କାମ୍ବୋଡ଼ିଆର କେନ୍ଦ୍ରସ୍ଥଳରେ ଅବସ୍ଥିତ ପ୍ରାଚୀନ ହିନ୍ଦୁ ମନ୍ଦିର ‘ଆଙ୍ଗକର ୱାଟ୍’କୁ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଭାବେ ବିବେଚନା କରାଯାଇଛି। ଇଟାଲିର ବିଶ୍ବ ଐତିହ୍ୟ ସ୍ଥଳ ‘ପମ୍ପେଇ’କୁ ପଛରେ ପକାଇ ‘ଆଙ୍ଗକର ୱାଟ୍’ ଏହି ମାନ୍ୟତା ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ପ୍ରାୟ ୫୦୦ ଏକର ପରିମିତ ଜାଗା ଉପରେ ଦଣ୍ଡାୟମାନ ଏହି ସୁବିସ୍ତୃତ ମନ୍ଦିର ହେଉଛି ବିଶ୍ବର ବୃହତ୍ତମ ଧାର୍ମିକ ସ୍ଥଳ। ହିନ୍ଦୁ ଦେବତା ଶ୍ରୀବିଷ୍ଣୁଙ୍କ ପାଇଁ ଉତ୍ସର୍ଗୀକୃତ ଏହି ମନ୍ଦିରକୁ ଦ୍ବାଦଶ ଶତାବ୍ଦୀରେ ରାଜା ସୂର୍ଯ୍ୟବର୍ମନ୍-୨ ନିର୍ମାଣ କରିଥିଲେ। ତେବେ ସମୟ କାଳରେ ଏହା ହିନ୍ଦୁ-ବୌଦ୍ଧ ଧର୍ମାନ୍ତରୀକରଣର ପ୍ରତୀକ ଭାବେ ଏକ ପ୍ରମୁଖ ବୌଦ୍ଧ ମନ୍ଦିରରେ ପରିଣତ ହୋଇଥିଲା। ଏହା ଅଷ୍ଟଭୁଜା ବିଷ୍ଣୁ ମୂର୍ତ୍ତି ପାଇଁ ପ୍ରସିଦ୍ଧ, ଯାହାକୁ ଲୋକେ ସୁରକ୍ଷା ଦେବତା ଭାବେ ପୂଜା କରି ଆସୁଛନ୍ତି।
ଏହି ମନ୍ଦିରର ବିଶାଳ ମାପକାଠି, ନିର୍ଭୁଲ୍ ସାମଞ୍ଜସ୍ୟ ଓ ବିସ୍ତୃତ ସ୍ଥାପତ୍ୟ ହିଁ ଏହାର ବୈଶିଷ୍ଟ୍ୟକୁ ସୂଚାଏ। ମନ୍ଦିରର କେନ୍ଦ୍ର ସ୍ଥଳରେ ପାଞ୍ଚଟି ପଦ୍ମ ଆକାରର ବୁରୁଜ ଦ୍ବାରା ହିନ୍ଦୁ ଓ ବୌଦ୍ଧ ପୁରାଣର ଦେତାମାନଙ୍କର କାଳ୍ପନିକ ବାସସ୍ଥଳୀ ‘ମେରୁପର୍ବତ’କୁ ଉପସ୍ଥାପିତ କରାଯାଇଛି। ମନ୍ଦିର କାନ୍ଥରେ ଅତି ସୁନ୍ଦର ଖୋଦେଇରେ ହିନ୍ଦୁ ଓ ବୌଦ୍ଧ ପୁରାଣର ବିଷୟବସ୍ତୁ ସବୁ ଚିତ୍ରିତ ହୋଇଛି। ମନ୍ଦିରର ବାହ୍ୟ କାନ୍ଥକୁ ପରିବେଷ୍ଟିତ ବିଶାଳ ପରିଖା ଉକ୍ତ ଐତିହାସିକ କୀର୍ତ୍ତିସ୍ତମ୍ଭର ମହିମାକୁ ବୃଦ୍ଧି କରିଚାଲିଛି। ଆଙ୍ଗକର ଵାଟ୍ ଏହାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହା ଏବେ ମଧ୍ୟ ଏକ ଜୀବନ୍ତ ଧାର୍ମିକ ସ୍ଥଳୀ, ପ୍ରାର୍ଥନା ଓ ଧ୍ୟାନ କରୁଥିବା ବୌଦ୍ଧ ଭିକ୍ଷୁ ଓ ଅନୁଗାମୀମାନଙ୍କୁ ଆକର୍ଷିତ କରିଥାଏ, ଯାହା ଏହି ଐତିହାସିକ କୀର୍ତ୍ତିସ୍ତମ୍ଭର ସ୍ଥାୟୀ ଐତିହ୍ୟକୁ ବୃଦ୍ଧି କରୁଛି।