ବିଶାଖାପାଟଣାମ୍: ଶୁକ୍ରବାର ସଂଧାରେ ହାଇଦ୍ରାବାଦ-ଗୁଣ୍ଟୁର ରାଜପଥରେ ଗାଡ଼ି ନେଇ ଯାଉଥିବା ବେଳେ ମଦ୍ଗୁଲାପଲିଠାରେ ଥିବା ଟୋଲ୍ ପ୍ଲାଜା କର୍ମୀ ଟୋଲ୍ ଫ୍ରି ବାବଦରେ ୫୬ ଟଙ୍କା ମାଗିବା ପରେ ଗାଡ଼ି ଭିତରେ ବସିଥିବା ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କ ପତ୍ନୀ ଯେଉଁ ଭଳି ଭାବେ କାଣ୍ଡ ରଚିଛନ୍ତି ତାହା ଏବେ ଚାରିଆଡ଼େ ଚହଳ ପକାଇଛି। ବିଧାୟକ ତଥା ମନ୍ତ୍ରୀ ପ୍ରତିପତି ଫୁଲା ରାଓଙ୍କ ପତ୍ନୀ ତାଙ୍କ ଗାଡ଼ି ନେଇ ହାଇଦ୍ରାବାଦ୍ରୁ ଗୁଣ୍ଟୁର୍ ଯାତ୍ରା କରୁଥିଲେ। ବାଟରେ ତାଙ୍କୁ ଟୋଲ୍ ପ୍ଲାଜା କର୍ମୀ ଅଟକାଇ ଟୋଲ୍ ଫି ମାଗିବାରୁ ତାଙ୍କ ଉପରେ ବର୍ଷିଗଲେ ମନ୍ତ୍ରୀଙ୍କ ପତ୍ନୀ ପି ଭେଙ୍କେଟା କୁମାରୀ।
ତାଙ୍କ କହିବା କଥା ହେଲା ସେ ଅନେକ ଥର ତାଙ୍କ ସ୍ୱାମୀଙ୍କ ଗାଡ଼ି ନେଇ ଯାତାୟାତ କରିଛନ୍ତି। କେବେ ବି ତାଙ୍କୁ ଫି ଦେବାକୁ ପଡ଼ିନି। ଗାଡ଼ି ଆଗରେ ଏମ୍ଏଲ୍ଏ ଲେଖାଯିବା ପରେ ମଧ୍ୟ କାହିଁକି ତାଙ୍କୁ ଫି ମଗାଯାଇଛି।
ଭେଙ୍କେଟା କୁମାରୀଙ୍କ କଥାରେ ଜବାବ ଦେଇ ଟୋଲ୍ ପ୍ଲାଜା କର୍ମୀ ଜଣକ କହିଛନ୍ତି ଯେ ୨୦୧୮ ଡିସେମ୍ବର ପରଠାରୁ ତାଙ୍କ ସ୍ୱାମୀ ଆଉ ବିଧାୟକ ହୋଇନାହାନ୍ତି। ତା’ଛଡ଼ା ବିଧାୟକ ହୋଇଥିଲେ ବି ଫି ଛାଡ଼ କେବଳ ତାଙ୍କ ପାଇଁ। ବିଧାୟକଙ୍କ ଗାଡ଼ି ନେଇ ଯାଉଥିବା ସମସ୍ତଙ୍କ ପାଇଁ ଫି ଛାଡ଼ କରାଯିବା ନିୟମ ବହିର୍ଭୂତ।
ମାତ୍ର କିଛି କଥା ବୁଝିବା ଅବସ୍ଥାରେ ନଥିବା ଭେଙ୍କେଟା କୁମାରୀ ଖୁବ୍ ଜୋର୍ରେ ଟୋଲ୍ ପ୍ଲାଜା କର୍ମୀଙ୍କ ଉପରେ କମ୍ପି ଯାଇଥିବା ବେଳର ଭିଡିଓ ଏବେ ସେସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।