ପୃଥିବୀର ବିଭିନ୍ନ କୋଣରେ ଅନନ୍ୟ ପରମ୍ପରାମାନ ଦେଖିବାକୁ ମିଳିଥାଏ ଯାହା ଐତିହାସିକ, ଭୌଗୋଳିକ ଓ ସାମାଜିକ କାରଣ ଦ୍ବାରା ରୂପ ନେଇଥାଏ। ଏହି କ୍ରମରେ ଅନେକ ସ୍ଥାନ ସ୍ବତନ୍ତ୍ର ଜୀବନଶୈଳୀ ପାଇଁ ଅଭିନବ ପରିଚୟ ସୃଷ୍ଟି କରିପାରିଛନ୍ତି। ସେଥି ମଧ୍ୟରେ ୟୁନାଇଟେଡ୍ କିଂଡମ୍ର ଉନ୍ଷ୍ଟ ଦ୍ବୀପ ଅନ୍ୟତମ। ସ୍କଟ୍ଲାଣ୍ଡ୍ର ସେଟ୍ଲାଣ୍ଡ୍ ଦ୍ବୀପପୁଞ୍ଜ ଅନ୍ତର୍ଗତ ଉନ୍ଷ୍ଟରେ ପାଖାପାଖି ୬୦୦ ଅଧିବାସୀ ବସବାସ କରନ୍ତି। ସ୍କଟ୍ଲାଣ୍ଡ୍ର ମୁଖ୍ୟ ସ୍ଥଳଭାଗରୁ ୨୧୨ ମାଇଲ୍ ଦୂରରେ ଅବସ୍ଥିତ ଏହି ଦ୍ବୀପଟିର ବିଶେଷତ୍ବ ହେଲା ସେଠାରେ ଗୋଟିଏ ହେଲେ ଟ୍ରାଫିକ୍ ବତି ନାହିଁ। ଦ୍ବୀପର ସମସ୍ତ ଅଧିବାସୀ ପରସ୍ପର ସହ ବେଶ୍ ଘନିଷ୍ଠ। ବେଳେ ବେଳେ ବଜାରରେ ଏତେ ସଂଖ୍ୟକ ଲୋକ ଦେଖାଯା’ନ୍ତି, ଯାହା ଦ୍ବୀପର ମୋଟ ଲୋକସଂଖ୍ୟାକୁ ମଧ୍ୟ ବଳିଯାଏ।
ଏହି ଦ୍ବୀପର ରାସ୍ତାମାନଙ୍କରେ କୌଣସି ଟ୍ରାଫିକ୍ ଆଲୁଅ ବ୍ୟବସ୍ଥା ତ ନାହିଁ ତା’ ସାଙ୍ଗକୁ ଦ୍ବୀପ ବାହାରକୁ ଯିବା ଲାଗି କୌଣସି ରାସ୍ତା ନାହିଁ। ଲୋକେ ଅନ୍ୟ ଦ୍ବୀପକୁ ଯିବା ପାଇଁ ଡଙ୍ଗାର ଆଶ୍ରୟ ନେଇଥା’ନ୍ତି। ଦୁଇଟି ପୋତାଶ୍ରୟ ହିଁ ଏହି ବିଚ୍ଛିନ୍ନ ସମ୍ପ୍ରଦାୟ ପାଇଁ ଜୀବନରେଖା। ବିଶେଷଜ୍ଞମାନଙ୍କ ପାଇଁ ଉନ୍ଷ୍ଟର ଏହି ବୈଶିଷ୍ଟ୍ୟଗୁଡ଼ିକ ଆକର୍ଷଣୀୟ ହୋଇଥିବା ବେଳେ ଅନ୍ୟତ୍ର ମଧ୍ୟ ଅନୁରୂପ ଦ୍ବୀପ ରହିଥିବା ଜଣାଯାଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆବିଷ୍କୃତ ଏକ ଦ୍ବୀପ ମଧ୍ୟ ବୈଜ୍ଞାନିକମାନଙ୍କୁ ବିବ୍ରତ କରିଛି। ‘ସ୍ୟାଣ୍ଡି ଦ୍ବୀପ’ ବା ‘ ଫାଣ୍ଟମ୍ ଦ୍ବୀପ’ ନାମରେ ପରିଚିତ ଉକ୍ତ ଦ୍ବୀପାଞ୍ଚଳ ଏକ ଦଶନ୍ଧି ଧରି ଗୁଗଲ୍ ମାନଚିତ୍ରରୁ ବେଳେ ବେଳେ ଉଭାନ ହୋଇଯାଉଛି ତ ବେଳେ ବେଳେ ପୁଣି ଦେଖାଦେଉଛି।