ସ˚ଗୀତ-ସାହିତ୍ୟ ଆଦିରେ ଜୀବ-ଜନ୍ତୁଙ୍କୁ ରାଜନୈତିକ ଦଳର ସଭ୍ୟ ଭାବେ ଚିତ୍ରଣ କରିବା ଏବଂ ସେମାନଙ୍କୁ ବିଭିନ୍ନ ପଦ-ପଦବିରେ ବସାଇବା କିଛି ନୂଆ କଥା ନୁହେଁ। ୧୯୭୨ରେ ଜଣେ ଆମେରିକାନ୍ ସ˚ଗୀତଜ୍ଞ ‘ଦ ମଙ୍କି ଦାଟ୍ ବିକେମ୍ ପ୍ରେସିଡେଣ୍ଟ୍’ ନାମକ ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ। ସେହି ଆମେରିକାର ୱିଲିୟମ୍ ବାରୋ ଗପଟିଏ ଲେଖିଥିଲେ, ଯାହାର ନାମ-‘ରୁଜ୍ଭେଲ୍ଟ ଆଫ୍ଟର୍ ଇନାଗୁରେସନ୍’; ଯେଉଁଥିରେ ରାଷ୍ଟ୍ରପତି ସ୍ବୟଂ ରୁଜ୍ଭେଲ୍ଟ ନଅଟି ବାବୁନ୍ଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍ କୋର୍ଟ୍ର ବିଚାରପତି ଭାବେ ନିଯୁକ୍ତ କରିଥିବା ବର୍ଣ୍ଣିତ। ତେବେ, କେବଳ କଳ୍ପନାରେ ନୁହେଁ, ବାସ୍ତବରେ ମଧୢ ଜୀବ-ଜନ୍ତୁଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଯାଉଥିବାର ଏକାଧିକ ନଜିର ରହିଛି।
/sambad/media/post_attachments/wp-content/uploads/2021/04/moris.jpg)
ପ୍ରାଚୀନ କାଳରେ ରୋମାନ୍ ସମ୍ରାଟ୍ କାଲିଗୁଲା, ତାଙ୍କ ଘୋଡ଼ା ଇନ୍ସାଇଟେଟସ୍କୁ ପ୍ରଥମେ କନ୍ସଲ୍ ଏବ˚ ପରେ ରାଜ-ପୁରୋହିତ ଭାବେ ନିଯୁକ୍ତ କରିଥିଲେ। ୧୯୫୮ରେ ବ୍ରାଜିଲ୍ର ସମ୍ ପାଉ ଚିଡ଼ିଆଖାନାରେ ଥିବା କାକାରିକୋ ନାମକ ଗଣ୍ତାକୁ ପୌରପାଳିକା ନିର୍ବାଚନରେ ଛିଡ଼ାକରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ଚାଲିଥିବା ବ୍ୟାପକ ଦୁର୍ନୀତିକୁ ପରିହାସ କରି, କେତେକ ଏହି ପଦକ୍ଷେପ ନେଇଥିଲେ ଏବ˚ ଗଣ୍ତା ପାଇଥିଲା ସର୍ବାଧିକ ଭୋଟ୍। ୧୯୯୭ରେ ଆୟାର୍ଲାଣ୍ତ୍ରେ ଡଷ୍ଟିନ୍ ନାମକ ଟର୍କି ନିର୍ବାଚନ ଲଢ଼ି ପଞ୍ଚମ ସ୍ଥାନ ହାସଲ କରିଥିଲା। କୌଣସି ରାଷ୍ଟ୍ରର ଆଇନ ଏହାକୁ ଅନୁମୋଦନ ଦେଉ ନ ଥିଲେ ହେଁ, ବିଶ୍ବର ଅନେକ ରାଷ୍ଟ୍ରରେ ଏ ଭଳି ଘଟୁଥିବା ଦେଖାଯାଉଛି। ଆଉ ଏ ଭଳି ପ୍ରହସନରେ ସବୁଠାରୁ ଆଗରେ ରହିଛି ଆମେରିକା। ୧୯୮୮ ଓ ୧୯୯୨ରେ ମରିସ୍ ନାମକ ବିଲେଇକୁ ଏବ˚ ୨୦୦୮ରେ ମଲି ନାମକ କୁକୁରକୁ ସେଠାକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା। ତେବେ, ଆଇନ ସ୍ବୀକୃତି ଦେଉ ନ ଥିବାରୁ ପ୍ରାର୍ଥୀପତ୍ରଗୁଡ଼ିକ ନାକଚ ହୋଇଥିଲା। ସେଠାକାର କେତେକ ପ୍ରଦେଶରେ ଛାଗଳ, ଶୂକର ଆଦି ମେୟର ପଦରେ ଅବସ୍ଥାପିତ ହୋଇଥିବାର ଦୃଷ୍ଟାନ୍ତ ରହିଛି।