ବୃଦ୍ଧାବସ୍ଥାରେ ଅଟୋ ଚଳାଇ ପୋଷୁଛନ୍ତି ପରିବାର; ନାତୁଣୀ ପାଠପଢ଼ା ପାଇଁ ବିକ୍ରି କରି ଥିଲେ ଘର, ସାହାଯ୍ୟରେ ମିଳିଲା ୨୪ଲକ୍ଷ ଟଙ୍କା

ମୁମ୍ବାଇ: ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ଦୁଃଖକୁ ଯିଏ ଶୁଣୁଥିଲା ତା’ ଆଖିରେ ଲୁହ ଜକେଇ ଆସୁଥିଲା। ତାଙ୍କର ଏହି ଦୁଃଖ କାହାଣୀ ପୋଷ୍ଟ ହେବାପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହାପରେ ବୃଦ୍ଧଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସିଥି‌ଲେ। ବୃଦ୍ଧଙ୍କୁ ଏଯାବତ ୨୪ଲକ୍ଷ ଟଙ୍କାର ସାହାଯ୍ୟ ମିଳିଛି। ଏହି ସାହାଯ୍ୟ ପାଇ ବୃଦ୍ଧ ଜଣକ ବହୁତ ଖୁସି ଅଛନ୍ତି।

ନାଁ ତାଙ୍କର ଦେଶରାଜ। ଅକାଳରେ ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧାବସ୍ଥାରେ ପରିବାର ବୋଝ ମୁଣ୍ଡାଇବାକୁ ପଡ଼ିଲା। ଅଟୋ ଚଳାଇ ବୋହୂ ଓ ନାତୁଣୀଙ୍କ ଦାୟିତ୍ବ ନିଜ ଉପରକୁ ନେଲେ।  ମୁମ୍ବାଇ ଖାର ନିକଟରେ ଦେଶରାଜଙ୍କୁ ଅଟୋ ସହ ଦେଖିବାକୁ ମିଳେ।

ଦେଶରାଜ କହନ୍ତି, ‘ମୋର ବଡ ପୁଅର ମୃତ୍ୟୁ ପରେ ମୋର ଜୀବନର ଗୋଟିଏ ଭାଗ ସମାପ୍ତ ହୋଇଯାଇଥିଲା।

देशराज

ପରିବାର ଦାୟିତ୍ବ ମୋ ଉପରେ ଥିବାରୁ ଘରେ ବସି ଆଖିରୁ ଲୁହ ଗଡେଇବା ପାଇଁ ସମୟ ନଥିଲା। ମନରେ କଷ୍ଟକୁ ଜାବୁଡ଼ି ଧରି ଅଟୋ ଚଲାଇବା ପାଇଁ ରାସ୍ତାକୁ ଓହ୍ଲାଇ ଥିଲି। ଏତିକିରେ ମୋର ଦୁଃଖ ସରି ନଥିଲା । ବଡ଼ ପୁଅର ମୃତ୍ୟୁର ଦୁଇ ବର୍ଷ ପରେ ମୋର ସାନ ପୁଅ ବି ଆତ୍ମହତ୍ୟା କରିଥିଲା। ଦୁଇ ପୁଅଙ୍କୁ ହରାଇବା ପରେ ବୋହୂ ସହିତ ୪ଜଣ ପିଲାଙ୍କ ଭାର ମୋ ଉପ‌ରେ ପଡ଼ିଥିଲା। କାମ କରି କରି ଶରୀର ଥକି ପଡ଼ୁଥିବା ସ‌ତ୍ତ୍ବେ ସେମାନଙ୍କ ପେଟକୁ ଦିମୁଠା ଦାନା ଦେବା ପାଇଁ ମୋତେ  ଅଟୋ ଚଳାଇ ଦୁଇ ପଇସା ରୋଜଗାର କରିବାକୁ ହୋଇଥାଏ।

ଅର୍ଥ ଅଭାବରୁ ନାତୁଣୀ ନବମ ଶ୍ରେଣୀରେ ପଢ଼ୁଥିବା ବେ‌ଳେ ପାଠପଢ଼ା ଛାଡ଼ି ଦେଇଥିଲା। କିନ୍ତୁ ମୁଁ ତାକୁ ପାଠପଢ଼ା ଜାରି ରଖିବାକୁ କହିଥିଲି। ଯେତେ ଇଚ୍ଛା ସେତେ ପଢ଼ିବାକୁ ଆଶ୍ୱାସନା ଦେଇଥିଲି।

ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସକାଳ ୬ଟାରୁ କାମରେ ଯାଇଥାଏ ଯେ ଘରକୁ ଫେରିଲା ବେଳକୁ ରାତି ହୁଏ। ମାସକୁ ୧୦ହଜାର ଟଙ୍କା ରୋଜଗାର ହୋଇପାରିଥାଏ। ଏଥିମଧ୍ୟରୁ ନାତିନାତୁଣୀଙ୍କ ପାଠପଢ଼ା ପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଥାଏ। ବାକି ୪ ହଜାରରେ ଟଙ୍କାରେ ୭ଜଣ ଲୋକ ଚଳି ଥାଉ।

ଯେତେବେଳେ ମୋର ନାତୁଣୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ହାସଲ କରିଥିଲା ମୁଁ ବହୁତ ଖୁସି ହୋଇଯାଇଥିଲି। ସେଦିନ ମୁଁ ମାଗଣାରେ ଯାତ୍ରୀଙ୍କୁ ଅଟୋ ସେବା‌ ଯୋଗାଇ ଥି‌ଲି। ନାତୁଣୀ ବିଇଡି ପାଠପଢ଼ା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିଲା। ଏଥିପାଇଁ ମୋ ପାଖରେ ଟଙ୍କା ନଥିବାରୁ ମୁଁ ବାଧ୍ୟ ହୋଇ ଘର ବିକି ନାତୁଣୀର ଫିସ ଭରିଥିଲି। ଘର ବିକ୍ରି କରିବା ପରେ ପତ୍ନୀ, ପୁତ୍ରବଧୂ ଏବଂ ନାତୁଣୀଙ୍କୁ ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲି। ମୁୁଁ ଜାଣିଛି ମୋ ନାତୁଣୀ ଦିନେ ନା ଦିନେ ଭଲ ଶିକ୍ଷୟିତ୍ରୀ ଟିଏ ହେବ। ସେଦିନ ମୋର ସବୁ କଷ୍ଟ ଦୂର ହୋଇଯିବ।

देशराज

ଏମିତି ଏକ ବର୍ଷ ବିତିଗଲାଣି । ମୁଁ ମୋ ଅଟୋରେ ଖାଇଥାଏ ଓ ଶୋଇଥାଏ। ଦିନବେଳା ଯାତ୍ରୀଙ୍କୁ ଅଟୋ ସେବା ଯୋଗାଇଥାଏ। ଗୁଞ୍ଜନ ରତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦେଶରାଜଙ୍କ ପାଇଁ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ଯେଉଁଥିରେ ସେ ୨୭୬ଜଣ ଦାତାଙ୍କଠାରୁ ୫.୩ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ କରିଥିବା ଜଣାପପଡ଼ିଥିଲା।

ଦେଶରାଜଙ୍କ ସଂଘର୍ଷମୟ କାହାଣୀକୁ ପ୍ରଥମେ ‘ହ୍ୟୁମାନ୍ସ ଅଫ ବମ୍ବେ’ ନାମକ ପେଜ ପ୍ରଥମେ ସେୟାର କରିଥିଲେ। ଏହା‌ପରେ କଂଗ୍ରେସର ଅର୍ଚ୍ଚନା ଡାଲମିଆ ବୃଦ୍ଧଙ୍କ ଏହି ସଂଘର୍ଷମୟ କାହାଣୀକୁ ଟ୍ୱିଟରରେ ପୋଷ୍ଟ କରିଥିଲେ ଏବଂ ମିଲିନ୍ଦ ଦେଓରା ଏହାକୁ ରିଟ୍ୱିଟ କରିଥିଲେ। ଡାଲମିଆ ଏହି ଅଟୋ ଡ୍ରାଇଭରଙ୍କ ଫୋନ୍ ନମ୍ବର ସେୟାର କରି ତାଙ୍କୁ ସାହାଯ୍ୟ କରିବାକୁ ମୁମ୍ବାଇବାସୀଙ୍କୁ ଅନୁରୋଧ ବି କରିଥିଲେ।

ସମ୍ବନ୍ଧିତ ଖବର