ନୂଆଦିଲ୍ଲୀ: ଅନ୍ୟକୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆ ଏବେ ଏକ ବଡ଼ ମାଧ୍ୟମ ପାଲଟିଛି। ବିଶେଷ କରି ଟ୍ବିଟ ସାହାଯ୍ୟରେ ଅନେକ ହୃଦୟବାନ ଲୋକ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖାଯାଉଛି। କରୋନା କାଳରେ ଟ୍ବିଟର ମାଧ୍ୟମରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମେତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ଅନେକଙ୍କୁ ସାହାଯ୍ୟ କରିଥିବା ଅନେକ ଥର ଦେଖାଯାଇଛି। ଏବେ ପୁଣି ଥରେ ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟ ଜିତିବା ଭଳି କାମ ସାମ୍ନାକୁ ଆସିଛି। ଗତବର୍ଷ ସେ ଇଡଲି ଅମ୍ମାଙ୍କୁ ଘର ଉପହାରରେ ଦେବେ ବୋଲି କହିଥିବା ବେଳେ ଆଜି ମାତୃ ଦିବସ ଅବସରରେ ସେ ନିଜ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି।
ମାତୃ ଦିବସ ଅବସରରେ ସେ ଇଡଲି ଅମ୍ମାଙ୍କୁ ଘର ଉପହାରରେ ଦେଇଛନ୍ତି। ଏହାର ଏକ ଭିଡିଓ ଟ୍ବିଟ କରି ସେ ଲେଖିଛନ୍ତି ଯେ, 'ଆମ ଟିମ ପ୍ରଶଂସା ପାଇବାର ଯୋଗ୍ୟ, ଯିଏ ଗୃହ ନିର୍ମାଣକୁ ଠିକ ସମୟରେ ଶେଷ କରି ମାତୃ ଦିବସରେ ଇଡଲି ଅମ୍ମାଙ୍କୁ ଉପହାର ଦେଇଛନ୍ତି। ତାଙ୍କୁ ଏବଂ ତାଙ୍କ କାର୍ଯ୍ୟକୁ ସମର୍ଥନ କରିବାର ସୌଭାଗ୍ୟ ପାଇ ମୁଁ ଖୁସି। ଆପଣ ସମସ୍ତଙ୍କୁ ମାତୃ ଦିବସର ଶୁଭେଚ୍ଛା।
Immense gratitude to our team for completing the construction of the house in time to gift it to Idli Amma on #MothersDay She’s the embodiment of a Mother’s virtues: nurturing, caring & selfless. A privilege to be able to support her & her work. Happy Mother’s Day to you all! pic.twitter.com/LgfR2UIfnm
— anand mahindra (@anandmahindra) May 8, 2022
ତେବେ ଇଡଲି ଅମ୍ମାକୁ ଆପଣମାନେ ଜାଣିଥିବେ ନିଶ୍ଚୟ। ରହିବାକୁ ଭଲ ଘର ନଥାଇ ବି ସେ ଲୋକଙ୍କଠାରୁ ୧ଟଙ୍କା ନେଇ ଇଡଲି, ସାମ୍ବର ଓ ଚଟନୀ ଖୁଆଇ ଆସୁଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ୩୭ବର୍ଷ ହେଲାଣି ସେ ଏଭଳି କରିଆସୁଛନ୍ତି। ୨୦୧୯ରେ ଏକ ଟ୍ବିଟ ଜରିଆରେ ତାଙ୍କ କାହାଣୀ ଲୋକଲୋଚନକୁ ଆସିଥିଲା। ଏହା ପରେ ସେ ସୋସିଆଲ ମିଡିଆରେ ଇଡଲି ଅମ୍ମା ନାଁରେ ଲୋକପ୍ରିୟ ହୋଇଥିଲେ। ତାଙ୍କର ଏଭଳି କାମ ଆନନ୍ଦ ମହିନ୍ଦ୍ରାଙ୍କ ନଜରକୁ ଆସିବା ପରେ ସେ ତାଙ୍କୁ ସାହାଯ୍ୟ କରିବେ ଏବଂ ରହିବା ପାଇଁ ଘର ଯୋଗାଇ ଦେବେ ବୋଲି କହିଥିଲେ, ଯାହା ସେ ଆଜି ପୂରଣ କରିଛନ୍ତି।