ନୂଆଦିଲ୍ଳୀ: ଜୀବନରେ ସାମାନ୍ୟ ଅସୁବିଧା ଆସିଲେ ଆମେ ହତାଶ ଅନୁଭବ କରି ବସୁ। ଗୋଟିଏ ଛୋଟ ଅସୁବିଧା ବି ବେଳେ ମନୋବଳକୁ ଭାଙ୍ଗି ଦେଇଥାଏ। ହେଲେ ଏମିତି ବି କିଛି ଲୋକ ଅଛନ୍ତି, ଯିଏକି ହଜାର ଦୁଃଖ ସତ୍ତ୍ବେ ବି ହସିବା ଭୁଲନ୍ତି ନାହିଁ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଅଞ୍ଜଳି ରୟ। ଦୁଃଖ ତାଙ୍କ ଜୀବନକୁ ଓଲଟପାଲଟ କରିଦେଇଛନ୍ତି, ତଥାପି ସେ ହସୁଛନ୍ତି ଏବଂ ଜୀବନର ଗୀତରେ ନାଚୁଛନ୍ତି।
ଅଞ୍ଜଳିଙ୍କୁ ସେତେବେଳେ ମାତ୍ର ୧୧ ବର୍ଷ ବୟସ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ବାମ ଆଣ୍ଠୁରେ ଥିବା ଏକ ହାଡରେ କର୍କଟ ସୃଷ୍ଟି କରୁଥିବା ଟ୍ୟୁମର୍ ଅଷ୍ଟିଓସାର୍କୋମା ହୋଇଛି। ନାଚକୁ ଜୀବନର ବ୍ରତ କରି ଚାଲୁଥିବା ଅଞ୍ଜଳିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଯେତେବେଳେ ତାଙ୍କ ଗୋଡ଼ କାଟିବାର ପରାମର୍ଶ ଦେଲେ ତ ଥରେ ଭାବନ୍ତୁ କିପରି ଥିବ ତାଙ୍କ ମାନସିକ ଅବସ୍ଥା!
ହେଲେ କ’ଣ ବି କରାଯାଇ ପାରବ? ଦଇବ ଖେଳକୁ କାହାର ବା ବଳ! ୬ ବର୍ଷ ବୟସରୁ ନାଚରେ ମନୋନିବେଶ କରିିଥିବା ଅଞ୍ଜଳିଙ୍କ ସ୍ବପ୍ନ ସବୁ ଭାଙ୍ଗି ଯାଇଥିଲା ଯେପରି। କିନ୍ତୁ ସେ କେବେ ବି ତାଙ୍କ ସ୍ୱପ୍ନକୁ ଦୁର୍ବଳ ହେବାକୁ ଦେଇନଥିଲେ। ଯେଉଁ କାରଣରୁ ଏତେ ସଂଘର୍ଷ ପରେ ବି ସେ ଆଜି ଜଣେ ପ୍ରେରଣାଦାୟୀ ଚରିତ୍ର ହୋଇ ପାରିଛନ୍ତି।
ତାଙ୍କ ରୋଗ ଚିହ୍ନଟ ହେବା ପରେ ନିଜ ଜୀବନ ବଞ୍ଚାଇବାକୁ ତାଙ୍କୁ ନିଜ ଗୋଡ଼ କାଟିବାକୁ ପଡ଼ିଲା। ହେଲେ ବି ହାର୍ ମାନିନଥିଲେ ସେ। ନାଚ ପ୍ରତି ଅହେତୁକ ଆକର୍ଷଣ ରଖିଥିବା ଅଞ୍ଜଳି ଗୋଟାଏ ଗୋଡ଼ରେ ନାଚିବାର ନିଷ୍ପତ୍ତି ନେଲେ। ଫଳସ୍ୱରୂପ ସେ ଆଜି ଗୋଟାଏ ପାଦରେ ନୃତ୍ୟ କରି ବେଶ୍ ପ୍ରସିଦ୍ଧି ଲାଭ କରି ପାରିଛନ୍ତି।
ବର୍ତ୍ତମାନ ଅଞ୍ଜଳିଙ୍କୁ ୧୬ ବର୍ଷ ବୟସ। ଅନେକ ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟି ଯାଇଛନ୍ତି। ସେ ଗୋଟାଏ ଗୋଡ଼ରେ ନାଚି ଅନେକ କନ୍ସର୍ଟରେ ଭାଗ ନେଇ ପ୍ରଶଂସା ସାଉଁଟିଛନ୍ତି। ଏପରିିକି ତାଙ୍କ ସାହସିକତା ପାଇଁ ତାଙ୍କୁ ସାଉଥ୍ ପଏଣ୍ଟ ଏକ୍ସ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ବି ପ୍ରଦାନ କରାଯାଇଛି। ରବୀନ୍ଦ୍ର ନାଥ ଟାଗୋରଙ୍କ ଲିଖିତ କାଳଜୟୀ ଗୀତ ‘ମୋର ବିନା ଓଠେ କୌନ୍ ସୁରେ ବାଜି’ ଗୀତରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ଅଞ୍ଜଳି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/2558a48b-0629-4e84-855c-aa66e7cba9ec.jpg)