଭୟ କରି ଥାଆନ୍ତି। ତେବେ ଏତେ ଦିନ ଭିଡିଓ କରିବା ଅନୁଭୂତିରୁ କହିବି ଏତେ ରାତିରେ ଶ୍ମଶାନ ଓ ଭୂତ କୋଠିକୁ ଯାଉଥିଲେ ବି ଆଜି ଯାଏଁ ମୋର କିଛି ଅସୁବିଧା ହୋଇନାହିଁ।
ଭିଡିଓ କରୁଥିବା ସମୟରେ ଶ୍ମଶାନର କେତେବେଳେ କେମିତି ଏକ ଛାଇ ଦେଖା ଯାଇଥାଏ ତ କେତେ ବେଳେ କିଛି ଶବ୍ଦ ଶୁଣିବାକୁ ମିଳିଥାଏ। ତେବେ ଏସବୁ ବାସ୍ତବରେ ଭୂତ ନା ପଶୁପକ୍ଷୀଙ୍କ ଛାଇ ଓ ଶବ୍ଦ ମୁଁ ନିଶ୍ଚିତ ନୁହେଁ। ୟୁଟ୍ୟୁବ ଦେଖୁଥିବା ଲୋକେ ଏହାକୁ ଦେଖି ଭୂତ-ପ୍ରେତ ବୋଲି କହୁଥିବା ବେଳେ ଅାଉ କିଛିଲୋକ ଏହାକୁ ପଶୁପକ୍ଷୀଙ୍କ ଛାଇ ଓ ଶବ୍ଦ ବୋଲି କହିଥାଆନ୍ତି।’
‘ଭୂତ-ପ୍ରେତଙ୍କ ପାଇଁ ମୁଁ ଭଲ ଦୁଇ ପଇସା ରୋଜଗାର କରି ଖୁସି ଅଛି। ବାପା, ମା’ ଓ ଭଉଣୀଙ୍କ ଆବଶ୍ୟକତାକୁ ପୂରଣ କରୁଛି। ପ୍ରଥମେ ଏଭଳି କାମ କରିବାକୁ ପରିବାରଲୋକ ବାରଣ କରୁଥିଲେ। କିନ୍ତୁ ମୋର ରୁଚିକୁ ଦେଖି ସେମାନେ ଏବେ ମୋତେ ସମର୍ଥନ କରୁଛନ୍ତି ବୋଲି କହନ୍ତି ୟୁଟ୍ୟୁବର ଅମିତ ପାଣ୍ଡେ।
Follow Us