‌‌‌କୋଭିଡ୍‌ ସଂପର୍କରେ ବାରମ୍ବାର ପଚରା ଯାଉଥିବା କିଛି ପ୍ରଶ୍ନର ଉତ୍ତର

କରୋନାର ଦ୍ବିତୀୟ ଲହର ଏବେ ଭାରତରେ ଉଗ୍ରରୂପ ଧାରଣ କରିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ଅନେକଗୁଡ଼ିଏ ଦ୍ବନ୍ଦ୍ବ, ଶଙ୍କା ଜାରି ରହିଛି। ତାହାକୁ ଦୂର କରିବା ପାଇଁ ଏମ୍‌ସର ପୂର୍ବତନ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ‘ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରସ୍ତୁତ କରାଯାଇଛି। ଏହାକୁ ଲେଖିଛନ୍ତି, ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌ ଜୟା।

୧. କୋଭିଡ୍-୧୯ (ସାର୍ସ କୋଭ-୨) ସଂକ୍ରମଣର ସାଧାରଣ ଲକ୍ଷଣଗୁଡ଼ିକ କ’ଣ?
ଉତ୍ତର: କୋଭିଡ୍‌-୧୯ ସଂକ୍ରମଣରେ ଆକ୍ରାନ୍ତ ଲୋକମାନଙ୍କର ବିଭିନ୍ନ ପ୍ରକାରର ଲକ୍ଷଣ ଥାଇପାରେ, ଯାହା ସାମାନ୍ୟରୁ ଗୁରୁତର ହୋଇପାରେ। ସାଧାରଣତଃ ଭୂତାଣୁ ସଂସ୍ପର୍ଶରେ ଆସିବାର ୨-୧୪ ଦିନ ମଧ୍ୟ‌ରେ ଲକ୍ଷଣ ପ୍ରକାଶ ପାଇଥାଏ। ଭୂତାଣୁ ମଣିଷ ଶରୀରର ଗୋଟିଏ ଅଙ୍ଗ କିମ୍ବା ସ୍ନାୟୁ, ହୃଦ୍, ଭାସ୍କୁଲାର (ଅତ୍ୟଧିକ ଜମାଟ ବାନ୍ଧିବା) ଏବଂ ଶେଷରେ ହଜମ ପ୍ରକ୍ରିୟା ଉପରେ ଏକକାଳୀନ କିମ୍ବା କ୍ରମିକ ଭାବେ ପ୍ରଭାବ ପକାଇପାରେ।

କୋଭିଡ୍‌-୧୯ ସଂକ୍ରମଣର ସାଧାରଣ ଲକ୍ଷଣ ହେଲା
ଜ୍ୱର କିମ୍ବା ଥଣ୍ଡା କିମ୍ବା ଉଭୟ
ମୁଣ୍ଡବିନ୍ଧା
ନାକରୁ ପାଣି ବୋହିବା, ନାକ ଜାମ୍‌ ହୋଇଯିବା
ନିଶ୍ୱାସପ୍ରଶ୍ୱାସ କମିବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେବା
କଫ ବାହାରିବା ସହ କାଶ ହେବା
ଥକ୍କା ଲାଗିବା
ମାଂସପେଶୀ କିମ୍ବା ଶରୀର ଘୋଳାବିନ୍ଧା ହେବା
ଗଳାରେ ଯନ୍ତ୍ରଣା ଅନୁଭବ ହେବା

ସ୍ବାଦ ଓ ଗନ୍ଧ ବାରି ପାରିବାର କ୍ଷମତା ହରାଇବା (ଏହି ଲକ୍ଷଣ ଦେଖାଦେଲେ ଜଣେ ନିଶ୍ଚିତ ହୋଇଯିବା ଉଚିତ ଯେ ସେ ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇସାରିଛି)

ଶରୀରର ବିଭିନ୍ନ ସ୍ଥାନରେ କୁଣ୍ଡେଇ ହେବା, ଫଳିଯିବା (ବର୍ତ୍ତମାନ କୋଭିଡ୍‌-୧୯ର ଏକ ପ୍ରମୁଖ ଲକ୍ଷଣ ଭାବେ ବିବେଚନା କରାଯାଉଛି)

ବାନ୍ତି, କିମ୍ବା ଝାଡ଼ା ହେବା (କୋଭିଡ୍‌-୧୯ ରୋଗୀଙ୍କ ଅଧାରୁ ଅଧିକ ଲୋକ ପେଟ ଜନିତ ସମସ୍ୟା ଅନୁଭବ କରନ୍ତି, ଯେପରିକି ଝାଡ଼ା, ବାନ୍ତି ଏବଂ ପେଟ ଯନ୍ତ୍ରଣା। ଏଗୁଡ଼ିକ ଭାଇରସ୍‌ ଆକ୍ରାନ୍ତ ହେବାର ପ୍ରଥମ ଲକ୍ଷଣ)‌।

କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତି ସମୟ ଥାଉ ଥାଉ ଚିହ୍ନଟ ହୋଇ ନିଜକୁ ସଂଗରୋଧରେ ରଖିପାରିଲେ, ସଂକ୍ରମଣ ବିସ୍ତାରକୁ ରୋକାଯାଇପାରେ।

୨. କୋଭିଡ୍-୧୯ ସଂକ୍ରମଣର ଅପେକ୍ଷାକୃତ ବିରଳ ଲକ୍ଷଣଗୁଡିକ କ’ଣ?
ଉତ୍ତର: କୋଭିଡ୍‌-୧୯ ରୋଗୀଙ୍କ କ୍ଷେତ୍ରରେ ଶ୍ବାସକ୍ରିୟାଜନିତ ଜଟିଳ ଲକ୍ଷଣ ଦେଖାଦେଇଥାଏ। କିନ୍ତୁ ହୃତ୍‌ପିଣ୍ଡ ଏବଂ ପେରିକାର୍ଡିଆମ୍‌ (pericadium)ରେ ଜଟିଳତାକୁ ଆମେ ସାଧାରଣ ଭାବେ ଅଣଦେଖା କରିଥାଉ। ଏଗୁଡ଼ିକ ପ୍ରାୟତଃ ବର୍ଦ୍ଧିତ ରୋଗ ଓ ମୃତ୍ୟୁ ସହ ଜଡ଼ିତ।

ଜଣେ ବ୍ୟକ୍ତିର ହୃଦ୍‌ସ୍ପନ୍ଦନ ମିନିଟ୍‌କୁ ୬୦ରୁ ୧୦୦ଥର ମଧ୍ୟରେ ହୋଇଥାଏ। କିନ୍ତୁ ଅଙ୍ଗୁଳି ଅକ୍ସିମିଟର୍‌ରେ ଅମ୍ଳଜାନସ୍ତର ପାଖାପାଖି ୯୮ପ୍ରତିଶତ ଥାଇ ମଧ୍ୟ ମିନିଟ୍‌ ପିଛା ୫୦ରୁ କମ୍‌ ହୃଦ୍‌ସ୍ପନ୍ଦନ ହେଲେ, ତାହା ଅତି ସାଂଘାତିକ ହୋଇଥାଏ। ହୃଦ୍‌ସ୍ପନ୍ଦନରେ ଏହି ଅନିୟମିତତା ଯୋଗୁଁ ମସ୍ତିଷ୍କ ଓ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ‌‌ରେ ଅମ୍ଳଜାନର ଅଭାବ ସୃଷ୍ଟି ହୋଇଥାଏ। ଏହାଦ୍ବାରା ରୋଗୀର ବାନ୍ତି ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଥକ୍କାପଣ, ଦୁର୍ବଳତା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଛାତିରେ ଯନ୍ତ୍ରଣା, ଶାରୀରିକ କାର୍ଯ୍ୟକଳାପ ସମୟରେ ଶୀଘ୍ର କ୍ଲାନ୍ତ ହୋଇଯାଇଥାଏ। ଏହାକୁ ବ୍ରାଡିକାର୍ଡିଆ (bradycardia) କୁହାଯାଏ। ଜଣଙ୍କ ଦେହରେ ଦୀର୍ଘ ଦିନ ଧରି ଏହି ରୋଗ ଅଛପା ରହିଗଲେ ବା ଏହାର ନିରୂପଣ ହୋଇ ନପାରିଲେ ରୋଗୀର ହୃଦ୍‌ଘାତ, ହୃତ୍‌ପିଣ୍ଡକୁ ପର୍ଯ୍ୟାପ୍ତ ରକ୍ତ ନ ପହଞ୍ଚିବାରୁ ତୀବ୍ର ହୃଦ୍‌ ଯନ୍ତ୍ରଣା, ଉଚ୍ଚ ରକ୍ତଚାପ, ୧୧୦ରୁ ଊର୍ଧ୍ବ ହୃଦ୍‌ସ୍ପନ୍ଦନ, ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇପାରେ। କିଛି କୋଭିଡ୍‌ ପୀଡ଼ିତଙ୍କ କ୍ଷେତ୍ରରେ ଏ ସବୁ ବିରଳ ଲକ୍ଷଣ ଦେଖାଦେଇଥାଏ।

ଅନ୍ତଃନଳୀରେ ତୀବ୍ର ଅବରୋଧ ମଧ୍ୟ ଅନ୍ୟତମ ଲକ୍ଷଣ।

କୋଭିଡ୍‌ ଜିଭ। ଜିଭରେ ଅଲସର୍‌ ବା ଫୋଟକା ସଦୃଶ ହେବା ଅସାଧାରଣ ନୁହେଁ, କିନ୍ତୁ ଏବେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଯାଉଛି। ଜିଭରେ ଅଲସର୍‌, ଫୁଲା, ଘା’ ଧଳା କିମ୍ବା କଳାର ଆସ୍ତରଣ ଇତ୍ୟାଦି ଦେଖାଯିବା ସଂକ୍ରମଣ ଅନ୍ୟତମ ଲକ୍ଷଣ। ତେବେ ଏହି ଲକ୍ଷଣ ଦେଖାଉଥିବା ସମସ୍ତେ ଯେ କୋଭିଡ୍‌ ଆକ୍ରାନ୍ତ, ତାହା କୁହାଯାଇନପାରେ। ଅତ୍ୟଧିକ ମସଲାଯୁକ୍ତ, ଅମ୍ଳୀୟ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏପରି ହୋଇଥାଏ। ଏଥିପାଇଁ ଚର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ ଜରୁରୀ।

୩. ଏମିତି କେଉଁ ବିପଜ୍ଜନକ ଲକ୍ଷଣ ଦେଖିଲେ, ଆକ୍ରାନ୍ତଙ୍କୁ ତୁରନ୍ତ ଡାକ୍ତରଖାନା‌ରେ ଭର୍ତ୍ତି କରାଇବା ଆବଶ୍ୟକ?
ଉତ୍ତର: ଆକ୍ରାନ୍ତଙ୍କ ମଧ୍ୟରେ ନିମ୍ନଲିଖିତ ଜଟିଳତା ପ୍ରକାଶ ପାଇଲେ, ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ।
ଶ୍ବାସକ୍ରିୟା‌ରେ ସମସ୍ୟା କିମ୍ବା ଅକ୍ସିମିଟର୍‌‌‌‌‌ରେ ଅମ୍ଳଜାନ ସ୍ତର ୯୦% ତଳେ ରେକର୍ଡ ହେଲେ
ଛାତିରେ କ୍ରମାଗତ ଯନ୍ତ୍ରଣା କିମ୍ବା ଚାପ ଅନୁଭୂତ ହେଲେ
ରୋଗୀ ବାଉଳାଚାଉଳା ହେବା କିମ୍ବା ନୂଆ ମାନସିକ ଦ୍ୱନ୍ଦ୍ୱ ଦେଖାଦେଲେ
ଜାଗ୍ରତ ହେବା କିମ୍ବା ଜାଗ୍ରତ ରହିବାରେ ଅକ୍ଷମତା
ଚର୍ମ, ଓଠ କିମ୍ବା ନଖର ରଙ୍ଗ ବଦଳିବା (ହଳଦିଆ, ଫିକା, କିମ୍ବା ଧୂସର ହୋଇଯିବା)
ପେଟରେ ଯନ୍ତ୍ରଣା କିମ୍ବା ଯନ୍ତ୍ରଣା ରହିତ ଅବସ୍ଥାରେ ବାରମ୍ବାର ବାନ୍ତି ହେବା

୪. ଉପରୋକ୍ତ ସମସ୍ତ ଲକ୍ଷଣ ଦେବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି କି ମୁଁ କୋଭିଡ୍‌‌ରେ ଆକ୍ରାନ୍ତ ହୋଇଛି କି ନାହିଁ?
ଉତ୍ତର: ସାଂପ୍ରତିକ ସ୍ଥିତିରେ ଯେକୌଣସି ସାଧାରଣ ଲକ୍ଷଣ କୋଭିଡ୍‌-୧୯ର ଲକ୍ଷଣ ହୋଇପାରେ। ତେଣୁ ଏକାଧିକ ଲକ୍ଷଣ ଦେଖାଯିବା ପର୍ଯ୍ୟନ୍ତ କିମ୍ବା ଜ୍ବର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ସର୍ବପ୍ରଥମେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା କରନ୍ତୁ। ଅସୁସ୍ଥ ହେବାର ୩ରୁ ୫ ଦିନ ମଧ୍ୟରେ ଆଣ୍ଟିଜେନ୍‌ କିମ୍ବା ଆର୍‌ଟି-ପିସିଆର୍‌ ପରୀକ୍ଷା କରାନ୍ତୁ।

୫. ମୋର ଜ୍ୱର କିମ୍ବା ଅନ୍ୟ କୌଣସି ଲକ୍ଷଣ ନାହିଁ। ଏହା ସତ୍ତ୍ବେ ମୁଁ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇ ପାରିବି କି?
ଉତ୍ତର: ହଁ, ନିଶ୍ଚିତ ଭାବେ।

୬. କୋଭିଡ୍‌ ପରୀକ୍ଷା ରିପୋର୍ଟରେ ଯଦି ‘ଡିଟେକ୍ଟେଡ୍‌’ ଶବ୍ଦ ଉଲ୍ଲେଖ ରହିଛି, ତେବେ‌ ମୁଁ କୋଭିଡ୍‌-୧୯ ସଂକ୍ରମିତ କି?
ଉତ୍ତର:ହଁ, ଆପଣ କୋଭିଡ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।

୭. ଲକ୍ଷଣ ନଥିବା ସତ୍ତ୍ବେ ମୁଁ କୋଭିଡ୍‌ ଆକ୍ରାନ୍ତ ହୋଇପାରେ କି?
ଉତ୍ତର: ହଁ। ଆପଣଙ୍କ କୌଣସି ଲକ୍ଷଣ ଦେଖା ନ ଦେଲେ ମଧ୍ୟ ଆପଣ ଜଣେ କୋଭିଡ୍‌ ଆକ୍ରାନ୍ତ ହୋଇପାରନ୍ତି। ଏମିତି ବହୁତଗୁଡ଼ିଏ ଘଟଣା ସାମ୍ନାକୁ ଆସୁଛି, ଯେଉଁଠାରେ ଆକ୍ରାନ୍ତଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଉନାହିଁ।

୮. ଜ୍ୱର ସର୍ବଦା କୋଭିଡ୍‌-୧୯ର ପ୍ରଥମ ଲକ୍ଷଣ କି?
ଉତ୍ତର: ନା, ଯେକୌଣସି ସାଧାରଣ କିମ୍ବା ବିରଳ ଲକ୍ଷଣ କୋଭିଡ୍‌ର ପ୍ରଥମ ଲକ୍ଷଣ ହୋଇପାରେ।

୯. ମୋତେ ସାମାନ୍ୟ ଜ୍ବର ହୋଇଛି। ଏହା କୋଭିଡ୍‌-୧୯ ସଂକ୍ରମଣ ହେତୁ ହୋଇପାରେ କି?
ଉତ୍ତର: ହଁ ହୋଇପାରେ। ଯଦିଓ ଜ୍ବର ଅନେକ ରୋଗର ସାଧାରଣ ଲକ୍ଷଣ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଅଣଦେଖା କରାଯାଇ ନପାରେ।

୧୦. ମୋର ସାମାନ୍ୟ କାଶ ଏବଂ ଗଳା ଯନ୍ତ୍ରଣା ହେଉଛି। ଦେହରେ ଜ୍ୱର ନାହିଁ। ଏହା କୋଭିଡ୍‌ ସଂକ୍ରମଣ ହୋଇପାରେ କି? ମୁଁ ଭାବୁଛି ବଜାରରୁ ଫେରିବା ସମୟରେ ବର୍ଷାରେ ଭିଜିବାରୁ ଏପରି ହୋଇଛି।
ଉତ୍ତର: ବର୍ତ୍ତମାନ (ମେ’ ୨୦୨୧) ପରିସ୍ଥିତିରେ ସାଧାରଣ ଥଣ୍ଡାର ସମସ୍ତ ଲକ୍ଷଣ ମଧ୍ୟ କୋଭିଡ୍-୧୯ ଯୋଗୁଁ ହୋଇପାରେ। ତେଣୁ କୌଣସି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ। (କ୍ରମଶଃ)

ସମ୍ବନ୍ଧିତ ଖବର