ଓଲିଉଡ୍ରେ ଅନେକ ସମୟରେ ପୁରୁଣା ଟାଇଟଲ୍କୁ ନେଇ ନୂଆ ଓଡ଼ିଆ ସିନେମା ତିଆରି ହୋଇଛି। ଏବେ ସେହି ଧାରାରେ ସାମିଲ ହୋଇଛି ଆଉ ଦୁଇଟି ନୂଆ ଓଡ଼ିଆ ଛବି। ଉପରୋକ୍ତ ଦୁଇ ନୂଆ ଛବିକୁ ନେଇ ରୋଚକ ଉପସ୍ଥାପନା।
ପୁରୁଣା ନାଁକୁ ନେଇ ନୂଆ ସିନେମା କରିବା ଧାରା ବଲିଉଡ୍ରୁ ଆରମ୍ଭ ହୋଇ ଓଲିଉଡ୍ରେ ପହଞ୍ଚିଛି। ଅତୀତରେ ‘ମା’, ‘ଜଗା ହାତରେ ପଘା’, ‘ଗପ ହେଲେ ବି ସତ’, ‘ସୁନା ସଂସାର’, ‘ଜନ୍ମଦାତା’, ‘କିଏ କାହାର’, ‘ଜୀବନସାଥୀ’, ‘ସମୟ ବଡ଼ ବଳବାନ୍’ ଓ ‘ଅରୁନ୍ଧତୀ’ ଆଦି ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ନାଁରେ କିଛି ବର୍ଷର ବ୍ୟବଧାନରେ ପୁଣି ଥରେ ଓଡ଼ିଆ ସିନେମା ନିର୍ମାଣ ହୋଇଛି । ଏବେ ପୂର୍ବରୁ ନିର୍ମିତ ଶୀର୍ଷକରେ ପୁଣି ଦୁଇଟି ଓଡ଼ିଆ ଛବି ନିର୍ମାଣ ହେଉଛି।
ପୁଣି ଥରେ ‘ପବିତ୍ର ବନ୍ଧନ’
‘ପବିତ୍ର ବନ୍ଧନ’ ଶୀର୍ଷକରେ ୧୯୯୯ରେ ନିର୍ଦ୍ଦେଶକ ରବି କିନ୍ନାଗୀ ଏକ ଓଡ଼ିଆ ଛବି ନିର୍ମାଣ କରିଥିଲେ। ଦୀପୁ ଲେଙ୍କା, ରବି କିନ୍ନାଗୀ ଓ ପ୍ରଦୀପ ଭୋଳ ଏହାର ପ୍ରଯୋଜନା କରିଥିଲେ। ଏଥିରେ ମିହିର ଦାସ, ରଚନା ବାନାର୍ଜୀ, ସ୍ମିତା ମହାନ୍ତି, ବାଙ୍କୁ ଓ ନମ୍ରତା ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସୁନ୍ଦର ପାରିବାରିକ କାହାଣୀକୁ ନେଇ ନିର୍ମିତ ଏହି ଓଡ଼ିଆ ଛବିର ସଂଗୀତ ନିର୍ଦ୍ଦେଶକ ଥିଲେ ଅମରେନ୍ଦ୍ର ମହାନ୍ତି । ଦର୍ଶକଙ୍କ ଦ୍ବାରା ଏହା ବେଶ୍ ଆଦୃତ ହୋଇଥିଲା।
ଏବେ ସେହି ‘ପବିତ୍ର ବନ୍ଧନ’ ଶୀର୍ଷକରେ ଏକ ନୂଆ ଓଡ଼ିଆ ସିନେମା ନିର୍ମିତ ହେଉଛି, ଯାହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)। ସିଦ୍ଧାର୍ଥ ମୁଭିଜ୍ ବ୍ୟାନରରେ ନିର୍ମାଣାଧୀନ ଏହି ଓଡ଼ିଆ ଛବିର ପ୍ରଯୋଜନା କରୁଛନ୍ତି ସୀତାରାମ ଅଗ୍ରୱାଲ୍। ଏହାର ସଂଳାପ ଲେଖିଛନ୍ତି ନିର୍ମଳ ନାୟକ। ଏଥିରେ ଦୀପକ, ରିୟା, କୁକିଜ୍ ସ୍ବାଇଁ, ପୃଥ୍ବୀରାଜ, ପ୍ରଜ୍ଞା, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ ଓ ନମିତା ଦାସ ପ୍ରମୁଖ ଅଭିନୟ କରିଛନ୍ତି। ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର।
ଆଉ ଥରେ ‘ସ୍ବପ୍ନ ସାଗର’
ଓଲିଉଡ୍ର ଏକ ବହୁଚର୍ଚ୍ଚିତ ସିନେମା ‘ସ୍ବପ୍ନ ସାଗର’। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ ବରିଷ୍ଠ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ଏଥିରେ ପ୍ରଶାନ୍ତ ନନ୍ଦ, ମହାଶ୍ବେତା, ଶ୍ରୀରାମ ପଣ୍ଡା, ଅନୀତା ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି ଓ ଦୁଃଖୀରାମ ସ୍ବାଇଁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦୁଇ ଜନ୍ମର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଥିଲା ‘ସ୍ବପ୍ନ ସାଗର’। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ଏହାର ପ୍ରତିଟି ଗୀତ (ଚିଠି ମୋର ଟିକି ଚଢ଼େଇ... ଏଇ ପାଣିରେ ପାଣିରେ ପାଣି... ହୃଦୟହୀନ ସାଗର... ଶିକାରୀ ଶିକାରୀ ତୁ… ସେଇ ଦ୍ବୀପ ଅଛି, ସେଇ ଫୁଲ ଅଛି… ବାଟୋଇ ଭାଇ…) ଆଜି ବି ସ୍ମରଣୀୟ।
ଏବେ ପୁଣି ସେହି ସମାନ ଟାଇଟଲ୍ରେ ତିଆରି ହେଉଛି ଆଉ ଏକ ସିନେମା। ସାଇ ଦରବାର ଫିଲ୍ମ୍ସ୍ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜକ ହେଲେ ଅରବିନ୍ଦ ସାହୁ, ଯିଏ କି ‘ଶଙ୍କର’ ଓ ‘ବିଗୁଲ୍’ ଭଳି ଓଡ଼ିଆ ଛବି ନିର୍ମାଣ କରିଛନ୍ତି। ୱେବ୍ ସିରିଜ୍ ‘ଆନ୍ଥୋନି’ର ନିର୍ଦ୍ଦେଶନା ଦେଇ ସଫଳତା ହାସଲ କରିଥିବା ବୀରେନଜ୍ୟୋତି ମହାନ୍ତି ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶକ। ସେ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ଲେଖିଛନ୍ତି। ଏହି ସିନେମାରେ ‘ଶଙ୍କର’ ଓ ‘ବିଗୁଲ୍’ର ନାୟକ ଦେବାନନ୍ଦ ମୁଖ୍ୟ ଭୂମିକାରେ ଅଛନ୍ତି। ଖୁବ୍ ଶୀଘ୍ର ପୂରା କଳାକାର ଚୟନ ହେବ ଏବଂ ସମ୍ଭବତଃ ଜୁଲାଇରେ ସୁଟିଂ ଆରମ୍ଭ ହେବ। ସୂରଜ ପୁରୋହିତ ‘ସ୍ବପ୍ନ ସାଗର’ର ସଙ୍ଗୀତ ପ୍ରସ୍ତୁତ କରୁଛନ୍ତି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଦୁଇ ବହୁଚର୍ଚ୍ଚିତ ପୁରୁଣା ଓଡ଼ିଆ ସିନେମା ସହ ନୂଆ ଦୁଇଟି ସମକକ୍ଷ ହୋଇପାରୁଛି କି ନାହିଁ ତାହା ଦେଖିବାର କଥା।