କ୍ଷୀର-ସର ଓ ମିଶ୍ରିର ‘ଅଣସର ପଣା’

ରଥ କଥା - ଅସିତ ମହାନ୍ତି

ଅଣସର ବେଳେ ତାଟି ବାହାରେ ତିନି ପଟିଦିଅଁଙ୍କ ସମେତ ଦଶାବତାର ଠାକୁର ପୂଜା ହେବାବେଳେ, କ’ଣ ହୁଏ ତାଟି ଭିତରେ? ଏହାକୁ ‘ଗୁପ୍ତ ସେବା’ ବୋଲି କୁହାଯାଇଛି । ଅଣସର ଘରେ ଦାରୁବିଗ୍ରହମାନଙ୍କର ଏହି ସେବା ହୋଇଥାଏ ।

ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଯେଉଁବର୍ଷ ନବକଳେବର ହୁଏ, ସେହି ବର୍ଷ ସ୍ୱତନ୍ତ୍ର ଭାବରେ ଦାରୁଛେଦନ କରାଯାଇ ନୂଆମୂର୍ତ୍ତି ଗଢ଼ାଯାଏ । ତାହା କରାଯାଏ ଶ୍ରୀମନ୍ଦିର ପରିସରରେ ଥିବା ‘କୋଇଲି ବୈକୁଣ୍ଠ’ର ଅସ୍ଥାୟୀ କାରୁଶାଳାରେ । ସେଠାରେ ଗୋପନରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଯନ୍ତ୍ର ବିଧିରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ଗଢ଼ା ହୁଏ । ତା’ପରେ ସେମାନଙ୍କୁ ଗୁପ୍ତ ପହଣ୍ଡି କରି ଅଣାଯାଏ ଶ୍ରୀମନ୍ଦିରକୁ । ସେଠାରେ ଗୋପନରେ ସେମାନଙ୍କଠାରେ ବ୍ରହ୍ମ ସଂସ୍ଥାପନ କରାଯିବା ପରେ, ପୁରାତନ ବିଗ୍ରହମାନଙ୍କୁ କୋଇଲି ବୈକୁଣ୍ଠର ଭୂମିଭଣ୍ଡାରରେ ପାତାଳୀ କରାଯାଏ । ତା’ପରେ ସ୍ୱତନ୍ତ୍ର ବିଧିରେ ନୂଆ ବିଗ୍ରହମାନଙ୍କର ଅଙ୍ଗ ଗଠନ କରାଯାଏ । ଏହା ହେଉଛି ସେମାନଙ୍କର ନବକଳେବର । ଏ ସମସ୍ତ ବିଧି ଅତ୍ୟନ୍ତ ଗୋପନୀୟ । ତାହା ପରେ, ଆଉ ଗୋଟିଏ ନବକଳେବର ହେବା ପର୍ଯ୍ୟନ୍ତ, ସେହି ସ୍ୱତନ୍ତ୍ର ବିଧିରେ ଦାରୁ ଦେବତାମାନଙ୍କର ଶ୍ରୀଅଙ୍ଗ ସେବା କରାଯାଇଥାଏ । ଏହା ହିଁ ହେଉଛି ଗୁପ୍ତ ସେବା ।

କିନ୍ତୁ କ’ଣ ହୁଏ ଏହି ଗୁପ୍ତ ସେବାରେ? ସେ ରହସ୍ୟ ମୁଖ୍ୟତଃ ଦାରୁବ୍ରହ୍ମଙ୍କର ଅଙ୍ଗରକ୍ଷାକାରୀ ଦଇତାସେବକମାନଙ୍କୁ ହିଁ ଭଲଭାବରେ ଜଣା ।

ତେବେ ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ସୂଚନା ଅଛି । ସେଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- ହେ ବ୍ରହ୍ମନ୍! ଅଣସର ଘରେ ଦାରୁରୂପୀ ଚାରିଠାକୁରଙ୍କର ଏହି ବିଧି କିପରି ହୁଏ, ମୋ ପ୍ରତି ଅନୁଗ୍ରହ ଥିଲେ ଅତିଶୀଘ୍ର କହନ୍ତୁ!

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏହି ଆଗ୍ରହ ଓ ଅନୁରୋଧର ଉତ୍ତରରେ ବ୍ରହ୍ମା କହିଛନ୍ତି- ହେ ରାଜା! ତୁମ୍ଭେ ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ)ଙ୍କର ପରମ ଭକ୍ତ ଅଟ । ଏଣୁ ତୁମ୍ଭଙ୍କୁ ବିଷ୍ଣୁଙ୍କର ଏହି ଗୋପନୀୟ ତଥ୍ୟ ସଂକ୍ଷେପରେ କହୁଛି ।

ଏହି ପ୍ରସଙ୍ଗରେ ଅଣସର ଘରେ ଜରରେ ପଡ଼ିଥିବା ଠାକୁରମାନଙ୍କର ପଣାଭୋଗ କଥା କୁହାଯାଇଛି । ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା! ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ ପନ୍ଦରଦିନ ଧରି କର୍ପୂର ମିଶା ମିଶ୍ରିପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ । ମିଶ୍ରିପଣାରେ କ୍ଷୀର-ସର ମିଶାଇ, ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ । ଆମେ ଯେପରି ଜର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇଥାଉ, ଏହା ସେହିପରି ବ୍ୟବସ୍ଥା ।

ଏହି ସମୟର ଅଣସର ତାଟି ଭିତରେ ଥିବା ଠାକୁରମାନେ ଅସୁସ୍ଥ ଥିବାରୁ, ସେମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାଆନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ । ଏହାର ବିଧି ଓ ନିଷେଧ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ହେ ରାଜା! ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗର ମାଳ ଚନ୍ଦନ ଆଦି ନିର୍ମାଲ୍ୟ କଦାପି ବାହାରକୁ ନେବ ନାହିଁ ।

ଦଇତା ସେବକଙ୍କ ଘରେ ‘ଅଣସର-ପଣା’ ପ୍ରସ୍ତୁତି

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି କ୍ଷୀର-ସର ମିଶା ମିଶ୍ରିପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁଦେବତାମାନଙ୍କୁ ସମର୍ପଣ କରନ୍ତି । ପରେ ଦଇତାସେବକମାନେ ସେହି ଭୋଗରେ ଅଧିକ କ୍ଷୀର-ସର ଓ ମିଶ୍ରି ମିଶାଇ, ତାହାକୁ ଭକ୍ତମାନଙ୍କୁ ବିତରଣ କରିଥାଆନ୍ତି । ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ । ପ୍ରତିବର୍ଷ ଅଣସର ବେଳେ, ଏହି ପଣା ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ।

କିନ୍ତୁ ଅଣସର ତାଟି ଭିତରର ପ୍ରକୃତ ଗୁପ୍ତସେବା ଅତ୍ୟନ୍ତ ରହସ୍ୟମୟ ।

ସମ୍ବନ୍ଧିତ ଖବର