ବିଶାଖାପାଟ୍ଟନମ୍: ପୁଲିସ୍ଙ୍କ ନାମ ଶୁଣିଲେ ଲାଠି, ବନ୍ଧୁକ, ହାତକଡ଼ି ଆଦି ସାମଗ୍ରୀ ଆଖି ସାମ୍ନାକୁ ପଳାଇ ଆସେ। ମାତ୍ର ସବୁ ପୁଲିସ୍ କର୍ମଚାରୀ ଯେ କେବଳ ଲାଠି, ବନ୍ଧୁକ ଓ ହାତକଡ଼ିରେ ସୀମିତ, ତା ନୁହେଁ। ଅାମେ ଆଜି ଏମିତି ଜଣେ ପୁଲିସ୍ଙ୍କ ସହ ପରିଚୟ କରାଇବୁ, ଯିଏକି ନିଜ ମାସିକ ଦରମାର ୨୦ ପ୍ରତିଶତ ଟଙ୍କାରୁ ଗରିବ ଓ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟ ଓ କପଡ଼ାରେ ବିନିଯୋଗ କରିଥାନ୍ତି।
ଏହି ପୁଲିସ୍ କର୍ମଚାରୀ ଜଣକ ହେଉଛନ୍ତି କେ କ୍ରିଷ୍ଣା ମୂର୍ତ୍ତି। ଜାଣିବାକୁ ମିଳିଛି ଯେ କ୍ରିଷ୍ଣା ଗତ ୩ ବର୍ଷ ମଧ୍ୟରେ ପ୍ରାୟ ହଜାରରୁ ଊର୍ଧ୍ବ ବ୍ୟକ୍ତିଙ୍କୁ ନିଜ ଟଙ୍କାରୁ ଖାଦ୍ୟ ଓ କପଡ଼ା ଯୋଗାଇ ସାରିଛନ୍ତି। ୫୫ ବର୍ଷୀୟ ଏହି ପୁଲିସ୍ଙ୍କ କହିବା କଥା ଲୋକମାନଙ୍କ ସମସ୍ୟା ତାଙ୍କ ଆଖିରୁ ନିଦ ହଜାଇ ଦିଏ। ସେ ବାଧ୍ୟ ହୋଇପଡ଼ନ୍ତି ସେମାନଙ୍କ ପାଇଁ କିଛି କରିବା ପାଇଁ।
କ୍ରିଷ୍ଣା କହନ୍ତି କି ସେ ପିଲା ଥିଲା ବେଳେ ତାଙ୍କ ବାପା ଓ ଜେଜେବାପା ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବାର ସେ ଦେଖିଥିଲେ। ପିଲାଟି ଦିନରୁ ହିଁ ତାଙ୍କ ଭିତରେ ଲୋକଙ୍କୁ ସାହାଯ୍ୟ କରିବାର ମନବୃତ୍ତି ସୃଷ୍ଟି ହୋଇଥିଲା। ତାଙ୍କ କହିବା କଥା ହେଲା ସେ ରାତି ରାତି ଉଜାଗର ରହି ଭାବୁଥିଲେ ଯେ କପରି ଭାବେ ସେ ଲୋକଙ୍କ ସାହାଯ୍ୟ କରିପାରିବେ। ସେ ଶେଷରେ ନିଜ ଦରମାର ୨୦ ପ୍ରତିଶତ ଲୋକଙ୍କ ହିତରେ ବିନିଯୋଗ କରିବାର ନିଷ୍ପତ୍ତି ନେଲେ।
ସେ ଏହି ବାବଦରେ ନିଜ ପକେଟ୍ରୁ ମାସକୁ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି। ପୁଲିସ୍ ଷ୍ଟେସନ୍ରେ ଦୀର୍ଘ ସମୟ ଧରି ଡିଉଟି କରିବା ପରେ ବି ଥକି ପଡ଼ନ୍ତିନି କ୍ରିଷ୍ଣା। ବୟସ୍କ ଲୋକଙ୍କୁ ସାହାଯ୍ୟ କରିବାକୁ ସେମାନଙ୍କ ଦୁଆର ମୁହଁରେ ପହଞ୍ଚି ସେବା ପ୍ରଦାନ କରିଥାନ୍ତି ସେ। ମାସକୁ ଅତି କମ୍ରେ ୩୦ ଜଣ ଗରିବ ଲୋକଙ୍କୁ ସେ ସହାୟତାର ହାତ ବଢ଼ାଇ ଥାଆନ୍ତି।
କ୍ରିଷ୍ଣାଙ୍କ ବଡ଼ପଣ ପାଇଁ ଉପକୃତ ହୋଇଥିବା ଅନେକ ବୟସ୍କ ପୁରୁଷ ଓ ମହିଳା କ୍ରିଷ୍ଣାଙ୍କୁ ତାଙ୍କ ନିଜ ପିଲା ବୋଲି ସମ୍ବୋଧନ କରିଥିବାର ଦେଖିବାକୁ ମିଳିଛି। ସେମାନେ କ୍ରିଷ୍ଣାକୁ ନିଜ ପୁଅ ବୋଲି କହିବା ଆରମ୍ଭ କରିଛନ୍ତି।