ସ୍ୱୟଂସିଦ୍ଧା ଅନୀତା ଦାସ

ମୋର ଅଜା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବନମାଳୀ ଦାସ ଓ ଆଈ ସତ୍ୟଭାମା ଦାସଙ୍କ ପଞ୍ଚମ ସନ୍ତାନ ଅନୀତା ମାଉସୀ। ମୁଁ ଶୁଣିଛି ପିଲାବେଳେ ସେ ଚମତ୍କାର ଓଡ଼ିଶୀ ନୃତ୍ୟ କରୁଥିଲେ। ଶିବ ତାଣ୍ଡବ ପରି କଷ୍ଟକର ନୃତ୍ୟ ମଧ୍ୟ ନିଖୁଣ ଭାବେ ନାଚିପାରୁଥିଲେ।

ମାଉସୀଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ ହୋଇଥିଲା ୧୯୭୫ ମସିହାରେ ମୁକ୍ତିପ୍ରାପ୍ତ ଅରବିନ୍ଦ ପିକ୍ଚର୍ସ ପ୍ରଯୋଜିତ ‘ଯାଯାବର’ ଚଳଚ୍ଚିତ୍ରରୁ। ନାୟକର ଭାଉଜ ଭୂମିକାରେ ତାହା ଥିଲା ସଂକ୍ଷିପ୍ତ ଅଭିନୟ ହେଲେ ତାଙ୍କର ପ୍ରଭାବୀ ଅଭିନୟ ଦର୍ଶକଙ୍କର ହୃଦୟକୁ ଛୁଇଁ ପାରିଥିଲା। ଯାଯାବର ପରେ ପରେ ‘କୃଷ୍ଣ ସୁଦାମା’ରେ ମାଉସୀଙ୍କର ଅଭିନୟ ଥିଲା ହୃଦୟସ୍ପର୍ଶୀ। ତା ପରେ ପରେ ସତୁରୀ ଦଶକରେ ବନ୍ଧୁ ମହାନ୍ତି, ମୁକ୍ତି, ତଅପୋଇ, ନାଗଫାସ ଆଦି ଚଳଚ୍ଚିିତ୍ରରେ ସେ ଦର୍ଶକଙ୍କ ମନ ଜିଣିଥିଲେ।

୧୯୮୦ ମସିହା ତାଙ୍କ ପାଇଁ ସ୍ମରଣୀୟ ବର୍ଷ। ପୂଜାରେ ରିଲିଜ୍‌ ହୋଇଥିଲା ତାଙ୍କ ଅଭିନୀତ ଚାରୋଟି ଚଳଚ୍ଚିତ୍ର ମା ମମତା, ରାମ ବଳରାମ, ଅପରାଜିତା ଓ ତପସ୍ୟା। ୧୯୭୫ରେ ‘ଯାଯାବର’ରୁ ଆରମ୍ଭ ହୋଇଥିବା ଅଭିନୟ ଯାତ୍ରାର ଯବନକା ୨୦୧୮ ମସିହାରେ ‘ଅଭୟ’ ପର୍ଯ୍ୟନ୍ତ ସେହି ପ୍ରଭାବ ଓଡ଼ିଆ ଦର୍ଶକଙ୍କୁ ବିହ୍ଵଳ ଓ ତନ୍ମୟ କରିଛି।
ମୋର ସୌଭାଗ୍ୟ ଯେ ସେ ସତ୍ୟମେବ ଜୟତେ, ଆଲୋ ମୋର କଣ୍ଢେଇ, ଶପଥ ଓ ଜଷ୍ଟ ମୋହବତ ଆଦି ଚଳଚ୍ଚିତ୍ରରେ ତାଙ୍କର ପୁଅ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲି।

କେବଳ ଓଡ଼ିଆ ଚଳଚ୍ଚିତ୍ର ନୁହେଁ, ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଭିଗିପଲକେ ଓ ବିପ୍ଲବ ରାୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ‘ଆଶ୍ରୟ’ ତାଙ୍କର ଅଭିନୟ ଦର୍ଶକଙ୍କର ହୃଦୟ ଜିଣିଥିଲା। ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲଗୁ, ତାମିଲ ଆଦି ଚଳଚ୍ଚିତ୍ର ତାଙ୍କର ଅଭିନୟ ସ୍ୱର୍ଣ୍ଣାକ୍ଷର ରହିଛି।

ତାଙ୍କଠାରୁ ତାଙ୍କର ଅନେକ ଅଭିଜ୍ଞତା ମୁଁ ଶୁଣିଛି। ବିଶେଷକରି ‘ସ୍ୱପ୍ନସାଗର’ ଚଳଚ୍ଚିତ୍ରର ସୁଟିଂ ସମୟରେ ଏକ ବିଚିତ୍ର ଘଟଣା ଘଟିଥିଲା। ଚିଲିକାରେ କାଳିଜାଇ ପାଖରେ ସୁଟିଂ ଚାଲୁଥିବା ସମୟରେ ସେ ହଠାତ୍‌ ଡଙ୍ଗାରୁ ପାଣିରେ ପଡ଼ିଯାଇଥିଲେ। ଅକାତକାତ ପାଣି। ତାଙ୍କୁ ଲାଗିଲା ଯେପିର ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ସେ ଏକାସାଙ୍ଗରେ ଦେଖୁଛନ୍ତି ଏବଂ ଏକ ଐଶ୍ୱରିକ ଶକ୍ତି ତାଙ୍କୁ ବୁଡ଼ିବାକୁ ଦେଉନି। ଏହାପରେ ତାଙ୍କ ଜୀବନରେ ଏକ ବରାଟ ପରିବର୍ତ୍ତନ ଆସିଥିଲା। ସେ ନିଜକୁ ସମ୍ପୂର୍ଣ୍ଣଭାବରେ ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରାଇ ଦେଇଥିଲେ।

ଆଉ ଗୋଟିଏ କଥା। ସେ ସ୍ୱୟଂ ଜଗନ୍ନାଥଙ୍କର ମାଆ ହେବାର ସୌଭାଗ୍ୟ ପାଇଥିଲେ। ‘ପୁଅ ମୋର କାଳଠାକୁର’ ଚଳଚ୍ଚିତ୍ରରେ ତାଙ୍କର ହୃଦୟସ୍ପର୍ଶୀ ଅଭିନୟ ଓଡ଼ିଶାର ପୁରପଲ୍ଲୀରେ କାଳିଆଠାକୁରର ମାଆ ବୋଲି ପରଚିୟ ଦେଇଥିଲା। ‘ପୁଅ ମୋର କଳାଠାକୁର’ ଚଳଚ୍ଚିତ୍ରର ଏକ ଦୃଶ୍ୟ ଥିଲା ଯେଉଁଥିରେ ଅନୀତାମାଉସୀ ପାଗଳୀ ଭୂମିକାରେ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତିକୁ ନିଜ ପୁଅ ବୋଲି ଭାବୁଥିଲେ। ଏକ ନିଆଁ ଲାଗିଯାଇଥିବା ଘରୁ ମୋ ପୁଅ ମୋ ପୁଅ କହି ଜଗନ୍ନାଥଙ୍କର ପ୍ରତିମୂର୍ତ୍ତିକୁ ଖୋଜିବାର ଥିଲା। ସେ ମୋତେ କହୁଥିଲେ ଯେ ସେ ଅଭିନୟ ଭିତରେ ଏତେ ତଲ୍ଲୀନ ହୋଇଯାଇଥିଲେ ଯେ, ତାଙ୍କର ସେ ନିଆଁରେ ହାତଗୋଡ଼ ଫୁଟୁକା ହୋଇଯାଇଥିଲେ ବି ସେ ଜାଣିପାରିନଥିଲେ। ସେ ସଟ୍‌ ପରେ ନିର୍ଦ୍ଦେଶକ ରାଜୁମିଶ୍ର, ଅନ୍ୟ ସହକଳାକାର ଓ ଟେକ୍ନିସିଆନ ବଧେଇ ଜଣାଇବା ପରେ ସେ ପ୍ରକୃତିସ୍ଥ ହୋଇଥିଲେ।

କଳାକାରର ମୃତ୍ୟୁ ହୁଏନି। ସେ ଅମର। କାଳଜୟୀ ତଥା ମୃତ୍ୟୁଞ୍ଜୟୀ। ତୁମେ ମଧ୍ୟ ଅମର। ଓଡ଼ିଶା ସିନେମା ଇତିହାସରେ ତୁମର ନାମ ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

-ଆକାଶ ଦାସନାୟକ, ବିଧାୟକ
[email protected]

ସମ୍ବନ୍ଧିତ ଖବର