ଜନ୍ମ ତାଙ୍କର ୧୯୨୦ ମସିହା ସେପ୍ଟେମ୍ବର ମାସରେ ଲାହୋରଠାରେ। ନାମ କମଳା। ପିତା ଗଣେଶ କପୁର ଥିଲେ ସହରର ଜଣେ ବିଖ୍ୟାତ ସର୍ଜନ। ମାତା ଲୀଳାବତୀ ଜଣେ ବିଶିଷ୍ଟ ସ୍ଥପତି ପରିବାରରୁ ଆସିଥିଲେ। ପିଲାଦିନରୁ ହିଁ କମଳାଙ୍କୁ ତାଙ୍କର ବାପା ପଠାଇ ଦିଅନ୍ତି ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନ, ଆଶ୍ରମ ପରିବେଶରେ ଶିକ୍ଷାଲାଭ କରିବା ପାଇଁ। ୧୯୩୯ ମସିହାରେ କୋଲକାତା ବିଶ୍ବବିଦ୍ୟାଳୟରୁ ସ୍ନାତକ ହେବା ପରେ ଖେମ୍ ଚୌଧୁରୀ ନାମକ ଜଣେ ଆଇସିଏସ୍ ଅଫିସର୍ଙ୍କ ସହ ପରିଣୟ ସୂତ୍ରରେ ଆବଦ୍ଧ ହୁଅନ୍ତି। ମାତ୍ର କିଛି ଦିନର ବୈବାହିକ ଜୀବନରେ ହଠାତ୍ ମାଡ଼ିଆସେ ବିପର୍ଯ୍ୟୟ। ୧୯୪୦ ମସିହା ପ୍ରାରମ୍ଭରେ ପଶ୍ଚିମ ସୀମାନ୍ତ ପ୍ରଦେଶରେ ଚାକିରି ସୂତ୍ରରେ ଥିବା ସମୟରେ ପାସ୍ତୁନ ଉପଜାତିର ଜଣେ ଆଦିବାସୀ ହାତରେ ସ୍ବାମୀ ହତ୍ୟାର ଶିକାର ହୁଅନ୍ତି। ଆଖି ଆଗରେ ସ୍ବାମୀଙ୍କର ହତ୍ୟା ଦେଖି ମାନସିକ ଅବସାଦକୁ ଚାଲିଯା’ନ୍ତି କମଳା। ସାନ୍ତ୍ବନା ଜଣାଇ ଚିଠି ଲେଖନ୍ତି ରବୀନ୍ଦ୍ରନାଥ ଏବଂ ତାଙ୍କର ପରାମର୍ଶ ଅନୁସାରେ ପୁଣି ପାଠ ପଢ଼ିବା ପାଇଁ ବିଶ୍ବବିଦ୍ୟାଳୟରେ ନାମ ଲେଖାନ୍ତି କମଳା। ୧୯୪୩ ମସିହାରେ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ୍.ଏ ପାସ୍ କରନ୍ତି। ଦୁଇବର୍ଷ ଲାହୋର ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା ପରେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରନ୍ତି। ୧୯୪୯ ମସିହାରେ ମିଚିଗାନ୍ ଷ୍ଟେଟ୍ ୟୁନିଭର୍ସିଟିରୁ ସୋସିଆଲ୍ ସାଇକୋଲଜିରେ ଡକ୍ଟରେଟ୍ ଡିଗ୍ରି ହାସଲ କରି ଭାରତକୁ ଫେରିଆସନ୍ତି। ଏହାପରେ ଅହମ୍ମଦାବାଦର ଡକ୍ଟର ବିକ୍ରମ ସରାଭାଇଙ୍କ ପ୍ରତିଷ୍ଠିତ ଅହମ୍ମଦାବାଦ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସୋସିଏସନ୍ରେ ମାନବ ସମ୍ପଦ ଉନ୍ନୟନ ବିଭାଗର ମୁଖ୍ୟ ଭାବରେ ଯୋଗଦିଅନ୍ତି।
ମୂଳତଃ ଶିଳ୍ପସଂସ୍ଥାଗୁଡ଼ିକରେ ଶ୍ରମିକ ଅସନ୍ତୋଷର ବିଜ୍ଞାନ ସମ୍ମତ କାରଣ ସମ୍ପର୍କରେ ଅନୁସନ୍ଧାନ କରୁଥିଲା ଏହି ପ୍ରତିଷ୍ଠାନ। ସୋସିଆଲ୍ ସାଇକୋଲଜିରେ ଡକ୍ଟରେଟ୍ କମଳା ଅହମ୍ମଦାବାଦର ସମସ୍ତ ଲୁଗାକଳ ବୁଲି ବୁଲି ଶ୍ରମିକମାନଙ୍କର ମନସ୍ତତ୍ତ୍ୱ ଓ ସେମାନଙ୍କର ସାମାଜିକ ପରିବେଶ ଅନୁଧ୍ୟାନ କରୁଥିଲେ। ତାଙ୍କର ଏହି ଅନୁସନ୍ଧାନ ଏକଦା ଶ୍ରମିକ ଓ ମାଲିକଙ୍କ ସମ୍ପର୍କରେ ଯଥେଷ୍ଟ ଉନ୍ନତିସାଧନ କରିବାକୁ ସକ୍ଷମ ହୋଇଥିଲା। ସାମଗ୍ରିକ ଭାବରେ କାରଖାନାଗୁଡ଼ିକରେ ଉତ୍ପାଦନ ହାର ବୃଦ୍ଧି ପାଇଥିଲା। ଏଭଳି ଭାବରେ ଦଶ ବର୍ଷ ଅତିବାହିତ ହେବାପରେ ୧୯୬୦ ମସିହାରେ ଦିଲ୍ଲୀ କ୍ଲଥ୍ ମିଲର୍ସ ସେମାନଙ୍କ ସଂସ୍ଥାରେ ଯୋଗ ଦେବାପାଇଁ ତାଙ୍କୁ ଆମନ୍ତ୍ରଣ କରନ୍ତି। କମଳା ମଧ୍ୟ ସମ୍ମତ ହୁଅନ୍ତି। ସେତିକିବେଳେ କମଳାଙ୍କ ଜୀବନରେ ଉଭା ହୁଅନ୍ତି ଡକ୍ଟର ବିକ୍ରମ ସରାଭାଇ। ବହୁ ପୂର୍ବରୁ ନିଜର ସ୍ତ୍ରୀ ମୃଣାଳିନୀଙ୍କର ଶାନ୍ତିନିକେତନର ସହପାଠିନୀ କମଳାଙ୍କ ପ୍ରତି ଏକ ଭିନ୍ନ ଆକର୍ଷଣ ଅନୁଭବ କରୁଥିଲେ। ଦେଶର ଜଣେ ବିଖ୍ୟାତ ପରମାଣୁବିଜ୍ଞାନୀ ବିକ୍ରମ ସରାଭାଇ କମଳାଙ୍କୁ ଆଖିରେ ରଖି ଏକ ଅଭିନବ ପରିକଳ୍ପନା କଲେ। ୧୯୬୧ ମସିହାରେ ସ୍ଥାନୀୟ ଶିଳ୍ପପତି, ଗୁଜରାଟ ସରକାର, ଫୋର୍ଡ ଫାଉଣ୍ଡେସନ୍ ଓ ହାଭାର୍ଡ ବିଜ୍ନେସ୍ ସ୍କୁଲର ଯୌଥ ଉଦ୍ୟୋଗରେ ଗଢ଼ି ତୋଳିଲେ ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ଯାହା ଆଜି ଭାରତବର୍ଷର ଏକ ଅଗ୍ରଣୀ ବିଜ୍ନେସ୍ ସ୍କୁଲ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ, ଅହମ୍ମଦାବାଦ।
ଏକ ନିଃସର୍ତ୍ତ ପ୍ରେମର ସ୍ମାରକୀ ଭାବେ ଗଢ଼ି ଉଠିଛି ଭାରତର ଏକ ନାଁକରା ଶିକ୍ଷାନୁଷ୍ଠାନ ଆଇଆଇଏମ୍, ଅହମ୍ମଦାବାଦ। ଅନମନୀୟା ଡାକ୍ତର କମଳା ଚୌଧୁରୀଙ୍କ କୁଶଳୀ ପରିଚାଳନା ଓ ଜୀବନବ୍ୟାପୀ ସାଧନା ଏହି ଅନୁଷ୍ଠାନକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଆଢ଼ୁଆଳରେ ରହିଯାଇଛି ତାଙ୍କର ଶ୍ରମ ଓ ପ୍ରେମ।
୧୯୬୨ ମସିହା ଜୁଲାଇ ମାସରେ ଡକ୍ଟର କମଳା ଚୌଧୁରୀ ଆଇଆଇଏମ୍ ଅହମ୍ମଦାବାଦର ଅଧ୍ୟାପିକା ଓ ଶିକ୍ଷା ସଂଯୋଜକ ଭାବରେ ଯୋଗଦେଲେ। ଏଠାରେ ତିନି ବର୍ଷ ରହି ସେ ସବୁପ୍ରକାରର ପ୍ରଶାସନିକ ସିଦ୍ଧାନ୍ତ ନେଇଥିଲେ। ଯଦିଓ କାଗଜ କଲମରେ ବିକ୍ରମ ସରାଭାଇ ଥିଲେ ଏହି ଅନୁଷ୍ଠାନର ସର୍ବୋଚ୍ଚ କର୍ତ୍ତା କିନ୍ତୁ ତାହା ଥିଲା କେବଳ ନାମକୁ ମାତ୍ର। ଏହି ତିନି ବର୍ଷ ମଧ୍ୟରେ କମଳାଙ୍କର ସବୁଠାରୁ ବଡ଼ ଅବଦାନ, ସେଠାରେ ଥ୍ରି-ଟାୟାର୍ଡ ପ୍ରୋଗ୍ରାମ୍ ଫର୍ ମ୍ୟାନେଜମେଣ୍ଟ ଡେଭଲପ୍ମେଣ୍ଟ (୩ଟିପି) ପାଠ୍ୟକ୍ରମର ଆରମ୍ଭ କରିବା। ଆଜି ମଧ୍ୟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ୩ଟିପି କୋର୍ସ ଜନପ୍ରିୟ। ପରବର୍ତ୍ତୀ କାଳରେ ସେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମନୋନିବେଶ କରନ୍ତି। କେସ୍ ଷ୍ଟଡି କରିବା ପାଇଁ ବାଛି ନିଅନ୍ତି ଇଉନିଲିଭର୍ ସହ ବିଭିନ୍ନ ବହୁଦେଶୀୟ ସଂସ୍ଥାମାନଙ୍କୁ। ଏସବୁ ସତ୍ତ୍ୱେ ଆଇଆଇଏମ୍, ଅହମ୍ମଦାବାଦରେ କେବଳ ମହିଳା ବୋଲି ଡାଇରେକ୍ଟର୍ ପଦ ପାଇଁ ତାଙ୍କର ଆବେଦନକୁ ଅଗ୍ରାହ୍ୟ କରାଯାଏ। ମୂଳତଃ ଆପତ୍ତି ଆସିଥିଲା ହାଭାର୍ଡଠାରୁ, କାରଣ ସେପର୍ଯ୍ୟନ୍ତ ସେଠାରେ କୌଣସି ମହିଳାଙ୍କୁ ଏମ୍ବିଏ ପଢ଼ିବା ପାଇଁ ନାମ ଲେଖାଇବାର ଅନୁମତି ଦିଆଯାଉନଥିଲା। କମଳାଙ୍କ ଆବେଦନକୁ ଅଗ୍ରାହ୍ୟ କରି ରବି ମାଥାଇ ନାମକ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା; ଯାହାଙ୍କର ଡକ୍ଟରେଟ୍ ଡିଗ୍ରି ମଧ୍ୟ ନଥିଲା। ପରବର୍ତ୍ତୀ କାଳରେ ନିଜର ସ୍ମୃତି କଥାରେ କମଳା ଲେଖିଛନ୍ତି- “ମୋର ଏବେବି ମନେ ଅଛି, ହାଭାର୍ଡରେ ମୋ ସହ ମାତ୍ର ୨/୩ଜଣ ମହିଳା ସହକର୍ମୀ ଥିଲେ। କାରଣ ସେତେେବଳେ ହାଭାର୍ଡରେ କୌଣସି ମହିଳାଙ୍କୁ ନିଯୁକ୍ତି ମିଳୁନଥିଲା। ମହିଳାଙ୍କୁ ଆଡ୍ମିସନ୍ ପାଇଁ ମତେ ବହୁତ କସରତ କରିବାକୁ ପଡ଼ିଛି।”
୧୯୭୨ ମସିହାରେ ଏକ ରହସ୍ୟମୟ ପରିସ୍ଥିତିରେ ବିକ୍ରମ ସରାଭାଇଙ୍କର ମୃତ୍ୟୁ ହୁଏ ଏବଂ କମଳା ଆଇଆଇଏମ୍ ଅହମ୍ମଦାବାଦ ସହିତ ସମ୍ପର୍କ ତ୍ୟାଗ କରନ୍ତି। ତେବେ ସମ୍ପର୍କ ଛିନ୍ନ କରିଥିଲେ ମଧ୍ୟ ଏମ୍ବିଏ ପ୍ରୋଗ୍ରାମ୍ରେ କିପରି ଅଧିକ ଛାତ୍ରୀ ଭର୍ତ୍ତି ହୋଇପାରିବେ ସେଥିପାଇଁ ସେ ସଂଗ୍ରାମ କରୁଥିଲେ। ଏକଦା ଟାଟା କମ୍ପାନିର ମ୍ୟାନେଜ୍ମେଣ୍ଟ କ୍ୟାଡର୍ ପାଇଁ ପ୍ରକାଶିତ ବିଜ୍ଞାପନରେ ଉଲ୍ଲେଖ କରାଯାଇଥିଲା- “ମହିଳାମାନେ ଆବେଦନ କରନ୍ତୁ ନାହିଁ”। ଏହାର ତୀବ୍ର ସମାଲୋଚନା କରି କମଳା ଜେ.ଆର୍.ଡି. ଟାଟାଙ୍କୁ ଚିଠି ଲେଖନ୍ତି ଏବଂ ବାଧ୍ୟ କରାନ୍ତି ସେହି ସର୍ତ୍ତ ପ୍ରତ୍ୟାହାର କରିବା ପାଇଁ। ଆଇଆଇଏମ୍ ଅହମ୍ମଦାବାଦରୁ ପଦତ୍ୟାଗ କରିବା ପରେ କମଳା ଫୋର୍ଡ ଫାଉଣ୍ଡେସନ୍ର ଭାରତୀୟ ଶାଖାର ଉପଦେଷ୍ଟା ଭାବରେ ନିଯୁକ୍ତ ହୁଅନ୍ତି। ସେ ନାସ୍ନାଲ୍ ୱେଷ୍ଟଲାଣ୍ଡସ୍ ଡେଭେଲପ୍ମେଣ୍ଟ ବୋର୍ଡର ମୁଖ୍ୟ ଆସନ ମଧ୍ୟ ଗ୍ରହଣ କରିଥିଲେ। ପରିବେଶ ସଂରକ୍ଷଣ ଓ ନାରୀମାନଙ୍କ ପାଇଁ ସମାନ ଅଧିକାର ହେତୁ ଆଜୀବନ ସଂଗ୍ରାମ କରିଛନ୍ତି ଡକ୍ଟର କମଳା ଚୌଧୁରୀ। ୨୦୦୬ ମସିହା ଜାନୁଆରି ୪ ତାରିଖ ଦିନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ କମଳା ଚୌଧୁରୀ। ବଞ୍ଚିଥିବା ସମୟରେ ନିଜ ହାତରେ ଗଢ଼ିଥିବା ଆଇଆଇଏମ୍ ଅହମ୍ମଦାବାଦରେ ସ୍ବୀକୃତି ପାଇନଥିଲେ ମଧ୍ୟ ମୃତ୍ୟୁ ପରେ ତାଙ୍କ ସମ୍ମାନାର୍ଥେ ସେହି ଅନୁଷ୍ଠାନର ଛାତ୍ରୀନିବାସକୁ ତାଙ୍କ ନାମରେ ନାମିତ କରାଯାଇଛି।
ଉପସ୍ଥାପନା: ପ୍ରଦୀପ କୁମାର ରାୟ