ନିଜ ଅଣ୍ଡାକୁୁ ବଞ୍ଚାଇବା ପାଇଁ ବୁଲଡୋଜର ଆଗରେ ଛାତି ଫୁଲାଇ ଛିଡ଼ା ହେଲା ପକ୍ଷୀ, ତା’ ପରେ…

ନୂଆଦିଲ୍ଲୀ: ମଣିଷ ହେଉ କିମ୍ବା ପଶୁ, ନିଜ ଛୁଆଙ୍କ ପ୍ରତି ସମସ୍ତେ ସଚେତନ। ଛୁଆଙ୍କ ଉପରେ କିଛି ବିପଦ ପଡ଼ିବା ପୂର୍ବରୁ ଆଗରେ ଛିଡ଼ା ହୋଇଯାଆନ୍ତି ମାତାପିତା। ମାତାପିତାମ‌ାନେ ନିଜ ପିଲାକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବ‌ାଜି ଲଗାଇଦେବାର ଅନେକ ଘଟଣା ଆପଣ ଦେଖିଥିବେ ଏବଂ ଶୁଣିଥିବେ ନିଶ୍ଚୟ। ଏବେ ସେଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଙ୍ଗଳବାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ପକ୍ଷୀ ନିଜ ଅଣ୍ଡାକୁ ସୁରକ୍ଷିତ ରଖିବାକୁ ଯାଇ ବୁୁଲଡୋଜର ଆଗରେ ଛିଡ଼ା ହୋଇଯାଉଛି। ଭିଡିଓଟି ଏବେ ଭାଇରାଲ ହୋଇଥିବା ବେଳେ ଲୋକେ ପକ୍ଷୀର ଏଭଳ ସାହସିକତା କାର୍ଯ୍ୟକୁ ପସନ୍ଦ କରି କମେଣ୍ଟ କରୁଥିବା ଦେଖାଯାଇଛି।

ଆନନ୍ଦ ମହିନ୍ଦ୍ରା ଟ୍ବିଟ କରିଥିବା ୧ମିନିଟ ୧୯ସେକେଣ୍ଡର ଭିଡିଓରେ ଦେଖାଯାଇଛି ଯେ, ଏକ ପକ୍ଷୀ ତା’ର ଅଣ୍ଡାକୁ ବଞ୍ଚାଇବା ପାଇଁ ମୃତ୍ୟୁ ଆଗରେ ଛିଡ଼ା ହୋଇଯାଉଛି। ସେ ଅଣ୍ଡା ଦେଇଥିବା ସ୍ଥାନ ଆଡ଼କୁ ହଠାତ୍ ଏକ ବୁଲଡୋଜର ମାଡ଼ି ଆସୁଥିଲା। ଏହା ଦେଖିବା ପରେ ପକ୍ଷୀଟି ତା’ର ଅଣ୍ଡା ଆଡ଼କୁ ଦୌଡ଼ି ପଳାଉଛି । ଅଣ୍ଡାଗୁଡ଼ିକୁ ସୁରକ୍ଷା ଦେବାକୁ ଯାଇ ଅଣ୍ଡାଗୁଡ଼ିକ ଉପରେ ତା’ର ଡ଼େଣା ମେଲାଇ ଦୃଢତାର ସହ ଛିଡ଼ା ହେଉଛି । ବୁଲଡୋଜରଟି ପକ୍ଷୀ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଥିଲେ ବି ପକ୍ଷୀଟି ନିଜ ସ୍ଥାନରୁ ହଟୁନାହିଁ। ବରଂ ଚିତ୍କାର କରୁଛି। ସତେ ଯେମିତି ତା’ର ବିକଳ ଚିତ୍କାରରୁ ବୁଝା ପଡୁଛି ଯେ, ‘ଆଗକୁ ଆସନାହିଁ, ଆଗକୁ ମାଡ଼ି ଆସିଲେ ମୋର ଛୁଆଙ୍କ ଜୀବନ ଚାଲିଯିବ।‘ ପକ୍ଷୀର ଗର୍ଜନ ଆଗରେ ବୁଲଡୋଜରର ଗର୍ଜନ ସତେ ଯେମିତି ଫିକା ପଡ଼ିଯାଉଛି ।

ବୁଲଡୋଜରର ଟିକିଏ ସ୍ପର୍ଶରେ ତା’ର ପ୍ରାଣବାୟୁ ଉଡ଼ିଯିବ ଜାଣି ବି ମୃତ୍ୟୁର ଭୟକୁ ବେଖାତିର କରି ଦୃଢ଼ ହୋଇ ଛିଡ଼ା ହେଉଛି । ଦୁନିଆକୁ ଦେଖାଇଦେଉଛି ଯେ, ଛୁଆ ପ୍ରତି ମା’ର ମମତା କେତେ? ଏ ଦୃଶ୍ୟ ଯିଏବି ଦେଖିବ ତା’ ହୃଦୟ ତରଳି ଯିବ ନିଶ୍ଚୟ । ଏ ଭାବବିହ୍ବଳ କଲା ଭଳି ଦୃଶ୍ୟ ଦେଖି ମହିନ୍ଦ୍ରା କମ୍ପାନିର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଟ୍ବିଟର କ୍ୟାପସନରେ ଲେଖିଛନ୍ତିି ‌ଯେ, ‘ମା ତୁଝେ ସଲାମ’, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଟୁଇଟରରେ ଏବେ ତାଙ୍କ ପ୍ରଶଂସକଙ୍କ କମେଣ୍ଟର ସୁଅ ଛୁଟୁଛି । ଆଗରୁ ମଧ୍ୟ ଆନନ୍ଦ ମହିନ୍ଦ୍ରା ପକ୍ଷୀ ସମ୍ପର୍କିତ ଅନେକ ଭିଡିଓ ପୋଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର