ଅସିତ ମହାନ୍ତି
ଷ୍ଣଜନ୍ମ ପରର କୃଷ୍ଣଲୀଳା ପରି, ରାମଜନ୍ମ ପରର ରାମଲୀଳା ମଧ୍ୟ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବରେ ପାଳିତ ହୁଏ। ଚୈତ୍ର ଶୁକ୍ଳ ନବମୀ ହେଉଛି ରାମ ନବମୀ। ଏହାର ପୂର୍ବଦିନ, ଅର୍ଥାତ୍ ଚୈତ୍ର ଶୁକ୍ଳ ଅଷ୍ଟମୀ ରାତିରେ, ଶ୍ରୀମନ୍ଦିରରେ ହୁଏ ଜେଉଡ଼ ଭୋଗ ଓ ଗର୍ଭୋଦୟ ବନ୍ଦାପନା ନୀତି। ‘ନୀଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ ଆଦିରେ ଥିବା ଉଲ୍ଲେଖ ଅନୁସାରେ, ମାତା କୌଶଲ୍ୟାଙ୍କ ଗର୍ଭକଷ୍ଟ ପ୍ରଶମନ ପାଇଁ ଏବଂ ତାଙ୍କୁ ଶାନ୍ତ କରିବା ପାଇଁ ଏହି ସ୍ବତନ୍ତ୍ର ଭୋଗ ଓ ବନ୍ଦାପନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କୁ ଏହି ଭୋଗ ଓ ବନ୍ଦାପନା କରାଯାଉ ଥିବାରୁ, ତତ୍ତ୍ବବିତ୍ମାନଙ୍କର ମତ, ଯେ ଶ୍ରୀଜଗନ୍ନାଥଙ୍କୁ ହିଁ କୌଶଲ୍ୟା ଜ୍ଞାନ କରି ଏହା କରାଯାଇଥାଏ। କାରଣ, ତତ୍ତ୍ବତଃ ସେ ହିଁ ମାତା ଓ ସେ ହିଁ ପିତା ଏବଂ ସେ ହିଁ ପୁଣି ପୁତ୍ର ରୂପେ ଜନ୍ମଗ୍ରହଣ କରିଥାନ୍ତି। ଶ୍ରୀମନ୍ଦିରରେ ଚୈତ୍ର ଶୁକ୍ଳ ନବମୀ ଦିନ ପାଳିତ ହୁଏ ଶ୍ରୀରାମ ଜନ୍ମନୀତି। ବିଜେପ୍ରତିମା ଶ୍ରୀରାମଚନ୍ଦ୍ର ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଏହି ନୀତି ସଂପାଦନ କରିଥାନ୍ତି। ‘ବାଲ୍ମୀକି ରାମାୟଣ’ ଅନୁସାରେ, ଚୈତ୍ର ଶୁକ୍ଳ ନବମୀରେ, ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ, ମାତା କୌଶଲ୍ୟା ଦିବ୍ୟଲକ୍ଷଣଯୁକ୍ତ, ସର୍ବଲୋକବନ୍ଦିତ, ଜଗଦୀଶ୍ବର ଶ୍ରୀରାମଙ୍କୁ ଜନ୍ମ ଦେଇଥିଲେ। ସେହି ସମୟରେ ସୂର୍ଯ୍ୟ, ମଙ୍ଗଳ, ଶନି, ଗୁରୁ ଓ ଶୁକ୍ର ଏହି ପାଞ୍ଚ ଗ୍ରହ ନିଜ ନିଜର ଉଚ୍ଚସ୍ଥାନରେ ବିଦ୍ୟମାନ ଥିଲେ। ଲଗ୍ନରେ ଚନ୍ଦ୍ରଙ୍କ ସହିତ ଥିଲେ ବୃହସ୍ପତି। ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ ଚୈତ୍ର ଶୁକ୍ଳ ନବମୀ ମଧ୍ୟାହ୍ନ ସମୟରେ। ସେଥିପାଇଁ, ଶ୍ରୀମନ୍ଦିରରେ ଚୈତ୍ର ଶୁକ୍ଳ ନବମୀ ମଧ୍ୟାହ୍ନରେ ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନଧୂପ ଭୋଗ ପରେ, ଦକ୍ଷିଣିଘରୁ ବିଜେପ୍ରତିମା ଶ୍ରୀରାମ ଆସି ରତ୍ନସିଂହାସନରେ ବିଜେ ହୁଅନ୍ତି ଏବଂ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହାତରେ ଯାଇ ଜନ୍ମମଣ୍ଡଳରେ ବିଜେ ହୁଅନ୍ତି। ଏହି ଜନ୍ମମଣ୍ଡଳ କର୍ମାଣି ପୂଜାପଣ୍ଡା ପଞ୍ଚବର୍ଣ୍ଣି ମୁରୁଜରେ ପ୍ରସ୍ତୁତ କରିଥାଆନ୍ତି। ମହାଜନ ସେବକଙ୍କ ମଧ୍ୟରୁ ଦୁଇଜଣ, ଦଶରଥ ଓ କୌଶଲ୍ୟା ରୂପେ, ଖଣ୍ଡୁଆ ଘୋଡ଼ାଇ ଶ୍ରୀରାମ ଜନ୍ମ ନୀତି ସଂପାଦନ କରିଥାନ୍ତି।
ଚୈତ୍ର ଶୁକ୍ଳ ନବମୀର ଏହି ଜନ୍ମନୀତି ପରେ, ତାହାର ପରଦିନଠାରୁ ଆରମ୍ଭ କରି ଆଠ ଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ‘ରାମଲୀଳା’ ଉତ୍ସବ। ସେହି ଉତ୍ସବ ମଧ୍ୟରେ ଥାଏ- ଦଶମୀର ଯଜ୍ଞରକ୍ଷା, ଏକାଦଶୀର ସୀତାବିବାହ, ଦ୍ବାଦଶୀର ବନବାସ, ଚତୁର୍ଦ୍ଦଶୀର ମାୟାମୃଗ, ପୂର୍ଣ୍ଣମୀର ଲଙ୍କାପୋଡ଼ି, ବୈଶାଖ କୃଷ୍ଣ ପ୍ରତିପଦର ସେତୁବନ୍ଧ, ଦ୍ବିତୀୟାର ରାବଣବଧ ଏବଂ ପୁଷ୍ୟା ନକ୍ଷତ୍ର କର୍କଟ ଯୋଗ ଥାଇ ତାରାଶୁଦ୍ଧିରେ ଅଭିଷେକ ନୀତି। କେବଳ ବୈଶାଖ କୃଷ୍ଣ ଦ୍ବିତୀୟାର ରାବଣବଧ ନୀତି ବ୍ୟତୀତ, ଏ ସମସ୍ତ ନୀତିରେ, ନୀତି ଅନୁରୂପେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଜେ ପ୍ରତିମା ଶ୍ରଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଏହିସବୁ ନୀତି ସଂପାଦନ କରିଥାନ୍ତି। ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଅନୁସାରେ, ବୈଶାଖ କୃଷ୍ଣ ଦ୍ବିତୀୟାରେ ଯେଉଁ ରାବଣବଧ ନୀତି ଅନୁଷ୍ଠିତ ହୁଏ, ସେଥିରେ ରାବଣ ବି ଆଜ୍ଞାମାଳ ପାଏ। ତେବେ ଏହି ରାବଣବଧ ନୀତିର ବିେଶଷତ୍ବ ହେଉଛି- ଚୈତ୍ରପୂର୍ଣ୍ଣିମାର ଲଙ୍କାପୋଡ଼ି ନୀତିରେ ଲଙ୍କାପୋଡ଼ିର ମୁଖ୍ୟ ନାୟକ ହନୁମାନ ଆଜ୍ଞାମାଳ ପାଉ ନ ଥିବା ବେଳେ, ରାବଣବଧ ନୀତିରେ ରାବଣ ଆଜ୍ଞାମାଳ ପାଇଥାଏ।
ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏହି ରାମଲୀଳାର ଅନନ୍ୟ ବିଶେଷତ୍ବ ହେଉଛି- ଲଙ୍କାପୋଡ଼ି ନୀତିର ହନୁମାନ ଓ ରାବଣବଧ ନୀତିର ରାବଣ ବିଜେପ୍ରତିମା ନୁହନ୍ତି। ଏ ଦୁହେଁ ରକ୍ତମାଂସଧାରୀ ମନୁଷ୍ୟ। ଲଙ୍କାପୋଡ଼ି ନୀତିରେ ବିଜେପ୍ରତିମା ଶ୍ରୀରାମ ଓ ଲକ୍ଷ୍ମଣ ଦକ୍ଷିଣିଘରୁ ରତ୍ନସିଂହାସନକୁ ବିଜେ ହୋଇ, ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଆନ୍ତି ଏବଂ ପାଲିଙ୍କିରେ ବିଜେହୋଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି। ବିଜେପ୍ରତିମା ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଉପସ୍ଥିତିରେ, ତାଙ୍କର ସେବକ ଭାବରେ, ଦୋଳମଣ୍ଡପସାହିର ହନୁମାନ ବେଶଧାରୀ ଯୁବକ ଲଙ୍କାପୋଡ଼ି ନୀତି ସଂପନ୍ନ କରିଥାଆନ୍ତି। କିନ୍ତୁ ବୈଶାଖ କୃଷ୍ଣ ଦ୍ବିତୀୟାର ରାବଣବଧ ନୀତିରେ, ଶ୍ରୀରାମ ଓ ଲକ୍ଷ୍ମଣଙ୍କ ବିଜେ ପ୍ରତିମା ଦକ୍ଷିଣିଘରୁ ରତ୍ନସିଂହାସନକୁ ଯାଇ ଶ୍ରୀଜଗନ୍ନାଥଙ୍କଠାରୁ ରାବଣବଧ ନୀତି ପାଇଁ ଆଜ୍ଞାମାଳ ପାଇଲେ ମଧ୍ୟ, ବାଲିସାହିର ରାବଣବେଶଧାରୀ ଶ୍ରୀମନ୍ଦିରରୁ ଏକ ସ୍ବତନ୍ତ୍ର ଆଜ୍ଞାମାଳ ପାଇଥାଆନ୍ତି। ତେବେ ଏହି ଦୁଇ ଆଜ୍ଞାମାଳ ମଧ୍ୟରେ ପାର୍ଥକ୍ୟ ଅଛି।
ଏହା ହେଉଛି- ବିଜେ ପ୍ରତିମା ଶ୍ରୀରାମ ଓ ଲକ୍ଷ୍ମଣ ରାବଣବଧ ପାଇଁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଉଥିବା ବେଳେ, ବାଲିସାହି ଆଖଡ଼ାର ସଂପୃକ୍ତ ଯୁବକ, ରାବଣବେଶରେ ଆସି ଶ୍ରୀମନ୍ଦିରର ଜୟବିଜୟ ଦ୍ବାରର କାଠ ପାଖରେ ଉପସ୍ଥିତ ହୁଅନ୍ତି ଏବଂ ପାଳିଆ ଖୁଣ୍ଟିଆ ସେବକ ତାଙ୍କୁ ରତ୍ନସିଂହାସନ- ଛୁଆଁ ଏକ ଆଜ୍ଞାମାଳ (ମନ୍ଦାରମାଳ!)ପ୍ରଦାନ କରନ୍ତି। ଏହି ଆଜ୍ଞାମାଳ ପାଇବା ପରେ, ରାବଣବେଶଧାରୀ ଯୁବକ ସାହି ବୁଲି, ଶେଷରେ ଯାଇ ଶ୍ରୀଜଗନ୍ନାଥବଲ୍ଲଭ ମଠଠାରେ ପହଞ୍ଚନ୍ତି ଏବଂ ସେଠାରେ ରାବଣବଧ ନୀତି ସଂପନ୍ନ ହୁଏ। ଏହି ରାବଣବଧ ନୀତିରେ, ଜଗନ୍ନାଥବଲ୍ଲଭ ମଠ ଠାରେ ରାମ ଓ ଲକ୍ଷ୍ମଣ ବେଶଧାରୀଙ୍କ ସହ ରାବଣ ବେଶଧାରୀଙ୍କର ଯୁଦ୍ଧ ହୁଏ ଏବଂ ରାମବେଶଧାରୀ, ବିଜେପ୍ରତିମା ଶ୍ରୀରାମଙ୍କ ଶ୍ରୀପୟରଛୁଆଁ ତୀର ବିନ୍ଧନ୍ତି ଏବଂ ସେଥିରେ ରାବଣବେଶଧାରୀ ନିହତ ହୁଅନ୍ତି। ତେବେ ଶ୍ରୀମନ୍ଦିରର ଏହି ରାବଣବଧ ନୀତିର ବିଶେଷତ୍ବ ହେଉଛି- ରାବଣବଧ ପାଇଁ ଶ୍ରୀରାମ ଓ ଲକ୍ଷ୍ମଣ ଆଜ୍ଞାମାଳ ପାଉଥିବା ବେଳେ, ରାବଣ ମଧ୍ୟ, ବଧ ହେବାପାଇଁ ଆଜ୍ଞାମାଳ ପାଇଥାଏ।