ଭଗବାନ ବୁଦ୍ଧଙ୍କର ୮୦ ବର୍ଷର ଜୀବନକାଳ ସ୍ପଷ୍ଟ ଦୁଇ ଭାଗରେ ବିଭକ୍ତ। ଗୋଟିଏ ବୈଶାଖ ପୂର୍ଣ୍ଣିମାରେ ସେ ଜନ୍ମଗ୍ରହଣ କରିଥିଲେ। ୪୦ ବର୍ଷ ପରେ ଆଉ ଏକ ବୈଶାଖ ପୂର୍ଣ୍ଣିମାରେ ସେ ବୋଧିପ୍ରାପ୍ତ ହୋଇଥିଲେ। ସେହିପରି, ଆଉ ୪୦ ବର୍ଷ ପରେ, ଆଉ ଏକ ବୈଶାଖ ପୂର୍ଣ୍ଣିମାରେ ସେ ମହାପରିନିର୍ବାଣ ପ୍ରାପ୍ତ ହେଲେ। ଏ ଦୃଷ୍ଟିରୁ ତାଙ୍କୁ କୁହାଯାଏ ‘ପୂର୍ଣ୍ଣିମା ପୁରୁଷ’।
ଉଭୟ, ବୋଧିପ୍ରାପ୍ତିର ପୂର୍ବ ୪୦ ବର୍ଷରେ ଏବଂ ବୋଧିପ୍ରାପ୍ତର ପର ୪୦ ବର୍ଷରେ, ବହୁ ବିଚିତ୍ର ଘଟଣା ଓ ବିବିଧ ବ୍ୟକ୍ତି ତାଙ୍କ ଜୀବନରେ ଆସିଥିଲେ। ତା’ ମଧ୍ୟରୁ ଗୋଟିଏ ଅଙ୍ଗୁଳିମାଳା।
ଅଙ୍ଗୁଳିମାଳା ଥିଲା ଜଣେ ଅଶାନ୍ତ ଓ ବିକ୍ଷୁବ୍‌ଧ ବ୍ୟକ୍ତି। କୌଣସି କାରଣରୁ, ସେ ସମାଜରୁ ବିଚ୍ୟୁତ ହୋଇ ଅରଣ୍ୟରେ ରହୁଥିଲା ଏବଂ ୧୦୦୦ ମନୁଷ୍ୟଙ୍କୁ ହତ୍ୟା କରିବ ବୋଲି ପଣ କରିଥିଲା। ୯୯୯ ଜଣଙ୍କୁ ହତ୍ୟା କରିବା ପରେ, ସେ ସହସ୍ରତମ ବ୍ୟକ୍ତିଙ୍କର ସନ୍ଧାନରେ ଥିଲା। ହତ୍ୟାର ଗଣତି ଭୁଲ୍ ନହେବା ପାଇଁ, ସେ ପ୍ରତି ନିହତ ବ୍ୟକ୍ତିର ଗୋଟିଏ ଲେଖାଏଁ ଆଙ୍ଗୁଠି କାଟି, ତାକୁ ମାଳ କରି ବେକରେ ଝୁଲାଇ ରଖୁଥିଲା। ସେଥିପାଇଁ ତା’ର ନାଆଁ ହୋଇଥିଲା ‘ଅଙ୍ଗୁଳିମାଳା’।
ତାହା ଜାଣି, ବୁଦ୍ଧ ତାକୁ ଭେଟିବା ପାଇଁ ଅରଣ୍ୟକୁ ଗଲେ। ଅଙ୍ଗୁଳିମାଳା ନିଷ୍ପତ୍ତି କରିଥିଲା- ସେଦିନ ଯାହାକୁ ପ୍ରଥମେ ଦେଖିବ ତାକୁ ହିଁ ହତ୍ୟାକରି ତା’ର ପଣ ପୂରଣ କରିବ।
ଦୂରରୁ ବୁଦ୍ଧଙ୍କୁ ଆସୁଥିବା ଦେଖି ଅଙ୍ଗୁଳିମାଳା ଅସ୍ତ୍ର ଧରି ତାଙ୍କ ଆଡ଼କୁ ଧାଇଁଲା। ମାତ୍ର ବୁଦ୍ଧ ସେଥିରେ ନ ଡରି, ତା’ ଆଡ଼କୁ ପାଦ ପରେ ପାଦ ପକାଇ ଆଗେଇ ଚାଲିଲେ।
ତାହା ଦେଖି ଅଙ୍ଗୁଳିମାଳା ଚକିତ ହୋଇଗଲା। ପାଟି କରି କହିଲା- ସେଇଠି ଅଟକିଯାଅ!
ତାହା ଶୁଣି ବୁଦ୍ଧ କହିଲେ- ମୁଁ ତ କେବେଠୁ ଅଟକି ସାରିଛି। କେବଳ ତୁମେ ଯାହା ଅଟକି ପାରୁନ।
ଅଙ୍ଗୁଳିମାଳା ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲା- ମାନେ?
ବୁଦ୍ଧ ଶାନ୍ତ କଣ୍ଠରେ କହିଲେ- ମୁଁ ଅଟକି ସାରିଛି, ଅର୍ଥାତ୍‌, ସବୁ ପ୍ରାଣୀଙ୍କ ପାଇଁ ଦୟା ଓ କରୁଣା ଦେଖାଇବି ବୋଲି ଯେବେଠୁଁ ମୁଁ ଭାବିଛି, ସେବେଠୁ ଆଉ ତାଙ୍କ ପ୍ରତି ହିଂସା ଆଚରଣ କରି ନାହିଁ। କିନ୍ତୁ ତୁମେ ତ ନ ଅଟକି ହିଂସା ପରେ ହିଂସା ହିଁ କରି ଚାଲିଛ!
ବୁଦ୍ଧଙ୍କର ସେ କଥା ଅଙ୍ଗୁଳିମାଳାକୁ ପ୍ରଭାବିତ କଲା। ସେ ଭାବିଲା- ଏ ଲୋକଟି କେବଳ ସାହସୀ ନୁହେଁ, ପ୍ରାଜ୍ଞ ବି। ଏ ନିଶ୍ଚୟ ବୁଦ୍ଧ। ସେ ଭାବିଲା- ଏ ନିଶ୍ଚୟ ମୋତେ ସାହାଯ୍ୟ କରିବାକୁ ଆସିଛନ୍ତି। ଫଳରେ ସେ ଅସ୍ତ୍ର ଫିଙ୍ଗିଦେଇ ତାଙ୍କର ଶରଣ ନେଲା।
ମାତ୍ର ଚେଷ୍ଟା କରି ବି ଅଙ୍ଗୁଳିମାଳା ଶାନ୍ତ ହୋଇପାରୁ ନଥିଲା। ସେ ହତ୍ୟା କରିଥିବା ୯୯୯ ଲୋକଙ୍କର ଆକୁଳ ଚିତ୍କାର ତା’ର କାନରେ ବାଜୁଥିଲା। କ୍ରମେ ବୁଦ୍ଧଙ୍କ ଉପଦେଶ ଅନୁସାରେ, ଏକାଗ୍ର ଭାବେ ଧ୍ୟାନ କରି ସେ ମନକୁ ଶାନ୍ତ କଲା ଏବଂ ଏକ ପରିବର୍ତ୍ତିତ ମନୁଷ୍ୟରେ ପରିଣତ ହେଲା। କ୍ରମେ ତା’ର ମନରେ ସମସ୍ତଙ୍କ ପ୍ରତି ଦୟା ଓ କରୁଣା ଜାତ ହେଲା।
ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଲେ। ବୁଦ୍ଧଙ୍କୁ ପଚାରିଲେ- ଏପରି ଜଣେ ହିଂସ୍ର ଓ ନୃଶଂସ ବ୍ୟକ୍ତିର ପରିବର୍ତ୍ତନ କ’ଣ ସମ୍ଭବ? ବୁଦ୍ଧ କହିଲେ- ହଁ। ଯେ ଅନ୍ୟ ପ୍ରତି ହିଂସା ଆଚରଣ କରେ, ତା’ ନିଜର ମନ ହିଁ ଅଶାନ୍ତ ଓ ବିକ୍ଷୁବ୍‌ଧ ହୋଇଥାଏ। ଅଙ୍ଗୁଳିମାଳା ଏହା ବୁଝି ନିଜର ମନକୁ ଏକାଗ୍ର ଭାବେ ଧ୍ୟାନସ୍ଥ କଲା। ଫଳରେ ସେ ସୁସ୍ଥ ଓ ଶକ୍ତ ହୋଇଗଲା। ତା’ପରି ହିଂସ୍ର ଓ ନୃଶଂସ ବ୍ୟକ୍ତି ଯଦି ଏହା କରିପାରିଲା, ଏହା ସମସ୍ତେ କରିପାରିବେ।