ଏଞ୍ଜେଲା ମାର୍କେଲ୍‌ (ଜନ୍ମ-୧୯୫୪)ଙ୍କୁ ସମଗ୍ର ବିଶ୍ବ ‘ଲେଡି ଅଫ୍‌ ଦି ୱାର୍ଲ୍ଡ’ ନାମରେ ଚିହ୍ନିଛି। କୁହାଯାଏ ଯେ, ମାର୍କେଲ୍‌ ଏକାକୀ ଷାଠିଏ ଲକ୍ଷ ପୁରୁଷଙ୍କ ସହ ସମାନ। ତାଙ୍କର ଦୀର୍ଘ ୧୮ବର୍ଷ ଶାସନକାଳ ମଧ୍ୟରେ ଜର୍ମାନୀ ଓ ଜର୍ମାନୀର ନାଗରିକମାନଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇ ସାରିବା ପରେ ଏଞ୍ଜେଲା ନିଃଶବ୍ଦରେ ଶାସନ କ୍ଷମତା ତ୍ୟାଗକରି ପରବର୍ତ୍ତୀ ପିଢ଼ି ହାତରେ ଟେକି ଦେଇଛନ୍ତି। ୧୮ବର୍ଷ ଭିତରେ ସେ ଜର୍ମାନୀବାସୀଙ୍କର ଏତେ ପ୍ରିୟ ହୋଇ ପାରିଥିଲେ ଯେ, ସେ ଚାହିଁଥିଲେ ମୃତ୍ୟୁ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହି ପାରିଥାନ୍ତେ। ୨୦୨୧ ମସିହାରେ ସେବା ନିବୃତ୍ତି ସମୟରେ ସମଗ୍ର ଜର୍ମାନୀବାସୀ ନିଜ ନିଜ ଘର ସାମ୍ନାରେ, ବାଲ୍‌କୋନିରେ ଓ ରାସ୍ତାସାରା ଦୀର୍ଘ ୬ ମିନିଟ୍ ଧରି କରତାଳି ଧ୍ବନିରେ ଗଗନପବନ ପ୍ରକମ୍ପିତ କରି ତାଙ୍କୁ ବିଦାୟ ଜଣାଇଥିଲେ, ଯାହାକି ଜର୍ମାନୀ ଇତିହାସରେ ବିରଳ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ତାଙ୍କ ବିଦାୟ ବେଳାରେ ବିରୋଧୀ ନେତାମାନଙ୍କର ଆଖି ମଧ୍ୟ ଓଦା ହୋଇ ଯାଇଥିଲା ଶ୍ରଦ୍ଧା ଓ ସମ୍ମାନର ଅଶ୍ରୁରେ। ବଦଳରେ ମାର୍କେଲ୍‌ ଜର୍ମାନୀର ଆଠକୋଟି ଲୋକଙ୍କୁ ସୁଶାସନ, ଅର୍ଥନୈତିକ ବିକାଶ, ଉନ୍ନତ ଜୀବନ ଓ ନିରାପତ୍ତା ପରି ସୁବିଧାର ଉପହାର ଦେଇଯାଇଛନ୍ତି।

Advertisment

ମାର୍କେଲ୍‌ଙ୍କର ୧୮ବର୍ଷ ଶାସନ ଭିତରେ ଜର୍ମାନୀରେ ତାଙ୍କ ବିରୋଧରେ ବିରୋଧୀମାନେ ଗୋଟିଏ ହେଲେ ଅନୈତିକ କାର୍ଯ୍ୟର ଅଭିଯୋଗ କରିପାରିନାହାନ୍ତି। ଶାସନକାଳ ଭିତରେ ଥରୁଟିଏ ମଧ୍ୟ ଟିଭିରେ କିମ୍ବା କୌଣସି ଜନସଭାରେ ନିଜର କୃତିତ୍ୱ ଦାବି କରିନାହାନ୍ତି ସେ। ତାଙ୍କ ପ୍ରଚାର ପାଇଁ ନିଜର ଫଟୋ କି ବାଣୀର ପୋଷ୍ଟର ଧରି ଜର୍ମାନୀର କୌଣସି ରାସ୍ତାରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ। ଶାସନ କ୍ଷମତାକୁ ଜାବୁଡ଼ି ଧରି ରଖିବା ପାଇଁ ସେ କେବେହେଲେ ପ୍ରଶାସନିକ ଅଧିକାରୀ ଓ ପୁଲିସ ତଥା ସଶସ୍ତ୍ର ବାହିନୀର ଉପଯୋଗ କରିନାହାନ୍ତି। ଆତ୍ମପ୍ରଚାରଠାରୁ ସଦାସର୍ବଦା ନିରାପଦ ଦୂରତ୍ବ ରକ୍ଷାକରି ଆସିଛନ୍ତି ମାର୍କେଲ୍‌। ବିରୋଧୀମାନେ ନିର୍ଭୟରେ ତାଙ୍କ ସରକାରଙ୍କର ସମାଲୋଚନା କରିଛନ୍ତି, କାରଣ ସେମାନଙ୍କ ବିରୋଧରେ ମାର୍କେଲ କେବେହେଲେ ପୁଲିସ କିମ୍ବା ଗୁଣ୍ଡା ଲଗାଇ ନଥିଲେ। ଏପରିକି ବିରୋଧୀ ଗୋଷ୍ଠୀ ମଧ୍ୟ ସ୍ବୀକାର କରନ୍ତି ଯେ, ତାଙ୍କ ପାଟିରୁ କେବେହେଲେ ହାସ୍ୟକାର କିମ୍ବା ନିର୍ବୋଧଙ୍କ ପରି କଥାବାର୍ତ୍ତା ସେମାନେ କେବେ ଶୁଣିନାହାନ୍ତି ଏବଂ ସେ କେବେହେଲେ ବିରୋଧୀ ଦଳର କୌଣସି ନେତାଙ୍କର ଚରିତ୍ର ହନନ କରିନାହାନ୍ତି। ମାର୍କେଲ୍‌ ପୂର୍ବ ଜର୍ମାନୀର ବାସିନ୍ଦା। ସାଧାରଣ ନିରାଡ଼ମ୍ବର ଜୀବନଯାପନରେ ଅଭ୍ୟସ୍ତ। କ୍ଷମତାର ଶିଖରରେ ଥାଇ ମଧ୍ୟ କେବେହେଲେ ଦାମୀ ପୋଷାକ, ଦାମୀ ଯାନବାହାନ, ବିଳାସପୂର୍ଣ୍ଣ ଘର ବ୍ୟବହାର କରିନଥିଲେ। ଶାସନକ୍ଷମତା ତ୍ୟାଗ କରି ଚାଲିଆସିବା ପରେ ଏକ ଅତି ସାଧାରଣ ଆପାର୍ଟମେଣ୍ଟରେ ବର୍ତ୍ତମାନ ରହୁଛନ୍ତି, ଯେଉଁ ଆପାର୍ଟମେଣ୍ଟ୍‌ରେ ରାଜନୀତିକୁ ଆସିବା ପୂର୍ବରୁ ସେ ରହି ଆସୁଥିଲେ।

କପୋଳକଳ୍ପିତ କାହାଣୀ ପରି ମନେ ହେଲେ ମଧ୍ୟ ୧୮ବର୍ଷ ଧରି ଶାସନ କ୍ଷମତାରେ ଥିବା ମାର୍କେଲ ଗୋଟିଏ ପ୍ରକାର ପୋଷାକ ହିଁ ପିନ୍ଧିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଜାଣିବାକୁ ଚାହିଁଥିଲେ, ‘ମ୍ୟାମ୍, ଆପଣ ରାଷ୍ଟ୍ରମୁଖ୍ୟ ଅଥଚ କୌଣସି ଦାମୀ ସୁଟ୍ ପରିଧାନ କରନ୍ତି ନାହିଁ, ଆପଣଙ୍କର କ’ଣ କୌଣସି ଦାମୀ ସୁଟ୍ ନାହିଁ?’ ମାର୍କେଲ୍‌ ଉତ୍ତର ଦେଇଥିଲେ, ‘‘ମୁଁ ଜନତାଙ୍କର ସେବକ, କୌଣସି ମଡେଲ୍ ନୁହଁ।” ଆଉ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ, ‘ମ୍ୟାମ୍, ଆପଣ ତ ସଦାସର୍ବଦା ଦେଶ ପାଇଁ ବ୍ୟସ୍ତ ରୁହନ୍ତି, ଆପଣଙ୍କ ଘର କାମ କରିବା ପାଇଁ କେତେଜଣ ପରିଚାରକ ବା ପରିଚାରିକା ଅଛନ୍ତି?’ ମାର୍କେଲ୍‌ ଉତ୍ତର ଦେଇଥିଲେ, ‘‘ତାଙ୍କ ଘରେ ଜଣେ ମହିଳା ଓ ଜଣେ ପୁରୁଷ କାମ କରିବା ପାଇଁ ଅଛନ୍ତି। ମହିଳା ଜଣକ ହେଉଛନ୍ତି ସେ ନିଜେ ଏବଂ ପୁରୁଷ ଜଣକ ହେଉଛନ୍ତି ତାଙ୍କର ସ୍ବାମୀ।” ଆଉଜଣେ ସାମ୍ବାଦିକ କୌତୁକିଆ ପ୍ରଶ୍ନ କରିଥିଲେ, ‘ମ୍ୟାମ୍, ଆପଣଙ୍କ ଘରେ ଲୁଗାପଟା କିଏ ପରିଷ୍କାର କରନ୍ତି? ଆପଣ କି ଆପଣଙ୍କର ସ୍ବାମୀ?’ ମାର୍କେଲଙ୍କର ଉତ୍ତର ଥିଲା, ‘‘ମୁଁ ଲୁଗାପଟା ମେସିନ୍‌ରେ ଦେଇ ଡିଟର୍‌ଜେଣ୍ଟ୍‌ ଅଜାଡ଼ି ଦିଏ। ମୋର ସ୍ବାମୀ ମେସିନ ଚଳାଇ ଦିଅନ୍ତି। ଆମେ ସାଧାରଣତଃ ରାତିରେ ମେସିନ୍‌ ଚଳାଇଥାଉ। କାରଣ ଗଭୀର ରାତିରେ ବିଦ୍ୟୁତ୍‌ର ଚାହିଦା କମ୍ ଥାଏ।’’ ତା’ପରେ ମାର୍କେଲ୍ ସେହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ, ‘ବନ୍ଧୁଗଣ, ମୁଁ ଆଶା କରୁଛି ଏବେ ଆପଣମାନେ ଆଉ ଅବାନ୍ତର ପ୍ରଶ୍ନ ନ ପଚାରି ବରଂ ସରକାରଙ୍କର ସଫଳତା, ବିଫଳତା ଏବଂ ବିଶେଷ ଭାବରେ ସରକାରଙ୍କ ଦୋଷ ଦୁର୍ବଳତା, ତ୍ରୁଟିବିଚ୍ୟୁତିକୁ ନେଇ ପ୍ରଶ୍ନ କରିବେ।’ କ୍ବାଣ୍ଟମ୍‌ କେମିଷ୍ଟ୍ରିରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବା ମାର୍କେଲ୍‌ ହେଉଛନ୍ତି ଜଣେ ବିରଳ ରାଷ୍ଟ୍ରମୁଖ୍ୟ। ତାଙ୍କୁ ୟୁରୋପ ମହାଦେଶର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତିର ପରିଚାଳିକା ଏବଂ ବିଶ୍ବର ସର୍ବଶକ୍ତିଶାଳୀ ମହିଳା କୁହାଯାଏ।
ଉପସ୍ଥାପନା
ପ୍ରଦୀପ କୁମାର ରାୟ