ଦୁଇ ବା ଅଧିକ ଲୋକ ମିଶି ଅନ୍ୟ ଜଣେ ଅନୁପସ୍ଥିତ ଲୋକର ବ୍ୟକ୍ତିଗତ କଥା ଚର୍ଚ୍ଚା କରିବା ଖରାପ ବୋଲି ଅନେକ ଲୋକ ବିଶ୍ବାସ କରନ୍ତି। ନିଜର କିଛି କାମ ନ ଥିଲେ ହିଁ ଲୋକେ ପର ଚର୍ଚ୍ଚା କରନ୍ତି ବୋଲି ଏକ ଧାରଣା ରହିଆସିଛି। ତଥାପି ବନ୍ଧୁବାନ୍ଧବଙ୍କ ସହ ଏଭଳି ଚର୍ଚ୍ଚା କରି ବେଳେ ବେଳେ ଆନନ୍ଦ ମିଳିଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପର ଚର୍ଚ୍ଚା ସେତେ ହାନିକାରକ ନୁହେଁ, ବରଂ ସାମାଜିକ ସମ୍ପର୍କ ସ୍ଥାପନରେ ଏହାର କେତେକ ସକାରାତ୍ମକ ଦିଗ ରହିଛି।
୨୦୧୯ର ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଲୋକମାନେ ଅନ୍ୟମାନଙ୍କ ବିଷୟରେ ଚର୍ଚ୍ଚା କରିବାରେ ଦିନକୁ ହାରାହାରି ଏକ ଘଣ୍ଟା ବ୍ୟୟ କରନ୍ତି। ଏଭଳି ଏକ ସାମାଜିକ ଅଭ୍ୟାସ ବିଷୟରେ ଅଧିକ ଜାଣିବା ପାଇଁ ଷ୍ଟାନ୍ଫୋର୍ଡ ଓ ମାରିଲ୍ୟାଣ୍ଡ୍ ବିଶ୍ବବିଦ୍ୟାଳୟ ଦ୍ବାରା ନିକଟରେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ପର ଚର୍ଚ୍ଚା ଆମକୁ ପାରିପାର୍ଶ୍ବିକ ପରିବେଶକୁ ବୁଝିବାରେ ସାହାଯ୍ୟ କରିଥାଏ। ଏହାଦ୍ବାରା ଜଣେ ବ୍ୟକ୍ତିର ସାମାଜିକ ଖ୍ୟାତି ପ୍ରସାରିତ ହୋଇଥାଏ, ଏହା ଲୋକଙ୍କୁ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ, ଘନିଷ୍ଠତା ବଢ଼ାଏ ଏବଂ ସମବୟସ୍କମାନଙ୍କ ମଧ୍ୟରେ ମତବିନିମୟକୁ ଉତ୍ସାହିତ କରେ। ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଚର୍ଚ୍ଚା ଗୁରୁତ୍ବପୂର୍ଣ୍ଣ, କାରଣ ଜଣେ ନୂଆ ବ୍ୟକ୍ତି ସହ ମିଶିବା ଏବଂ ତାଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ଉଚିତ କି ନୁହେଁ ସେ ନେଇ ଜରୁରୀ ସୂଚନା ଏଭଳି ଚର୍ଚ୍ଚାରୁ ମିଳିଥାଏ। ତେବେ ଏହି ସୂଚନା ଠିକ୍ ଓ ସତ୍ୟନିଷ୍ଠ ହେବା ଗୁରୁତ୍ବପୂର୍ଣ୍ଣ; ତା’ହେଲେ ଯାଇ ଏହାର ସାମାଜିକ ଉଦ୍ଦେଶ୍ୟ ପୂରଣ ହୋଇଥାଏ। ତେଣୁ ପର ଚର୍ଚ୍ଚାକୁ ଏକ ଘଣ୍ଟା ମଧ୍ୟରେ ସୀମିତ ରଖିପାରିଲେ ଏହି ଅଭ୍ୟାସକୁ ମନ୍ଦ ବୋଲି ଆଉ କହିହେବ ନାହିଁ!
ପର ଚର୍ଚ୍ଚା ଦିନକୁ ଘଣ୍ଟାଏ ଲାଭଦାୟକ!
/sambad/media/post_attachments/wp-content/uploads/2024/03/ghhfhhfh.jpg)