ଅନନ୍ୟ ଅମିୟ

ଅମିୟଙ୍କ ସୃଷ୍ଟି ସମ୍ଭାର

ନାଟକରୁ ଚଳଚ୍ଚିତ୍ର ସବୁଠି ଥିଲା ତାଙ୍କ କଳାନୈପୁଣ୍ୟର ସ୍ବାକ୍ଷର। ଯାହାଙ୍କ ପାଇଁ ଓଡ଼ିଆ ନାଟକ ଜଗତ‌ରେ ଅଭିନବତାକୁ ନେଇ ସୃଷ୍ଟି ହୋଇଥିଲା ଚହଳ ଏବଂ ବାସ୍ତବ ଓ ଅବାସ୍ତବର ବିରୋଧାଭାସ ପୃଷ୍ଠଭୂମି ଉପରେ ଛିଡ଼ା ହୋଇଥିଲା ସଫଳ ଚଳଚ୍ଚିତ୍ର

ସିନେମା

କେବଳ ପ୍ରଯୋଜନା
ହାକିମ ବାବୁ (୧୯୮୫) (ଜାତୀୟ ପୁରସ୍କାର ପ୍ରାପ୍ତ)
ପୁଅ ମୋର କଳାଠାକୁର (୧୯୮୮)
ଚକା ଆଖି ସବୁ ଦେଖୁଛି (୧୯୮୯)
ଆସୁଛି ମୋ କାଳିଆ ସୁନା (୧୯୯୮)
ଚକାଡେ଼ାଳା କରୁଚି ଲୀଳା (୧୯୯୦)
ରାଜାରାଣୀ (୧୯୯୯)
ପରୀମହଲ (୧୯୯୯)
ପ୍ରଯୋଜନା ଓ ନିର୍ଦେଶନା
ମମତା ମାଗେ ମୂଲ (୧୯୮୫)
ପ୍ରଯୋଜନା ଓ କାହାଣୀ
ପରଦେଶୀ ବାବୁ (୧୯୯୮)
(ପ୍ରଥମ ତ୍ରିଭାଷୀ ଚଳଚ୍ଚିତ୍ର)
କେବଳ ନିର୍ଦେଶନା
ତୁଳସୀ ଅପା (୨୦୧୫)

ନାଟକ

ବ୍ୟଭିଚାର
ଏକଲବ୍ୟ
ପଳାତକ
ବାରବଧୂ
ନିଶିପଦ୍ମ
ମୃଗନାଭି
ରୁଧୀରକାବ୍ୟ
ନର୍କରେ ଚହଳ

ସ୍ମୃତିରେ ଅମିୟ

ବିଶ୍ବାସ ହଉନି

କେମିତି କହିବି… କ’ଣ କହିବି… କିଛି ବୁଝିପାରୁନି! ମୋତେ ଲାଗିଲା… ମୋ ପରିବାରରୁ ଯେମିତି କେହିଜଣେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା! ବହୁତ ଦୁଃଖ ଲାଗିଲା ତାଙ୍କ ଯିବାକଥା ଶୁଣି! ଆରେ, ଭଲ ଲୋକ କିଛି ରହିଲେ ସିନା ଭଲ ଭଲ କଥା ସବୁ ହବ! ସମାଜର କଲ୍ୟାଣ ହବ। ଏ ମାଟିର ନାଁ ରହିବ। ଅମିୟ ବାବୁ ତ ଆଉ ନାହାନ୍ତି ନା…!!! ସିଏ ଥିଲେ ଲାଗେ… ପାଖରେ କିଏ ଜଣେ ଅଛି… ଯିଏ କି ବିପଦରେ ଥିଲେ ସହଯୋଗର ହାତଟିଏ ବଢେ଼ଇଦବ! ମୁଁ ତାଙ୍କ ପାଖରେ ଚିରଋଣୀ ଯେ… ସେ ମୋ’ ଜୀବନୀ ଉପରେ … ‘ତୁଳସୀ ଅପା’ ନାଁରେ ଚଳଚ୍ଚିତ୍ରଟେ କରି ମୋତେ ସବୁଠି ଚିହ୍ନେଇ ଦେଇପାରିଲେ!
ପଦ୍ମଶ୍ରୀ ତୁଳସୀ ମୁଣ୍ତା

ସଫଳ ସିନେ ନିର୍ମାତା ଓ ଉତ୍ତମ ବନ୍ଧୁ

ଅମିୟ ଭାଇ ଜଣେ ସଫଳ ସିନେ ନର୍ମାତା ଥିଲେ। ତାଙ୍କ ପାଇଁ ଦର୍ଶକେ କିଛି ଓଡ଼ିଆତ୍ବର ବାସ୍ନା ଥିବା ଚଳଚ୍ଚିତ୍ର ପାଇଥିଲେ। ଏମିତି କିଛି କଥା ନ ଥିଲା ଯାହା ମୁଁ ପ୍ରସ୍ତାବ ଦେଉଥିଲି ସେ ସ୍ବୀକାର କରୁ ନ ଥିଲେ। ସ˚ଳାପରୁ ସଙ୍ଗୀତ ପୁଣି ଅଭିନୟରୁ ଚିତ୍ରୋତ୍ତୋଳନ; ସବୁଥିରେ ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ଥିଲା। ଆମ ଭିତରେ ଉତ୍ତମ ବନ୍ଧୁତା ଥିଲା। ଆମ ଦି’ଜଣଙ୍କ ଭିତରେ ପ୍ରେମ ଥିଲା। ଓଡ଼ିଆ ନାଟକ ହେଉ କି ଚଳଚ୍ଚିତ୍ର; ଏ ଜଗତ ଭିତରେ ଥିବା ଓ ଆସିବାକୁ ଥିବା ସମସ୍ତଙ୍କ ପାଇଁ ଅମିୟ ଭାଇ ନିଶ୍ଚିତ ଅନୁକରଣୀୟ ଓ ଅନୁକରଣୀୟ।
ରାଜୁ ମିଶ୍ର, ଚଳଚ୍ଚିତ୍ର ନିର୍ଦେଶକ

ଅମିୟ ଅମାୟିକ

ସମ୍ପର୍କରେ ସିଏ ମୋର ଭାଇ ଲେଖାଁ ହେବେ! ମାନେ, ସମ୍ପର୍କୀୟ ଭାଇ! ୧୯୮୪ ମସିହାରେ ତାଙ୍କ ସହ ମୋର ଗୋଟେ ଗେଟ୍‌ଟୁଗେଦର ମିଟି˚ରେ ଦେଖା ହେଇଥିଲା! ସେଇଠି ସିଏ ଗୋଟେ ଚଳଚ୍ଚିତ୍ର ନିର୍ମାଣ କରିବା କଥା କହିଥିଲେ। ନିର୍ଦ୍ଦେଶକ ଭାବେ ମୁଁ ପ୍ରଣବ ବାବୁ (ପ୍ରଣବ ଦାସ)ଙ୍କୁ ନେଇ ପହଞ୍ଚେଇଥିଲି। ବିଭୂତି ପଟ୍ଟନାୟକ କାହାଣୀ ଏବ˚ ବିଜୟ ମିଶ୍ର ଚିତ୍ରନାଟ୍ୟ ଆଉ ସ˚ଳାପ ରଚନା କରିଥିଲେ। ନିର୍ମାଣ ହେଲା ଚଳଚ୍ଚିତ୍ର ‘‘ହାକିମ ବାବୁ’’। ମୁଁ ଚଳଚ୍ଚିତ୍ରର ନାୟକ ‘‘ହାକିମ ବାବୁ’’ ଭୂମିକାରେ ଅଭିନୟ କରି ନିଜକୁ ଧନ୍ୟ ମଣିଥିଲି। ମୁକ୍ତିଲାଭ କଲା ପରେ ବେଶ୍‌ ଭଲ ଚାଲିଥିଲା ‘‘ହାକିମ ବାବୁ’’ ପ୍ରତ୍ୟେକଟି ପ୍ରେକ୍ଷାଳୟରେ। ଖାଲି ସେତିକି ନୁହେଁ… ଏ ଚଳଚ୍ଚିତ୍ର ରାଜ୍ୟ ତଥା ଜାତୀୟ ସ୍ତରରେ ଉଚ୍ଚ ପ୍ରଶ˚ସିତ ଆଉ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ ପୁରସ୍କୃତ ମଧ୍ୟ ହେଇଥିଲା। ଅମିୟ ବହୁତ ଅମାୟିକ ଆଉ ଦରଦୀ ମିଷ୍ଟଭାଷୀ ଥିଲେ। ଭଗବାନ ଅମିୟଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ତାଙ୍କ ଆତ୍ମାର ସଦ୍‌ଗତି ହଉ।
ଅଜିତ ଦାସ, ଅଭିନେତା

ଅମିୟ ଅତୁଳନୀୟ

ରାଉରକେଲାରେ ସୁଟି˚ ଚାଲିଥାଏ ‘ଝିଅଟି ସୀତା ପରି’… ସେଇଠୁ ଚିହ୍ନା ପରିଚୟ ମୋର ଅମିୟ ଭାଇ (ସ୍ବର୍ଗତ ଅମିୟ ପଟ୍ଟନାୟକ)ଙ୍କ ସହିତ। ଚିହ୍ନା ପରିଚୟରୁ ସମ୍ପର୍କ ଆହୁରି ଘନିଷ୍ଠ ହେଇ ଉଠିଲା। ନିବିଡ଼ ହେବାରେ ଲାଗିଲା ତାଙ୍କ ସହିତ ମୋର ମିଳାମିଶା। ତାଙ୍କ ପ୍ରଯୋଜନାରେ, ଗୋଟେ ପରେ ଗୋଟେ ଚଳଚ୍ଚିତ୍ରରେ ମୁଁ ଅଭିନୟ କରିଚାଲିଲି। ‘ମମତା ମାଗେ ମୂଲ’ଠୁ ‘ପରୀ ମହଲ’ ଯାଏଁ… ମୁଁ ପ୍ରାୟ ସବୁ ସିନେମାରେ ତାଙ୍କ ସହିତ ଜଡ଼ିତ ଥିଲି। କେବଳ ଅଭିନେତା ହିସାବରେ ନୁହେଁ ବର˚ ଜଣେ ସାନଭାଇ, ବନ୍ଧୁ, ପରିବାରର ସଦସ୍ୟ ହିସାବରେ ତାଙ୍କ ସହ ଥିଲା ମୋର ଭାବଗତ ସମ୍ପର୍କ। ତାଙ୍କ ଅବର୍ତ୍ତମାନରେ ଯୋଉ ଅପୂରଣୀୟ କ୍ଷତି ଘଟିଲା ତାହା ଯେ କେବେ ପୂରଣ ହେଇପାରିବ ମୋର ବିଶ୍ବାସ ହଉନି। ମା’ ଅମ୍ବିକାଙ୍କ ପାଖରେ ମୋର ବିନୀତ ପ୍ରାର୍ଥନା… ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ।
ଉତ୍ତମ ମହାନ୍ତି, ଅଭିନେତା

ଅମିୟ ସିନେମାର ଅଭୁଲା ଅଧ୍ୟାୟ

ଅମିୟ ପଟ୍ଟନାୟକ ଓଡ଼ିଆ ସିନେମା ଇତିହାସର ଗୋଟିଏ ଅଭୁଲା ଅଧ୍ୟାୟ, ଏକ କିମ୍ବଦନ୍ତୀ ପୁରୁଷ। ଓଡ଼ିଆ ସିନେମା ଯେତେବେଳେ ଫୁଲର ବଗିଚାଟିଏ ହୋଇ, ମହମହ ଗନ୍ଧରେ କେବଳ ଓଡ଼ିଶା ନୁହଁ ଆମ ପାଖର ୫/୭ ପ୍ରଦେଶକୁ ଉତ୍‌ଫୁଲ୍ଲିତ କରୁଥିଲା, ଲୋକେ କହୁଥିଲେ ଆମ ଓଡ଼ିଆ ସିନେମା ପରି କିଛି ନାହିଁ। ସେତେବେଳେ ଓଡ଼ିଆ ସିନେମାର ମଙ୍ଗ ଯେଉଁମାନେ ଧରିଥିଲେ, ସେମାନଙ୍କ ଭିତରେ ଅମିୟ ପଟ୍ଟନାୟକ ଥିଲେ ପ୍ରଧାନ। ପ୍ରଭୁ ଏ କି ଦୁଃଖ ଦେଲ- ଏଇତ କେଇ ମାସ ତଳେ ଦେଖା ହେଇଥିଲା-କହୁଥିଲା ବିଜୟ ଭାଇ, ଆଉ ଥରେ ସିନେମା କରିବା ମଁ। ଅମିୟ ପଟ୍ଟନାୟକ ଚାଲିଗଲେ। ସ୍ତବ୍ଧ ହେଇଗଲା ଓଡ଼ିଶା-ସ୍ତବ୍ଧ ହେଇଗଲେ ଦର୍ଶକଗଣ- ସ୍ତବ୍ଧ ଓ ମୂକ ହେଇଗଲେ କଳାକାରମାନେ।
ବିଜୟ ମହାନ୍ତି, ଅଭିନେତା

ସମ୍ବନ୍ଧିତ ଖବର