କା“ଅନ୍ନପୂର୍ଣ୍ଣେ ସଦା ପୂର୍ଣ୍ଣେ ଶଙ୍କରପ୍ରାଣବଲ୍ଲଭେ...
ଜ୍ଞାନ, ବୈରାଗ୍ୟ, ସିଦ୍ଧ୍ୟାର୍ଥଂ, ଭିକ୍ଷାଂ ଦେହି ଚ ପାର୍ବତୀ...”
ଶୀ, ବାରାଣସୀ, ଯେଉଁଠାରେ ପ୍ରଭୁ ମହାଦେବ ବିଶ୍ୱେଶ୍ୱର ଭାବରେ ପୂଜିତ, ସେଠାରେ ମା’ ପାର୍ବତୀଙ୍କର ଅନ୍ନପୂର୍ଣ୍ଣେଶ୍ୱରୀ ରୂପ ବିଶେଷ ଭାବେ ପୂଜିତା। ଅନ୍ନପୂର୍ଣ୍ଣେଶ୍ୱରୀଙ୍କର ଏ ମନ୍ଦିରଟି ମରାଠା ପେଶୱା ବାଜିରାଓ ବଲ୍ଲାଡଙ୍କ ଦ୍ୱାରା ୧୭୨୯ ଖ୍ରୀଷ୍ଟାବ୍ଦରେ ନିର୍ମିତ। ଦେବୀଙ୍କର ନିତ୍ୟଦର୍ଶନ ପାଇଁ ପିତ୍ତଳ ପ୍ରତିମା ରହିଛନ୍ତି ଏବଂ କେବଳ କାର୍ତ୍ତିକ ପ୍ରତିପଦା ଦିନ ଅନ୍ନକୂଟ ମହୋତ୍ସବ ବେଳେ ଦେବୀଙ୍କର ସୁବର୍ଣ୍ଣ ପ୍ରତିମା ଦେଖିବାକୁ ମିଳେ। ଦେବୀଙ୍କର ଏହି ରୂପ ଅନ୍ୟତ୍ର ଦୁର୍ଲ୍ଲଭ। କୁହାଯାଏ ଯେଉଁଠାରେ ମାଆ ଅନ୍ନପୂର୍ଣ୍ଣାଙ୍କର ନିବାସ, ସେଠାରେ କ୍ଷୁଧାର ତାଡ଼ନା ନାହିଁ (କାଶୀବାସୀଙ୍କର ଭୋଜନବିଳାସ କାହାକୁ ବା ଅଜଣା)।
ମାତାଙ୍କର ଅନ୍ନପୂର୍ଣ୍ଣା ରୂପ ସମ୍ବନ୍ଧରେ ରୋଚକ ପୌରାଣିକ କାହାଣୀ ରହିଛି। ଏକଦା ଶିବପାର୍ବତୀ ଆଳାପମଗ୍ନ ଥିବାବେଳେ ମହାଦେବ ଜଗତକୁ ‘ମାୟା’ ବୋଲି କହିଦେଲେ। ଅନ୍ନପୂର୍ଣ୍ଣା ଏହାର ବିରୋଧ କଲେ। କ୍ଷୁଧା ଅବିନାଶୀ ଏବଂ ଖାଦ୍ୟ ପରମସତ୍ୟ ବୋଲି ମା’ କହିଲେ। ଏଣୁ ମହାଦେବଙ୍କ ଭ୍ରମ ଦୂର କରିବା ପାଇଁ ପୃଥିବୀର ସବୁ ଖାଦ୍ୟପାନୀୟ ଲୁଚାଇଦେଲେ, ନିଜେ ମଧ୍ୟ ଲୁଚିଗଲେ। ଅନ୍ୟପଟେ ପ୍ରବଳ କ୍ଷୁଧା ରୂପେ ପ୍ରତ୍ୟେକ ପ୍ରାଣୀ ଭିତରେ ବିଜେ ହେଲେ। ଭୋକରେ ଆଉଟୁପାଉଟୁ ହୋଇ ଜଗତଜନଙ୍କ ସହ ସ୍ୱୟଂ ମହାଦେବ ତ୍ରାହି ତ୍ରାହି ଡାକ ଛାଡ଼ିଲେ। “କ୍ଷୁଧା ତୃଷାର୍ତାଂ ଜନନୀ ସ୍ମରନ୍ତି” (ଭୋକଶୋଷ ହେଲେ ମା’ ମନେପଡ଼େ)। ମହାଦେବ ନିଜର କମଣ୍ଡଳୁ ଧରି ଭିକ୍ଷାର୍ଥୀ ଭାବରେ ପାର୍ବତୀଙ୍କୁ ଆକୁଳ ହୋଇ ସ୍ମରଣ କରିବାକୁ ଲାଗିଲେ। ତହୁଁ ମାତା ହାତରେ ଅକ୍ଷୟପାତ୍ର ଓ ଅପୂର୍ବ ପରଶୁଣି ଧରି ଉଭା ହେଲେ। ମା’ ଅନ୍ନପୂର୍ଣ୍ଣାଙ୍କ ଇଙ୍ଗିତ ମାତ୍ରେ ଖାଦ୍ୟପୂର୍ଣ୍ଣ ହେବାକୁ ଲାଗିଲା ପ୍ରତି ରନ୍ଧନଶାଳା। ସମସ୍ତେ ଆକଣ୍ଠ ଭୂରିଭୋଜନ କଲେ। ମହାଦେବଙ୍କ ଆଦେଶ ମୁତାବକ ଯେଉଁ ସ୍ଥାନରେ ମା’ ଅନ୍ନପୂର୍ଣ୍ଣା ନିବାସ କରିବେ ସେଠାରେ ସମସ୍ତେ କ୍ଷୁଧାମୁକ୍ତ ନିଶ୍ଚିନ୍ତ ଜୀବନଯାପନ କରିବେ।
ଅନ୍ୟ ଏକ କାହାଣୀ ମୁତାବକ, ମାତା ପାର୍ବତୀ ମହାଦେବଙ୍କର ତିନିଟିଯାକ ଆଖିକୁ ନିଜ ହାତରେ ବନ୍ଦ କରିଦିଅନ୍ତେ ଘୋର ଅନ୍ଧାର ହେଲା, ମାତାଙ୍କ ଗୌରୀ ରୂପ ମଧ୍ୟ ଅନ୍ତର୍ହିତ ହୋଇଗଲା, ସେ ହେଲେ କାଳୀ। କିଛି ସମୟ ପରେ ଦେବାଧିଦେବ ଆଖି ଖୋଲିଲେ ଏବଂ ମା’ଙ୍କର କାଳୀ ରୂପ ଦେଖି ନିରବ ରହିଲେ। ଗୌରୀ ନିଜର ଗୌରବର୍ଣ୍ଣ ଫେରିପାଇବା ପାଇଁ ବ୍ୟାକୁଳ ଥିଲେ। ତେଣୁ ମହାଦେବ ତାଙ୍କୁ ନିତ୍ୟ ଅନ୍ନଦାନ କରିବାକୁ ପରାମର୍ଶ ଦେଲେ, କାଶୀ ବିଶ୍ୱେଶ୍ୱରଙ୍କ ପତ୍ନୀ ଭାବରେ ମା’ ମହାମୋକ୍ଷପଥର ଯାତ୍ରୀ ଓ ସମସ୍ତ ଆର୍ତ୍ତ, ଅର୍ଥୀମାନଙ୍କୁ ନିଜ ରନ୍ଧନଶାଳାରୁ ଭୋଜନଦାନ କରୁ କରୁ ଗୌରୀ ରୂପ ଫେରିପାଇଲେ। ଅନ୍ନପୂର୍ଣ୍ଣେଶ୍ୱରୀ ସ୍ତୋତ୍ରରେ ଧାଡ଼ିଏ ଅଛି, “ଶ୍ରୀବିଶ୍ବେଶ ମନଃ ପ୍ରସାଦନ କରୀ କାଶୀପୁରାଧିଶ୍ବରୀ... ଭିକ୍ଷାଂ ଦେହି କୃପାବଲମ୍ବନକରୀ ମାତାନ୍ନପୂର୍ଣ୍ଣେଶ୍ୱରୀ’’
ଅନ୍ନପୂର୍ଣ୍ଣେଶ୍ୱରୀ ସ୍ତୋତ୍ରର ଉତ୍ପତ୍ତି ସମ୍ପର୍କରେ ମଧ୍ୟ ଗୋଟିଏ କିଂବଦନ୍ତି ରହିଛି। ଶ୍ରୀମଦ୍ଶଙ୍କରାଚାର୍ଯ୍ୟ କାଶୀବାସ ସମୟରେ ନିୟମ ଅନୁସାରେ ଗୋଟିଏ ଘରୁ ଭିକ୍ଷାକରି ଯାହା ମିଳେ ତାହା ଖାଆନ୍ତି। ଦିନେ ସେ ଜଣେ ଦରିଦ୍ର ବ୍ରାହ୍ମଣର ଦ୍ୱାରସ୍ଥ ହେଲେ, ସନ୍ନ୍ୟାସୀଙ୍କୁ ଅନ୍ନଦାନ ଦେଇନପାରି ଗରିବ ବ୍ରାହ୍ମଣ କାନ୍ଦିବାକୁ ଲାଗିଲେ। ତାଙ୍କ ଘରେ ଅନ୍ନର ଦାନାଟିଏ ନଥିଲା। ମାତା ଅନ୍ନପୂର୍ଣ୍ଣାଙ୍କ ନଗରୀରେ ଏଭଳି ଜଣେ ଦରିଦ୍ରଙ୍କୁ ଦେଖି ଶ୍ରୀମଦ୍ଶଙ୍କରାଚାର୍ଯ୍ୟ ମହୋଦୟ ସେହିଠାରେ ମାତାଙ୍କୁ ଆବାହନ କଲେ,
“ନିତ୍ୟାନନ୍ଦକରୀ ବରାଭୟକରୀ ସୌନ୍ଦର୍ଯ୍ୟରତ୍ନାକରୀ
ନିର୍ଧୂତାଖିଲଘୋରପାପନିକରୀ ପ୍ରତ୍ୟକ୍ଷ୍ୟମାହେଶ୍ୱରୀ
ପ୍ରାଲେୟାଚଲବଂଶପାବନକରୀ କାଶୀପୁରାଧିଶ୍ୱରୀ
ଭିକ୍ଷାଂ ଦେହି କୃପାବଲମ୍ବନକରୀ ମାତାର୍ଣ୍ଣପୂର୍ଣ୍ଣେଶ୍ୱରୀ’’
ବାର ପଦରେ ରଚିତ ଏହି ସ୍ତୋତ୍ରଟି ପଢ଼ିବା ମାତ୍ରେ ସେ ବ୍ରାହ୍ମଣଙ୍କ ଅଗଣାରେ ସୁନାବର୍ଷା ହେଲା ବୋଲି କିଂବଦନ୍ତି ରହିଛି। ଅନ୍ନପୂର୍ଣ୍ଣେଶ୍ୱରୀ ସ୍ତୋତ୍ର ପ୍ରତିଦିନ ପଢ଼ି ନପାରିଲେ ଗୋଟିଏ କାଗଜରେ ଲେଖି ଠାକୁରଘରେ କି ରୋଷେଇଘରେ ରଖିଦେଲେ ପରିବାରରେ କେବେ ଅନ୍ନର ଅଭାବ ହୁଏନାହିଁ ବୋଲି ପ୍ରବାଦ ରହିଛି। ଅନ୍ନର ଦେବୀ ଭାବେ ମା’ ଅନ୍ନପୂର୍ଣ୍ଣା ଦେବୀ ପାର୍ବତୀଙ୍କ ରୂପ ଅଟନ୍ତି। ଶ୍ରୀମନ୍ଦିରରେ ମା’ ବିମଳାଙ୍କ ନିକଟରେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ନେତ୍ରଲାଗି ହେବାପରେ ହିଁ ମହାପ୍ରସାଦ ହୁଏ। ମା’ ବିମଳାଙ୍କ ନିକଟରେ ଏବେ ଷୋଡ଼ଶ ଉପଚାର ପୂଜା ଚାଲିଥିବ, ମା’ଙ୍କୁ ପ୍ରୋକ୍ଷଣ ବା ବଳୀ ଦିଆଯିବ। ମାଛ ବା ପାଣିଫଳ ପୂଜା ହେବ, ଲୁଣ ବା ରାମରସରେ ସିଦ୍ଧ ମତ୍ସ୍ୟ ମା’ଙ୍କର ଭୋଗ।
(କାହାଣୀ ଓ କିଂବଦନ୍ତି: ସଂଗୃହୀତ)