ଉତ୍ତରପ୍ରଦେଶ ଅନ୍ତର୍ଗତ ମିର୍ଜାପୁରର ଜଣେ ବ୍ୟକ୍ତିଙ୍କ ରାଜକୀୟ ଜୀବନଯାପନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିର୍ଜାପୁରର ଶ୍ରୁତିହାର ଅଞ୍ଚଳରେ ରହୁଥିବା ସିଆରାମ ପଟେଲ ନାମକ ଏହି ବ୍ୟକ୍ତି ପେସାରେ ଜଣେ ବୈଦ୍ୟ ଓ ଔଷଧ ବିକାଳି। ତାଙ୍କ ବିଳାସମୟ ଜୀବନଚର୍ଯ୍ୟା ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଆଲୋଚିତ ହେଉଛି। ନିକଟରେ ସେ ରାଜପ୍ରାସାଦ ଶୈଳୀରେ ଏକ ୧୪ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିଛନ୍ତି, ଯାହାକୁ ମିର୍ଜାପୁରର ଆଣ୍ଟିଲିଆ ବୋଲି କୁହାଯାଉଛି। ଏଥିପାଇଁ ସେ ନିର୍ମାଣର କୌଣସି ନୀତିନିୟମ ଅନୁସରଣ କରିନଥିଲା ବେଳେ କେବଳ ଦେଖାଇହେବା ପାଇଁ ସେ ତାହାକୁ ଆହୁରି ଉଚ୍ଚ କରିବା ଯୋଜନା ରଖିଛନ୍ତି।
ଖାଲି ସେତିକି ନୁହେଁ, ଅତୀତର ରାଜା ମହାରାଜାଙ୍କ ବହୁପତ୍ନୀ ପ୍ରଥାକୁ ଅନୁସରଣ କରି ସିଆରାମ ଚାରି ଚାରି ଥର ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ବିବାହ କରିଛନ୍ତି ଏବଂ ପାଖରେ ସମସ୍ତ ଚାରି ଜଣ ପତ୍ନୀଙ୍କୁ ରଖିଛନ୍ତି। ଏବେ ତାଙ୍କର ଛଅ ଜଣ ସନ୍ତାନ ଅଛନ୍ତି। କିଛି ଦିନ ତଳେ ତାଙ୍କର ଚତୁର୍ଥ ବିବାହ ସରିବା ପରେ ସେ ସନ୍ତାନସନ୍ତତିମାନଙ୍କର ଉଚିତ ଯତ୍ନ ନେଉନାହାନ୍ତି ବୋଲି ତାଙ୍କ ବଡ଼ ଝିଅ ସ୍ଥାନୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ସେହିପରି ତାଙ୍କ ନିୟମ ବହିର୍ଭୂତ ନିର୍ମାଣାଧୀନ ପ୍ରାସାଦଟି ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ଝଡ଼ବାତ୍ୟା ଭଳି ପରିସ୍ଥିତିରେ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରି ଲୋକେ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଫଳରେ ପ୍ରଶାସନ ଉକ୍ତ କୋଠାକୁ ଜବତ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି।