ଅସିତ ମହାନ୍ତି
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବହୁ ଆକର୍ଷଣ ମଧ୍ୟରୁ ଗୋଟିଏ ହେଉଛି ପହଣ୍ଡିବିଜେ। କିନ୍ତୁ ଶ୍ରୀଜଗନ୍ନାଥ କେବଳ ଯେ ରଥଯାତ୍ରାରେ ପହଣ୍ଡିବିଜେ କରନ୍ତି, ତାହା ନୁହେଁ। ସେ ସ୍ନାନଯାତ୍ରାରେ ବି ପହଣ୍ଡିବିଜେ କରିଥାନ୍ତି। ଏହି ସ୍ନାନଯାତ୍ରା ଓ ରଥଯାତ୍ରା ହେଉଛି ତାଙ୍କର ‘ସ୍ବୟଂଲୀଳା’। କାରଣ, ଏହି ଦୁଇ ଯାତ୍ରାରେ ସେ ସ୍ବୟଂ ଅଂଶଗ୍ରହଣ କରନ୍ତି। ଅନ୍ୟ ଯାତ୍ରାଗୁଡ଼ିକରେ ତାଙ୍କ ପକ୍ଷରୁ ସଂପୃକ୍ତ ବିଜେପ୍ରତିମା ବା ଉତ୍ସବପ୍ରତିମାମାନେ ଆଜ୍ଞାମାଳ ପାଇ ଅଂଶଗ୍ରହଣ କରିଥାନ୍ତି। ‘ପହଣ୍ଡି’ ଏକ ତଦ୍ଭବ ଶବ୍ଦ। ଏହାର ମୂଳ ‘ପଦ୍ଦଣ୍ଡ’। ଏହାର ଅର୍ଥ- ଏକପାଦ ଯାତ୍ରା ବା ପଦକ୍ଷେପ। ଓଡ଼ିଆରେ ‘ପାହୁଣ୍ଡ’। ଏହା ହେଉଛି- ଚାଲିବା ବେଳେ ଦୁଇପାଦ ମଧ୍ୟର ଦୂରତା। ‘ପଦ୍ଦଣ୍ଡ’ର ଅନ୍ୟ ଏକ ସଂସ୍କୃତ ପ୍ରତିଶବ୍ଦ ‘ପଦହୁଣ୍ଡନ’। ଏହାର ଅର୍ଥ- ପଦକ୍ଷେପ, ପଦନ୍ୟାସ, ପାହୁଣ୍ଡ ବା ଧୀର ଚାଲି। ଇଂରେଜିରେ ‘ମେଜର୍ଡ୍ ଷ୍ଟେପ୍ସ୍’ ବା ମାପି ମାପି ପାଦ ପକାଇବା।
‘ସାରଳା ମହାଭାରତ’ ଓ ‘ମାଦଳାପାଞ୍ଜି’ରେ ଏ ଶବ୍ଦର ବ୍ୟବହାର ମିଳେ। ସେଥିରେ ରାଜା ବା ଦେବଦେବୀମାନଙ୍କର ଚାଲିବା ଗତିକୁ ‘ପହଣ୍ଡିବିଜୟ’ ବା ‘ପହଣ୍ଡିବିଜେ’ କୁହାଯାଇଛି। ପରବର୍ତ୍ତୀ କାଳର ରଚନା, ଯଥା- ‘ରାଘବ ବିଳାସ’, ‘ଚାଚେରୀ ଲୀଳା’, ‘ଲାବଣ୍ୟବତୀ’, ‘ବିଦଗ୍ଧ ଚିନ୍ତାମଣି’, ‘କୃଷ୍ଣ ସିଂହ ମହାଭାରତ’ ଆଦିରେ ଏ ଶବ୍ଦ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ ‘ପହଣ୍ଡ ମଣାଇବା’ ମଧ୍ୟ ଆସିଛି। ଠାକୁରମାନେ ସ୍ନାନମଣ୍ଡପକୁ ପହଣ୍ଡିବିଜେ କରିବା ପଥରେ ପକାଯାଇଥିବା ପଥର ପାଇଁ ‘ମାଦଳା ପାଞ୍ଜି’ରେ ‘ପହଣ୍ଡ ପଥର’ର ଉପଯୋଗ ମଧ୍ୟ ହୋଇଛି। ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଛଅଥର ପହଣ୍ଡି ବିଜେ କରିଥାଆନ୍ତି। କିନ୍ତୁ ନାମ ଦୃଷ୍ଟିରୁ ଏହା ‘ନଅ ପହଣ୍ଡି’। ଏଥି ମଧ୍ୟରୁ ପ୍ରଥମ ଦୁଇ ପହଣ୍ଡିବିଜେ ହୁଏ ସ୍ନାନଯାତ୍ରାେର। ଏହା ହେଉଛି- ଜ୍ୟେଷ୍ଠ ପୂର୍ଣ୍ଣମୀ ପ୍ରତ୍ୟୁଷରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଥରେ, ଏବଂ ସେଦିନ ସ୍ନାନମଣ୍ଡପରେ ସ୍ନାନନୀତି ଓ ହାତୀବେଶ ପରେ, ରାତିରେ ସ୍ନାନବେଦୀରୁ ଅଣସର ଘରକୁ ଥରେ। ଏହି ଦୁଇ ପହଣ୍ଡି ଯଥାକ୍ରମେ ‘ସ୍ନାନପହଣ୍ଡି’ ଓ ‘ଅଣସର ପହଣ୍ଡି’ ନାମରେ କଥିତ ହୋଇଥାଏ। ସ୍ନାନଯାତ୍ରାରେ ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମଧ୍ୟ ପହଣ୍ଡି ହୋଇ ଆସିଥାଆନ୍ତି ଏବଂ ପହଣ୍ଡି ହୋଇ ଯାଇଥାଆନ୍ତି। କିନ୍ତୁ ସେମାନେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପରି ପାହୁଣ୍ଡ ପକାଇ ନ ଆସି, ସଂପୃକ୍ତ ଦଇତା ସେବକଙ୍କ କାନ୍ଧରେ ବିଜେ ହୋଇ ଆସିଥାଆନ୍ତି ଓ ଯାଆନ୍ତି। ତେଣୁ ସେହି ପହଣ୍ଡିକୁ ‘ଶୂନ୍ୟପହଣ୍ଡି’ କୁହାଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କର ଏହି ପହଣ୍ଡିର ନିର୍ଦ୍ଦିଷ୍ଟ କ୍ରମ ମଧ୍ୟ ଅଛି। ତାହା ହେଉଛି- ପ୍ରଥମେ ଶ୍ରୀ ସୁଦର୍ଶନ, ତା’ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ହୋଇଥାଏ।
ସ୍ନାନଯାତ୍ରାରେ ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମଧ୍ୟ ପହଣ୍ଡି ହୋଇ ଆସିଥାଆନ୍ତି ଏବଂ ପହଣ୍ଡି ହୋଇ ଯାଇଥାଆନ୍ତି। କିନ୍ତୁ ସେମାନେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପରି ପାହୁଣ୍ଡ ପକାଇ ନ ଆସି, ସଂପୃକ୍ତ ଦଇତା ସେବକଙ୍କ କାନ୍ଧରେ ବିଜେ ହୋଇ ଆସିଥାଆନ୍ତି ଓ ଯାଆନ୍ତି। ତେଣୁ ସେହି ପହଣ୍ଡିକୁ ‘ଶୂନ୍ୟପହଣ୍ଡି’ କୁହାଯାଏ।
ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଉ ଗୋଟିଏ ପହଣ୍ଡି ହୁଏ ଆଷାଢ଼ ଶୁକ୍ଳ ଦ୍ବିତୀୟା ଦିନ। ସେଦିନ ସେମାନେ ଅଣସର ପିଣ୍ଡିରୁ ପୂର୍ବପରି ପହଣ୍ଡି ହୋଇ ନିଜ ନିଜ ରଥକୁ ଆସିଥାଆନ୍ତି। ଏହି ପହଣ୍ଡିକୁ ‘ରଥପହଣ୍ଡି’ କୁହାଯାଏ। ସେହିପରି ଭାବରେ, ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେମାନେ ଯେଉଁ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ ଯାଆନ୍ତି, ତାହାର ନାମ ‘ଆଡ଼ପ ପହଣ୍ଡି’। ଏହା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ପହଣ୍ଡି।
ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତି ଏବଂ ତାଙ୍କ ସହ ରଥରେ ଯାଇଥିବା ରାମ ଓ କୃଷ୍ଣ ଏବଂ ମଦନମୋହନ ଆଡ଼ପମଣ୍ଡପରେ ସାତଦିନ ଅବସ୍ଥାନ କରନ୍ତି। ତା’ ପରେ, ଆଷାଢ଼ ଶୁକ୍ଳ ଦଶମୀ ଦିନ ତାଙ୍କର ବାହୁଡ଼ା ବିଜେ ହୁଏ। ସେଥିପାଇଁ ସେମାନେ ଯେଉଁ ପହଣ୍ଡି ହୋଇ ରଥକୁ ଆସନ୍ତି ତାହାକୁ ‘ବାହୁଡ଼ା ପହଣ୍ଡି’ କୁହାଯାଏ। ଏହା ବର୍ଷର ପଞ୍ଚମ ପହଣ୍ଡି। ପରିଶେଷରେ, ସେମାନଙ୍କର ଷଷ୍ଠ ତଥା ଶେଷ ପହଣ୍ଡି ହୁଏ ନୀଳାଦ୍ରିବିଜେ ଦିନ। ସେଦିନ, ସେହି କ୍ରମରେ ଓ ସେହିପରି ଭାବରେ ପହଣ୍ଡି ହୋଇ ଚତୁର୍ଦ୍ଧା ବିଗ୍ରହ ଶ୍ରୀମନ୍ଦିରର ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ତେଣୁ ତାହାକୁ ‘ନୀଳାଦ୍ରି ପହଣ୍ଡି’ କୁହାଯାଇପାରିବ। ଏହିପରି ଭାବରେ ସେମାନଙ୍କର ସାରା ବର୍ଷରେ ଛଅଥର ପହଣ୍ଡି ହୋଇଥାଏ।
କିନ୍ତୁ ଏ ସମସ୍ତ ପହଣ୍ଡିର ଅନନ୍ୟତା ହେଉଛି- ଏହା ମୁଖ୍ୟତଃ ଦୁଇ ପ୍ରକାରର। ଗୋଟିଏ- ‘ଗୋଟିପହଣ୍ଡି’ ଏବଂ ଅନ୍ୟଟି- ‘ଧାଡ଼ିପହଣ୍ଡି’। କେଉଁଟି ଗୋଟିପହଣ୍ଡି ଓ କେଉଁଟି ଧାଡ଼ିପହଣ୍ଡି, ତାହା ଜାଣିବା ପାଇଁ ଗୋଟିଏ ସରଳ ସୂତ୍ର ଅଛି। ତାହା ହେଉଛି- ଚତୁର୍ଦ୍ଧାମୂର୍ତ୍ତି ଯେତେବେଳେ ଭକ୍ତଙ୍କ ମେଳକୁ ଆସନ୍ତି, ସେତେେବଳେ ଆସନ୍ତି ଧାଡ଼ିପହଣ୍ଡିରେ। କାରଣ, ପ୍ରିୟ ଭକ୍ତଙ୍କ ସହ ମିଳିତ ହେବାପାଇଁ ସେମାନଙ୍କର ପ୍ରବଳ ଆଗ୍ରହ ରହିଥାଏ। କିନ୍ତୁ ସେମାନେ ଯେତେବେଳେ ଭକ୍ତଙ୍କ ମେଳରୁ ମନ୍ଦିରକୁ ଯାଆନ୍ତି, ସେତେବେଳେ ଯାଆନ୍ତି କୁଣ୍ଠିତ ଚିତ୍ତରେ, ଗୋଟିପହଣ୍ଡିରେ। ଅର୍ଥାତ୍, ଜଣେ ଯାଇ ନିଜ ଆସ୍ଥାନରେ ବିଜେ ହେବା ପରେ ହିଁ ଆଉ ଜଣଙ୍କର ପହଣ୍ଡି ହୋଇଥାଏ। ସେଥିପାଇଁ, ରତ୍ନସିଂହାସନରୁ ସ୍ନାନବେଦୀକୁ, ଅଣସର ଘରୁ ରଥକୁ ଏବଂ ଆଡ଼ପମଣ୍ଡପରୁ ବାହୁଡ଼ା ରଥକୁ ଆସିବାବେଳେ ସେମାନଙ୍କର ଧାଡ଼ିପହଣ୍ଡି ହେବାବେଳେ, ସ୍ନାନବେଦିରୁ ଅଣସର ଘରକୁ, ରଥରୁ ଆଡ଼ପମଣ୍ଡପକୁ ଏବଂ ରଥରୁ ରତ୍ନସିଂହାସନକୁ ବିଜେ ହେବାବେଳେ ସେମାନଙ୍କର ଗୋଟିପହଣ୍ଡି ହୋଇଥାଏ।