ନୂଆଦିଲ୍ଳୀ: ପାକିସ୍ତାନରୁ ନିଜ ପ୍ରେମିକ ସଚିନ ମୀନାଙ୍କ ପାଖକୁ ଧାଇଁ ଆସିଥିବା ସୀମା ହାଇଦର ନିକଟ ଅତୀତରେ ‘ମୁଁ ନୁହେଁ, ମୋ ମୃତଦେହ ପାକିସ୍ତାନ ଯିବ’ ବୋଲି ବୟାନ ଦେଇଥି‌ଲେ। ପ୍ରେମ ପାଇଁ ଭାରତ ଆସିଥିବା କଥା ସୀମା କହିବା ସହ ଆଉ କେବେ ପାକିସ୍ତାନ ଫେରିବେ ନାହିଁ ବୋଲି ବି ପ୍ରକାଶ କରିଥିଲେ। ସୀମାଙ୍କୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଖବର ପ୍ରକାଶ ପାଇବା ପରେ ଏବେ ଏବେ ଏକ ନୂଆ କଥା ସାମ୍ନାକୁ ଆସୁଛି। ତାହା ହେଉଛି ସୀମାଙ୍କୁ ଫାଶୀ ଦଣ୍ଡାଦେଶ କଥା!

Advertisment

ସୀମା ହାଇଦର ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଚାରିମାସ ପୂର୍ବେ କରାଚୀ ନିବାସୀ ସୀମା ନେପାଳ ସୀମା ଦେଇ ଭାରତ ଆସିଥିଲେ। ସେ ନିଜେ ଭାରତ ଆସିବା ସହ ତାଙ୍କ ଚାରି ପିଲାଙ୍କୁ ବି ସାଙ୍ଗରେ ଆଣିଥିଲେ। ସେବେଠାରୁ ସେ ସଚିନ ମୀନାଙ୍କ ସହ ରହୁଛନ୍ତି। ପିଲାମାନେ ମଧ୍ୟ ସଚିନ୍ ମୀନାଙ୍କ ସହିତ ଅଛନ୍ତି।

ସୀମା ହାଇଦରଙ୍କ ଅନୁଯାୟୀ ସେ ସଚିନ ମୀନାଙ୍କୁ ବିବାହ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ତାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦରଙ୍କଠାରୁ ଧମକ ପାଇଛନ୍ତି। ସୀମାଙ୍କ ସ୍ବାମୀ ଗୁଲାମ କହିଛନ୍ତି ଯେ ବର୍ତ୍ତମାନ ସେ ସୀମା ହାଇଦରଙ୍କୁ ଫାଶୀ ଦଣ୍ଡ ଦେବେ, କାରଣ ସୀମା ତାଙ୍କର ନିଜ ପିଲାମାନଙ୍କୁ ଚକ୍ରାନ୍ତ କରି ଭାରତକୁ ନେଇଯାଇଛନ୍ତି। ଗୁଲାମ ଆହୁରି ବି କହିଛନ୍ତି କି ଯଦି ସୀମାଙ୍କୁ ଫାଶୀ ନହୁଏ ତ ତାଙ୍କ ପିଲାମାନେ ବଡ଼ ‌ହୋଇ ସୀମାଙ୍କର ପ୍ରତିଶୋଧ ନେବେ। ଗୁଲାମ ହାଇଦରଙ୍କ ଅନୁଯାୟୀ ସେ ଓକିଲଙ୍କ ସହ କଥା ହୋଇଛନ୍ତି ଏବଂ ସୀମାଙ୍କ ବିରୋଧରେ ଯଥାଶୀଘ୍ର ଆଇନଗତ ପଦକ୍ଷେପ ନେବାକୁ ସେମାନେ ଯୋଜନା କରୁଛନ୍ତି। ସୀମାଙ୍କ ବ୍ୟତୀତ ଗୁଲାମ ସଚିନଙ୍କୁ ମଧ୍ୟ ନିଜର ଟାଗ‌େର୍ଟ କରିଛନ୍ତି।

ଗୁଲାମ ହାଇଦର ସାଉଦି ଆରବରେ ରହନ୍ତି। ସେଠାରୁ ସେ ବିଭିନ୍ନ ଉପାୟରେ ସୀମାଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବେଳେବେଳେ ସେ ୟୁଟ୍ୟୁବର୍ସଙ୍କୁ ସାକ୍ଷାତକାର ଦେଉଛନ୍ତି ଏବଂ ବେଳେବେଳେ ସେ କ୍ରୋଧିତ ହୋଇ ନିଜେ ଭିଡିଓ ରିଲିଜ୍ କରୁଛନ୍ତି।