ବିଜ୍ଞାନର ଅଗ୍ରଗତି ମନୁଷ୍ୟ ଶରୀରର ବିକାଶ ପାଇଁ ପର୍ଯ୍ୟାପ୍ତ ଅବଦାନ ଯୋଗାଇଥିବା ବେଳେ ଏହା ମନୁଷ୍ୟ ସୃଷ୍ଟି କରିବାରେ ତଥାପି ସଫଳ ହୋଇପାରିନାହିଁ। ମାନବଠୁ ଅଧିକ ବିଜ୍ଞ ରୋବଟ୍‌ ବିକଶିତ ହୋଇପାରିଛି, ମାତ୍ର ସଂପୂର୍ଣ୍ଣ କୃତ୍ରିମ ଭାବରେ ଏକ ମନୁଷ୍ୟ କଳେବର ସୃଷ୍ଟି କରିବା ସମ୍ଭବ ହୋଇନାହିଁ। ଆଜିକାଲି କୃତ୍ରିମ ପ୍ରଜନନ ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି, ତେବେ ସେଭଳି ଅତ୍ୟାଧୁନିକ ପ୍ରକ୍ରିୟା ପାଇଁ ଶୁକ୍ରାଣୁ ଓ ଡିମ୍ବାଣୁ ଅପରିହାର୍ଯ୍ୟ। ଏ ପରିପ୍ରେକ୍ଷୀରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଦଳେ ଗବେଷକ କୌଣସି ଶୁକ୍ରାଣୁ ଓ ଡିମ୍ବାଣୁ ବ୍ୟବହାର ନକରି ସୁଦ୍ଧା ମନୁଷ୍ୟର ଷ୍ଟେମ୍‌ କୋଷରୁ ଭ୍ରୂଣ ସୃଷ୍ଟି କରି ବୈପ୍ଳବିକ ଉପଲବ୍‌ଧି ହାସଲ କରିଛନ୍ତି। ଏହି ଭ୍ରୂଣଗୁଡ଼ିକ ବିକାଶର ପ୍ରାରମ୍ଭିକ ଅବସ୍ଥାରେ ଅବିକଳ ମନୁଷ୍ୟର ପ୍ରାକୃତିକ ଭ୍ରୂଣ ଭଳି ଜଣାପଡୁଥିବା ବେଳେ ସେଥିରେ ଅଦ୍ୟାବଧି ମସ୍ତିଷ୍କ କି ସ୍ପନ୍ଦନକାରୀ ହୃତ୍‌ପିଣ୍ଡ ବିକଶିତ ହୋଇନାହିଁ।

Advertisment

ଗବେଷକମାନେ ଏହାକୁ ଭିତ୍ତି କରି ମହିଳାମାନଙ୍କ ଠାରେ ଦେଖାଦେଉଥିବା ପୁନଃପୌନିକ ଗର୍ଭପାତର କାରଣ ଖୋଜିବେ ବୋଲି ଆଶା ରଖିଛନ୍ତି। ମାତ୍ର ଏଥିପାଇଁ ସେମାନଙ୍କୁ ଗମ୍ଭୀର ନୀତିଗତ ତଥା ଆଇନଗତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି କାରଣ କୃତ୍ରିମ ଭ୍ରୂଣକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରିବା ବେଆଇନ। ତେବେ ଗବେଷକମାନଙ୍କର ଏହି ପଦକ୍ଷେପ କ୍ଲୋନିଂ ପ୍ରକ୍ରିୟାରେ ମନୁଷ୍ୟ ସୃଷ୍ଟି କରିବାର ପ୍ରଥମ ପାହାଚ ବୋଲି ଅନେକ ଏହାକୁ ସ୍ବାଗତ କରିଛନ୍ତି।