ଲେପାକ୍ଷୀ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଅବସ୍ଥିତ ଥିବା ଏକ ଛୋଟ ଗାଁ। ପୌରାଣକ କଥା ଅନୁଯାୟୀ ଏହା ରାମାୟଣ ଯୁଗର ସେହି ସ୍ଥାନ, ଯେଉଁଠି ରାବଣ ସହିତ ଯୁଦ୍ଧ କରିବା ସମୟରେ କ୍ଷତବିକ୍ଷତ ଅବସ୍ଥାରେ ଜଟାୟୁ ପଡ଼ିଯାଇଥିଲେ। ଏହି ଗାଁରେ ପ୍ରାୟ ୧୬୦୦ ଶତାବ୍ଦୀ ବେଳକୁ ଜନବସତି ସ୍ଥାପନ ଆରମ୍ଭ ହୋଇଥିଲା। ଏହି ଗାଁ ଲେପାକ୍ଷୀ ମନ୍ଦିର ପାଇଁ ସାରା ଭାରତରେ ପ୍ରସିଦ୍ଧ। ଏହା ନିଜର ନିଆରା କଳାତ୍ମକ ପ୍ରଦର୍ଶନ ପାଇଁ ବେଶ୍ ଜଣାଶୁଣା। ଏହା ଏକ ବିଶାଳ ମନ୍ଦିର। ଲେପାକ୍ଷୀ ମନ୍ଦିର ବୀରଭଦ୍ରଙ୍କ ମନ୍ଦିର ଭାବେ ମଧ୍ୟ ପରିଚିତ। ଏହି ମନ୍ଦିର ପରିସରରେ ଭଗବାନ ଶିବ, ବିଷ୍ଣୁ ଓ ବୀରଭଦ୍ରଙ୍କର ତିନିଟି ମନ୍ଦିର ସ୍ଥାପନ କରାଯାଇଛି।
ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଯାହା ମଧ୍ୟରୁ ଗୋଟିଏ ସ୍ତମ୍ଭ ମାଟିକୁ ନ ଛୁଇଁ, ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ। ଏହି ଗୋଟିଏ ଝୁଲି ରହିଥିବା ସ୍ତମ୍ଭ ଯୋଗୁ ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର କୁହାଯାଉଛି। ଲୋକକଥା ଅନୁଯାୟୀ ପୂର୍ବରୁ ଏହି ସ୍ତମ୍ଭ ମାଟି ସହିତ ଯୋଡା ହୋଇ ରହିଥିଲା। ଥରେ ଜଣେ ବ୍ରିଟିଶ୍ ଇଂଜିନିୟର ଏହି ମନ୍ଦିର ସ୍ତମ୍ଭ ଉପରେ କିପରି ଠିଆ ହୋଇ ରହିଛି ଜାଣିବା ପାଇଁ ସେହି ସ୍ତମ୍ଭକୁ ଜୋର୍ରେ ବାଡ଼େଇ ଦେଇଥିଲେ। ବାସ୍ ସେବେଠାରୁ ହିଁ ସ୍ତମ୍ଭଟି ଝୁଲନ୍ତା ଅବସ୍ଥାରେ ରହିଛି ବୋଲି କୁହାଯାଏ। ଏଠାରେ ସବୁବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନଙ୍କ କହିବା ଅନୁଯାୟୀ ଏହି ସ୍ତମ୍ଭ ତଳେ କପଡ଼ା ବିଛାଇ ପୁଣି କାଢ଼ି ଆଣିବା ଫଳରେ ସୁଖ ସମୃଦ୍ଧି ବଢ଼ିଥାଏ।
ଏହି ମନ୍ଦିରର ନିର୍ମାଣ ପ୍ରାୟ ୧୫୮୩ ମସିହାରେ କରାଯାଇଥିଲା। ଏହାକୁ ବିରୁପନ୍ନା ଓ ବିରନ୍ନା ନାମକ ଦୁହେଁ ଭାଇ ମିଶି ତିଆରି କରିଥିଲେ। ଏହି ଦୁଇ ଭାଇ ବିଜୟନଗର ରାଜାଙ୍କ ପ୍ରାସାଦରେ କାମ କରୁଥିଲେ। ପୌରାଣିକ ତଥ୍ୟ ଅନୁଯାୟୀ ଲେପାକ୍ଷୀ ମନ୍ଦିର ପରିସରରେ ଅବସ୍ଥିତ ଥିବା ବୀରଭଦ୍ର ମନ୍ଦିରର ନିର୍ମାଣ ଋଷି ଅଗସ୍ତ୍ୟ କରିଥିଲେ। ଲୋକକଥା ଅନୁଯାୟୀ ଏହି ସ୍ଥାନରେ ରାମ ସୀତାଙ୍କୁ ଖୋଜୁଥିବା ସମୟରେ ଜଟାୟୁକୁ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ଓ ଜଟାୟୁକୁ ଦେଖି କହିଥିଲେ ‘‘ଲେ ପାକ୍ଷୀ’’ ଅର୍ଥ ‘‘ଉଠ ପକ୍ଷୀ’’। ଲେ ପାକ୍ଷୀ ଏକ ତେଲଗୁ ଶବ୍ଦ।
ଏଠାରେ ଝୁଲନ୍ତା ସ୍ତମ୍ଭ ଭଳି ଅନେକ କଳା କୀର୍ତ୍ତୀମାନ ରହିଛି। ଯାହା ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିପାରୁଛି। ଲେପାକ୍ଷୀ ମନ୍ଦିରଠାରୁ ୨୦୦ ମିଟର ଦୁରରେ ଏକ ବିଶାଳ ବୃଷଭ ମଧ୍ୟ ସ୍ଥାପନ କରାଯାଇଛି। ଯାହା ୨୭ ଫୁଟ୍ ଲମ୍ବ ଓ ୧୫ ଫୁଟ୍ ଚଉଡ଼ା ବିଶିଷ୍ଟ। ଏହାର ବିଶେଷତା ହେଉଛି ଏହା ଗୋଟିଏ ପଥରରେ ତିଆରି ହୋଇଥିବା ଏକମାତ୍ର ବିଶାଳ ବୃଷଭ ପ୍ରତିମା। ଖାଲି ସେତିକି ନୁହେଁ ବୀରଭଦ୍ର ମନ୍ଦିର ପରିସରରେ ଗୋଟିଏ ପଥରରେ ତିଆରି ହୋଇଥିବା ଏକ ବିରାଟ ନାଗଲିଙ୍ଗର ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଏହା ଭାରତର ସର୍ବବୃହତ ନାଗଲିଙ୍ଗ ପ୍ରତିମା ଭାବେ ଜଣାଶୁଣା। ଗ୍ରାନାଇଟ୍ରେ ତିଆରି ହୋଇଥିବା ଶିବ ଲିଙ୍ଗ ଉପରେ ସାତ ଫେଣା ମେଲାଇ ବସିଥିବା ଏହି ଲିଙ୍ଗ ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥାଏ। ବୀରଭଦ୍ର ମନ୍ଦିର ପରିସରରେ ଏକ ସୁନ୍ଦର ପାଦ ଚିହ୍ନ ମଧ୍ୟ ରହିଛି। ଯାହାକୁ ସେଠାକାର ଲୋକମାନେ ‘‘ରାମ ପାଦ’’ ବୋଲି ମାନିଥାନ୍ତି।
କେହି କେହି ଏହାକୁ ସୀତାଙ୍କ ପାଦର ଚିହ୍ନ ବୋଲି ମଧ୍ୟ କହିଥାନ୍ତି। ଖାଲି ସେତିକି ନୁହେଁ ସେହି ମନ୍ଦିରର ଉପରି ଭାଗରେ ଏକ ଭବ୍ୟ ଭିତ୍ତି ଚିତ୍ର ରହିଛି। ଏହାର ମନୋରମ ଦୃଶ୍ୟ ଦେଖିବାକୁ ସବୁବେଳେ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ। ମନ୍ଦିର ପରିସରରେ ଥିବା ଚଟାଣ ଉପରେ ଭକ୍ତ କନ୍ନାପାର କାହାଣୀ ଅତି ସୁନ୍ଦର ଭାବେ ଖୋଦିତ ହୋଇ ରହିଛି। ଏଠାରେ ଏଭଳି କିଛି ଥାଳିର ଚିହ୍ନ ରହିଛି ଯାହାକୁ ଅନେକ ଲୋକ ସେତେବେଳେ ସମୟ ଜାଣିବା ପାଇଁ ବ୍ୟବହାର କରାଯାଉଥିବା ବିଶ୍ୱାସ କରିଥାନ୍ତି ଓ ଆଉ କେତେକ ଏହାକୁ ଏକ ବିଶାଳ ରଙ୍ଗ ଥାଳି ବୋଲି ମଧ୍ୟ କହିଥାନ୍ତି। ଯାହା ସେତେବେଳେ ଚିତ୍ର କରିବା ପାଇଁ ଚିତ୍ରକାରମାନେ ବ୍ୟବହାର କରୁଥିଲେ। ଏହାର ଗୋଟିଏ ଚଟାଣରେ ଗଣେଶଙ୍କର ଏକ ଭବ୍ୟ ପ୍ରତିମା ମଧ୍ୟ ରହିଛି। ଏହି ମନ୍ଦିର ଚାରିପାର୍ଶ୍ୱରେ ବିଶାଳ ମଣ୍ଡପ ରହିଛି। ମନ୍ଦିରର ଭିତର ପାର୍ଶ୍ୱରେ ଏକ ଲମ୍ବା ବାରଣ୍ଡା ମଧ୍ୟ ରହିଛି। ଏଠାରେ ଏଭଳି କିଛିି ବିଚିତ୍ର ଦୃଶ୍ୟ ରହିଛି ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ। ଯେମିତିକି ଏଠାରେ ମନ୍ଦିର ତିଆରି କରାଯାଉଥିବା ସମୟରେ କିଛି ପଥର ଚୁନା ପଡ଼ି ଏକ ବିରାଟ ପଥର ଖଣ୍ଡ ରହିଛି। ଯାହାକୁ ଶ୍ରଦ୍ଧାଳୁମାନେ ବେଶ୍ ଆନନ୍ଦରେ ପୂଜା ମଧ୍ୟ କରିଥାନ୍ତି। ମନ୍ଦିରର ଉପର ପାର୍ଶ୍ୱରେ ଶିବଙ୍କର ଏକ ସୁନ୍ଦର ଚିତ୍ର ଅଙ୍କା ହୋଇ ରହିଛି। ଯାହା ମନ୍ଦିରର ଶୋଭାକୁ ଦୁଇଗୁଣା କରିଥାଏ।