୧୯ ଲକ୍ଷ ଟଙ୍କାର ପ୍ୟାକେଜ ଛାଡି ଆଇଏଏସ ସ୍ୱପ୍ନକୁ ପୂରଣ କଲେ ଅଙ୍କୁଶ

ନୂଆଦିଲ୍ଲୀ: ପାଠପଢା ସାରିବା ପରେ ପାଖରେ ଥିଲା ୧୯ ଲକ୍ଷ ଟଙ୍କାର ଚାକିରି ପ୍ୟାକେଜ, କିନ୍ତୁ ନିଜ ଆଇଏଏସ ସ୍ୱପ୍ନ ପୂରଣ କରିବାକୁ ଚାକିରି ନ କରି ପୁଣି ପାଠ ପଢିଲେ ଆଉ ସଫଳତା ପାଇଲେ | ଆଜି ଆମେ ଆପଣଙ୍କୁ ଆଇଏଏସ ପାଇଥିବା ଅଙ୍କୁଶ କୋଠାରୀଙ୍କ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ | ଉତ୍ତରପ୍ରଦେଶ କାନପୁରର ଅଙ୍କୁଶ କୋଠାରୀ | ପିଲାଟି ଦିନରୁ ଅଙ୍କୁଶଙ୍କ ବାପା ଓ ମା ଅଲଗା ହେବା ପରେ ତାଙ୍କ ମା ହିଁ ଅଙ୍କୁଶଙ୍କ ପାଳନପୋଷଣ କରୁଥିଲେ | ଆଉ ପ୍ରାଥମିକ ଶିକ୍ଷା ସମୟରୁ ଆର୍ଥିକ ସ୍ଥିତି ସେତେ ମଜଭୁତ ନଥିଲେ ବି ନିଜର ପାଠପଢା ପ୍ରତି ଆଗ୍ରହ ଯୋଗୁଁ ଅଙ୍କୁଶ ଯୁକ୍ତ ଦୁଇ ଯାଏଁ କାନପୁରରେ ପାଠ ପଢିଥିଲେ | ତେବେ ଆଇଆଇଟିରେ ପଢିବାକୁ ଇଚ୍ଛା ରଖିଥିବା ଅଙ୍କୁଶ ପ୍ରବେଶିକା ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂ ନେବାକୁ ଚାହିଁଥିଲେ ବି ଆର୍ଥିକ ଅବସ୍ଥା ସେତେ ସ୍ଵଛଳ ନଥିବାରୁ କୋଚିଂ ନେଇପାରିନଥିଲେ |

ତେବେ ଏଥିରେ ଭାଙ୍ଗିନପଡି ସେ ଘରେ ପ୍ରବେଶିକା ପରୀକ୍ଷା ପାଇଁ ପଢାପଢି କରିଥିଲେ | ଆଉ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ପରେ ସେ କାନପୁର ଆଇଆଇଟିର ଯୋଗ ଦେଇଥିଲେ | ଆଇଆଇଟି କାନପୁରରରେ ପଢୁଥିବାବେଳେ ଅଙ୍କୁଶ ଆଇଏଏସର ସ୍ୱପ୍ନ ଦେଖିଥିଲେ | ଆଉ ୪ ବର୍ଷର ଶିକ୍ଷାବର୍ଷ ମଧ୍ୟରେ ତୃତୀୟ ବର୍ଷରେ ତାଙ୍କ ପାଖକୁ ନାମିଦାମୀ କମ୍ପାନୀ ପକ୍ଷରୁ ବାର୍ଷିକ ୧୯ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଅଫର ମଧ୍ୟ ଆସିଥିଲା | କିନ୍ତୁ କାଳେ କୌଣସି କମ୍ପାନୀରେ ଯୋଗ ଦେଲେ ଆଇଏଏସ ସ୍ୱପ୍ନ ବିଫଳ ହୋଇଯିବ ସେଥିପାଇଁ ସେ କୌଣସି କମ୍ପାନୀରେ ଯୋଗ ଦେଇନଥିଲେ |

ଆଉ ପୁଅର ଏହି ଇଛାକୁ ବି ମା ସମ୍ମାନ ଜଣାଇଥିଲେ | ପିଲାଦିନରୁ ଖରାପ ଆର୍ଥିକ ଅବସ୍ଥା ସତ୍ତ୍ୱେ ପୁଅକୁ ଟଙ୍କା ରୋଜଗାର ଅପେକ୍ଷା ସ୍ୱପ୍ନ ପୂରଣ କରିବାକୁ ମା ପ୍ରେରଣା ଦେଇଥିଲେ | ୟୁପିଏସସି ପରୀକ୍ଷା ପାଇଁ ମଧ୍ୟ ଅଙ୍କୁଶ ଘରେ ରହି ନିଜକୁ ପ୍ରସ୍ତୁତ କରିଥିଲେ | ଦୁଇ ଥର ପରୀକ୍ଷାରେ ବିଫଳ ହେବା ପରେ ତୃତୀୟ ଥର ସେ ଆଇଏଏସ ପାଇଥିଲେ | ଅଙ୍କୁଶଙ୍କ କହିବା କଥା ଯେ ନିଜ ସ୍ୱପ୍ନ ପୂରଣ ମଧ୍ୟରେ ସୁଖ-ସୁବିଧାକୁ ଆସିବାକୁ ଦିଅନ୍ତୁ ନାହିଁ |

ସମ୍ବନ୍ଧିତ ଖବର