ମକରସଂକ୍ରାନ୍ତିର ‘ଉତ୍ତରାୟଣ ଯାତ୍ରା’ ପରି, କର୍କଟ ସଂକ୍ରାନ୍ତିର ‘ଦକ୍ଷିଣାୟନ ଯାତ୍ରା’ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରାର ଅନ୍ତର୍ଭୁକ୍ତ। ବାଲୁଙ୍କୀ ପାଠୀ ରଚିତ ‘ଯାତ୍ରା ଭାଗବତ’ରେ ଏ ସଂପର୍କରେ ଉଲ୍ଲେଖ ଅଛି- “ସଂସାରର ମଙ୍ଗଳବିଧାନ ପାଇଁ ଭଗବାନଙ୍କର ଏହି ଦକ୍ଷିଣାୟନଯାତ୍ରା ହୋଇଥାଏ।” ‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଅନୁସାରେ, ମୁନିମାନଙ୍କର ପ୍ରଶ୍ନରେ ଜୈମିନୀଋଷି ସେମାନଙ୍କୁ କହିଛନ୍ତି- କର୍କଟରାଶିକୁ ସୂର୍ଯ୍ୟଦେବ ଗମନ କରିବା ସମୟରେ, ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ହରି ଶୟନ କରିଥାନ୍ତି। ଶ୍ରୀହରି ଆରାଧନା ପାଇଁ ଏହି ଚାରିମାସ ଅତ୍ୟନ୍ତ ପୁଣ୍ୟମୟ କାଳ। ଭଗବାନ ନିଜ ଶୟନ ଦ୍ୱାରା ପବିତ୍ର କରିଥିବା ଏହି ଚାରିମାସ ପୁରୁଷୋତ୍ତମ କ୍ଷେତ୍ରରେ ବାସ କରିବା ପରମ ପୁଣ୍ୟପ୍ରଦ।

Advertisment

କର୍କଟରାଶିକୁ ସୂର୍ଯ୍ୟଦେବ ଗମନ କରିବା ସମୟରେ, ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ହରି ଶୟନ କରିଥାନ୍ତି। ଶ୍ରୀହରି ଆରାଧନା ପାଇଁ ଏହି ଚାରିମାସ ଅତ୍ୟନ୍ତ ପୁଣ୍ୟମୟ କାଳ।

‘ନୀଳାଦ୍ରି ମହୋଦୟ’ ଅନୁସାରେ, ଏହି ଅୟନ (ଦକ୍ଷିଣାୟନ) ଯାତ୍ରା ପ୍ରସଙ୍ଗ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ। ସେହିକଥା ସୂତମୁନି ଋଷିମାନଙ୍କୁ ଶୁଣାଇଛନ୍ତି। ସମୟକ୍ରମେ ଠାକୁର ରଥରେ ଥିବାବେଳେ ଯଦି କର୍କଟ ସଂକ୍ରାନ୍ତି ପଡ଼େ, ତେବେ ମଧ୍ୟ ରଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ସକଳ ପାପରାଜି ନାଶ କରିବାରେ କୁଶଳ, ସକଳ ତୀର୍ଥମାନଙ୍କ ମଧ୍ୟରେ ଅତ୍ୟନ୍ତ ମନୋହର ତଥା ଉଜ୍ଜ୍ୱଳ ଜ୍ୟୋତିଷ୍କତୁଲ୍ୟ। ଯେଉଁମାନେ ପବିତ୍ର ତଥା ସକଳ କାମନାପ୍ରଦ ଏହି ଅୟନ ଓ ଶୟନଯାତ୍ରାକୁ ଭକ୍ତିପୂର୍ଣ୍ଣ ହୃଦୟରେ ଦର୍ଶନ କରନ୍ତି, ସେମାନେ ପାପ ସମୂହରୁ ମୁକ୍ତହେବା ସହିତ ଦେବଦୁର୍ଲଭ ବିଷ୍ଣୁଲୋକକୁ ଗମନ କରନ୍ତି। ଏ ସଂପର୍କରେ ‘ସ୍କନ୍ଦପୁରାଣ’ରେ ମଧ୍ୟ ଉଲ୍ଲେଖ ଅଛି- ବହୁ ବ୍ରତ, ନିୟମ କରି କାଶୀଧାମରେ ବହୁଯୁଗ ବାସ କଲେ ଯେଉଁ ପୁଣ୍ୟ ମିଳେ, ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଏହି ଚାରିମାସ ମଧ୍ୟରୁ ଏକଦିନ ମାତ୍ର ଶ୍ରୀହରିଙ୍କ ସାନ୍ନିଧ୍ୟରେ ବାସ କଲେ, ସେ ସମସ୍ତ ପୁଣ୍ୟ ମିଳିଥାଏ।