ପିମ୍ପୁଡ଼ିମାନେ ଦଳରେ ଗତି କଲାବେଳେ ଆବଶ୍ୟକ ସ୍ଥଳେ ବାଟରେ କ୍ଷଣେ ଅଟକି ଯାଆନ୍ତି ପଛକେ, କାହାକୁ ଅତିକ୍ରମ କରି ଯାଆନ୍ତି ନାହିଁ। ସେମାନଙ୍କର ଏହି ଆଚରଣକୁ ଇଟାଲିର ଟ୍ରେଣ୍ଟୋ ବିଶ୍ବବିଦ୍ୟାଳୟର ସଡ଼କ ଓ ରେଳ ଭିତ୍ତିଭୂମି ଗବେଷକମାନେ ଅଧ୍ୟୟନ ଓ ବିଶ୍ଳେଷଣ କରିଛନ୍ତି। ସେଥିରୁ ସେମାନେ ପାଇଥିବା ନିର୍ଯାସ ଏପରି- ଏହି କ୍ଷୁଦ୍ର କୀଟଙ୍କର ଶୃଙ୍ଖଳିତ ଆଚରଣକୁ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଉପଯୋଗ କରିପାରିଲେ ମାତ୍ରାଧିକ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିପାରିବ।
ପିମ୍ପୁଡ଼ିମାନେ ଗୋଷ୍ଠୀବଦ୍ଧ ହୋଇ ଗତି କଲାବେଳେ ଧାଡ଼ିବାନ୍ଧି ଯାଇଥା’ନ୍ତି, ଯାହାର ରାଜପଥରେ ଯାନବାହନ ଚଳାଚଳ ସହ ଅନେକ ସମାନତା ରହିଛି। ପ୍ରାୟ ୩୦ ସେଣ୍ଟିମିଟର୍ ବିଶିଷ୍ଟ ଏକ ପିମ୍ପୁଡ଼ିପଥରେ ସେମାନଙ୍କର ଗତି, ପ୍ରବାହ ଓ ଘନତ୍ବକୁ ବିଶ୍ଳେଷଣ କରି ଗବେଷକମାନେ ଲକ୍ଷ୍ୟ କରିଥିଲେ ଯେ ପିମ୍ପୁଡ଼ିମାନେ ଉଚ୍ଚ ଘନତ୍ବରେ ମଧ୍ୟ ଗହଳି ଏଡ଼ାଇବା ପାଇଁ ଗୋଷ୍ଠୀ ଗଠନ, ସ୍ଥିର ଗତି ଓ କୌଣସି ପ୍ରକାର ଡେଇଁ ଟପି ନଯିବା ଭଳି ରଣନୀତି ଆପଣେଇଥା’ନ୍ତି। ଆମ ରାସ୍ତାଘାଟ ପରି ସେମାନେ ମଧ୍ୟ ମୁହାଁମୁହିଁ ଟ୍ରାଫିକ୍ ପରିଚାଳନା କରିବାରେ ସକ୍ଷମ। ତେବେ ଫରକ ଏତିକି, ସେମାନେ ଭିଡ଼ ନକରି ଆଗକୁ ଆଗକୁ ମାଡ଼ି ଚାଲିଥା’ନ୍ତି। ପିମ୍ପୁଡ଼ିମାନେ ଏକ ନେତା ପିମ୍ପୁଡ଼ି ଦ୍ବାରା ଚିହ୍ନିତ ରାସାୟନିକ ସଂକେତ ପଥ (ଫେରୋମୋନ୍) ଅନୁସରଣ କରିଥା’ନ୍ତି, ଯେଉଁଥିରେ ସେମାନେ କ୍ଷୁଦ୍ର ଫାଙ୍କ ସହିତ ଏବଂ କାହାକୁ ଅତିକ୍ରମ ନକରି ଏକ ଗୋଷ୍ଠୀ ଭାବେ ଗତି କରିଥା’ନ୍ତି।
ପିମ୍ପୁଡ଼ିମାନେ ଉଚ୍ଚ ଘନତ୍ବରେ ମଧ୍ୟ ଗହଳି ଏଡ଼ାଇବା ପାଇଁ ଗୋଷ୍ଠୀ ଗଠନ, ସ୍ଥିର ଗତି ଓ ଆଗ ଯାତ୍ରୀକୁ ଟପି ନଯିବା ଭଳି ରଣନୀତି ଆପଣେଇଥା’ନ୍ତି। ସେମାନେ ଆମ ରାସ୍ତାଗୁଡ଼ିକ ଭଳି ଦୁଇପାର୍ଶ୍ବ ଟ୍ରାଫିକ୍ ପରିଚାଳନା କରିବାରେ ମଧ୍ୟ ସକ୍ଷମ।
ପିମ୍ପୁଡ଼ିମାନେ ସରଳ ତଥା ସ୍ବୟଂସଂଗଠିତ ନିୟମ ବ୍ୟବହାର କରି ଜଟିଳ ଟ୍ରାଫିକ୍ ସମସ୍ୟାର ସମାଧାନ କରନ୍ତି, ଯାହା ପାରମ୍ପରିକ ଟ୍ରାଫିକ୍ ପରି ବାହ୍ୟ ଭାବରେ ଲାଗୁ ହୋଇ ନଥାଏ। ଏହି ନିୟମଗୁଡ଼ିକ ସେମାନଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ବା ରାସାୟନିକ ସଂକେତରୁ ଉତ୍ପନ୍ନ ହୋଇଥାଏ, ଯାହା ପାରମ୍ପରିକ ରାସ୍ତାରେ ଯାନବାହନ ଅପେକ୍ଷା ସେମାନଙ୍କର ଆଚରଣକୁ ଅଧିକ ସହଯୋଗପୂର୍ଣ୍ଣ କରିଥାଏ।
ତେଣୁ ପିମ୍ପୁଡ଼ିମାନେ ଫେରୋମୋନ୍ ମାଧ୍ୟମରେ ଯୋଗାଯୋଗ କରିବା ଭଳି ଭବିଷ୍ୟତରେ ସ୍ବୟଂଚାଳିତ ଯାନଗୁଡ଼ିକ ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପରସ୍ପର ସହିତ ଏବଂ ରାସ୍ତାର ଭିତ୍ତିଭୂମି ସହିତ ସମନ୍ବିତ ଗୋଷ୍ଠୀ ଗଠନ ପୂର୍ବକ ପାରସ୍ପରିକ କ୍ରିୟା କରିପାରିବେ, ଯାହା ସେମାନଙ୍କୁ ସମାନ୍ତରାଳ ଧାଡ଼ିରେ ସ୍ବଳ୍ପ ବ୍ୟବଧାନ ସହିତ ଉଚ୍ଚ ବେଗରେ ଯିବାକୁ ସୁହାଇବା ସହ ଅଙ୍ଗାରକାମ୍ଳ ନିର୍ଗମନକୁ ମଧ୍ୟ କମାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/23/Yi8xOCjAVMG40fiZ784h.jpg)