କାର୍ତ୍ତିକ ଶୁକ୍ଳ ନବମୀ ‘ଅଁଳା ନବମୀ’ ଭାବରେ ପ୍ରସିଦ୍ଧ। ଏହାର ଅନ୍ୟନାମ ‘ଧାତ୍ରୀ ନବମୀ’। କାରଣ ଅଁଳା ଏତେ ଉପକାରୀ ଯେ ଏହାକୁ ‘ଧାତ୍ରୀ’ ଅର୍ଥାତ୍ ‘ଧାଈ’ ବା ପାଳନକର୍ତ୍ତ୍ରୀ ବୋଲି କୁହାଯାଇଛି। ଏହିଦିନ ଦେବୀ ଦୁର୍ଗାଙ୍କୁ ‘ଜଗଦ୍ଧାତ୍ରୀ’ ରୂପରେ ମଧୢ ପୂଜା କରାଯାଇଥାଏ। ‘ଜଗଦ୍ଧାତ୍ରୀ’ ଦୁର୍ଗା, ଗୌରୀ ଓ ସରସ୍ବତୀଙ୍କୁ ବୁଝାଏ। ‘ଜଗଦ୍ଧାତା’ ଶ୍ରୀଜଗନ୍ନାଥ ଏହିଦିନ ଅଁଳାମାଳ ପରିଧାନ କରିଥାଆନ୍ତି। ତେବେ ‘ଜଗଦ୍ଧାତା’ ବ୍ରହ୍ମା, ଶିବ ଓ ବିଷ୍ଣୁଙ୍କୁ ବୁଝାଇଥାଏ। ‘ଅଁଳା ନବମୀ’ରେ ଅଁଳା ବୃକ୍ଷ ମୂଳରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। କାରଣ ‘କାର୍ତ୍ତିକ ମାହାତ୍ମ୍ୟ’ ଅନୁସାରେ, ସୁରମୁନିମାନଙ୍କ ସହିତ ସ୍ବୟଂ ବିଷ୍ଣୁ ଅଁଳା ବୃକ୍ଷରେ ବାସ କରନ୍ତି।
ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ତେଣୁ ଆଶ୍ବିନ ମାସର ଶୁକ୍ଳପକ୍ଷ ଏକାଦଶୀଠାରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥଙ୍କର ‘ରାଧା-ଦାମୋଦର ବେଶ’ ଏହି ମାସର ପ୍ରତିପଦାଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକବ୍ରତଧାରୀମାନେ ମଧୢ ଏହି ମାସରେ ରାଧା-ଦାମୋଦରଙ୍କୁ ଶୁକ୍ଳଦଶମୀ ପର୍ଯ୍ୟନ୍ତ ପୂଜା କରିଥାଆନ୍ତି। ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସେମାନେ ଲକ୍ଷ୍ମୀ-ନାରାୟଣଙ୍କୁ ପୂଜା କରନ୍ତି। କାର୍ତ୍ତିକ ବ୍ରତଧାରୀମାନେ ଅଁଳାନବମୀରେ ଅଁଳା ବୃକ୍ଷ ମୂଳରେ ହବିଷ୍ୟାନ୍ନ ରନ୍ଧନ କରି ତାହାକୁ ବିଷ୍ଣୁଙ୍କୁ ଅର୍ପଣ କରିବାର ବିଧି ରହିଛି। କୀର୍ତ୍ତନ କରି ଅଁଳାବୃକ୍ଷ ପରିକ୍ରମା କରିବା ମଧୢ ଏହି କାର୍ତ୍ତିକ ବ୍ରତର ଅନ୍ୟ ଏକ ବିଧି। କାର୍ତ୍ତିକ ବ୍ରତ ଉଦ୍ଯାପିତ ହୁଏ କାର୍ତ୍ତିକ ପୂର୍ଣ୍ଣିମା ଦିନ। ଏହି ଦିନ ବ୍ରତଧାରୀମାନେ ଦେହରେ ଅଁଳାବଟା ଲଗାଇ ସ୍ନାନ କରିବାର ବିଧି ପାରମ୍ପରିକ ଭାବରେ ରହିଆସିଛି। ଏହି ସ୍ନାନ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏଣୁ କାର୍ତ୍ତିକ ମାସରେ, ବିଶେଷକରି ଅଁଳା ନବମୀରେ ଶ୍ରୀଜଗନ୍ନାଥ ସ୍ବୟଂ ଅଁଳାମାଳ ପରିଧାନ କରି ସମସ୍ତଙ୍କୁ ଅଁଳାର ଉପକାରିତା ସ˚ପର୍କରେ ମହନୀୟ ବାର୍ତ୍ତା ଦେଇ ଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dh4dfh7sdf89h7sf8dh7sf56hfsh4sfhsf5h74s98f74hsfhhsfh.jpg)