କାହାକୁ ଭୋକିଲା ରଖନ୍ତିନି ସେ

ଏମିତି ଠାକୁର ସିଏ, ଯାହାଙ୍କର ହାତ ନାହିଁ କି ଗୋଡ଼ ନାହିଁ। କାହା ପାଖକୁ ସେ ଯାଇ ପାରିବେ ନାହିଁ କି ପାଖକୁ ଆସୁଥିବା ଭକ୍ତଙ୍କୁ ସ୍ନେହରେ ଆଲିଙ୍ଗନ କରି ପାରିବେ ନାହିଁ। କିନ୍ତୁ ଥରେ ତାଙ୍କୁ ପାଖକୁ ନେଇଗଲେ ସେ ଆମକୁ ଛାଡ଼ି ଯାଇପାରିବେ ନାହିଁ। ଠିକ୍ ସେମିତି ତାଙ୍କୁ ଥରେ ଭାବରେ ଜାବୁଡି ଧରିଲେ ସେ ନିଜଠାରୁ ଆମକୁ ଅନ୍ତର ବି କରିପାରିବେ ନାହିଁ। ସେ ତ ଭକତ ଭାବରେ ବନ୍ଧା। ଥରେ ତାଙ୍କୁ ଭାବରେ ବାନ୍ଧି ପକାଇଲେ ସେ ଇହକାଳ-ପରକାଳ ଲାଗି ବନ୍ଧା ପଡ଼ିଯାଆନ୍ତି। ସେଇଥିପାଇଁ ତ ଅଗଣିତ ଭକ୍ତଙ୍କ ହୃଦୟରେ ବନ୍ଧାପଡ଼ି ଅଛନ୍ତି କାଳିଆ ଠାକୁର।

ଆଉ ପ୍ରତି ଓଡ଼ିଆ ପରିବାରର ସେ ଜଣେ ସଦସ୍ୟ। ଭିନ୍ନ ଭିନ୍ନ ସମ୍ପର୍କରେ ସେ ବନ୍ଧା। କିଏ ତାଙ୍କୁ ସର୍ବଶକ୍ତିମାନ୍ ଈଶ୍ୱର ଜ୍ଞାନ କରି ଭକ୍ତି କରେ ତ ଆଉ କିଏ ପିତା-ମାତା-ବନ୍ଧୁ-ସଖା ଭଳି ଆପଣାର ମଣିଷଟିଏ ମନେ କରି ସ୍ନେହ-ଶ୍ରଦ୍ଧାର ରଜ୍ଜୁରେ ବାନ୍ଧି ରଖିଥାଏ। ଯିଏ ବି ସେଇ ନୀଳାଚଳନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛି ଓ ପ୍ରାଣଭରି ଭଲ ପାଇଛି ସେ କିଛି ନା କିଛି ଦିବ୍ୟ ଅନୁଭୂତି ସାଉଁଟିଛି। ତାଙ୍କର ସତ୍ତାକୁ ଉପଲବ୍ଧି କରିଛି। ଶ୍ରୀମନ୍ଦିରର ରତ୍ନବେଦୀରେ ବସିଥିବା ଦାରୁ ରୂପୀ କାଳିଆ ଠାକୁର ଯେ ଜୀବନ୍ତ ତାହା ସେ ଅନୁଭବ କରିଛି। ଆଉ ତାଙ୍କର ଲୀଳାକ୍ଷେତ୍ର ଶ୍ରୀମନ୍ଦିରରେ କେତେ ଯେ ଅଲୌକିକ ଘଟଣା ନିରନ୍ତର ଘଟିଚାଲିଛି ତାହାର ଆକଳନ କରିବାକୁ ମଣିଷ ଅସମର୍ଥ।

ଏହି କ୍ରମରେ ଏହି ଘଟଣାଟି ଉପସ୍ଥାପନ କରାଯାଇପାରେ। ମୋର ଜେଜେ ଥିଲେ ଜଣେ ଭଗବତ୍ ବିଶ୍ୱାସୀ ଓ ଭକ୍ତିପ୍ରାଣ ମଣିଷ। ନାଁ ତାଙ୍କର ଥିଲା ବାଉରୀବନ୍ଧୁ। ପ୍ରାକ୍-ସ୍ୱାଧୀନତା କାଳରେ ସେ ଥିଲେ ସ୍କୁଲ ଶିକ୍ଷକ। କଟକ ଜିଲ୍ଲା ନିଆଳି ନିକଟସ୍ଥ ନୋଦାଗ୍ରାମରେ ବେଶ୍ କିଛି ବର୍ଷ ଶିକ୍ଷକତା କରିଥିଲେ। ୪୦ ଦଶକର କଥା। ଆମେ ସମସ୍ତେ ଜାଣୁ ଏବଂ ଶହ ଶହ ବର୍ଷ ଧରି ଏହି ବିଶ୍ୱାସ ପ୍ରଚଳିତ ରହିଛି କି ଜଗନ୍ନାଥ ମନ୍ଦିରରେ କେହି ଅଭୁକ୍ତ ରହେ ନାହିଁ। ନିଶ୍ଚିତ ଭାବେ ତାଙ୍କୁ ମହାପ୍ରସାଦ ପ୍ରାପ୍ତ ହୁଏ।

ପ୍ରତ୍ୟହ ପ୍ରାତଃକାଳରେ ଶଙ୍କରାଚାର୍ଯ୍ୟକୃତ ଜଗନ୍ନାଥ ଅଷ୍ଟକମ୍ ଗାନ କରି କାଳିଆ ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିବା ବାଉରୀବନ୍ଧୁଙ୍କ ମନରେ ଝୁଙ୍କ୍ ଉଠିଲା- ଥରେ କାଳିଆର ମହିମାକୁ ପରଖିବି। ଯେତେବେଳେ ପୁଣି ଥରେ ଶ୍ରୀକ୍ଷେତ୍ର ଯିବି ମନ୍ଦିର ବେଢ଼ାରେ ଉପବାସରେ ବସିବି। ଦେଖିବା କିଏ ମତେ ଖାଇବାକୁ ଦେବ। ଶ୍ରୀମନ୍ଦିରରେ କେହି ଅଭୁକ୍ତ ରହେ ନାହିଁ ବିଶ୍ୱାସଟି କେତେ ସତ।

କାଳିଆ ଠାକୁର ବି ଛାଡ଼ିବା ଦିଅଁ ନୁହଁନ୍ତି। କିଛି ଦିନ ପରେ ଡୋରି ଲାଗିଲା କାଳିଆର। ବାଉରୀବନ୍ଧୁ ଚାଲିଲେ ଶ୍ରୀକ୍ଷେତ୍ର। ଗାଡ଼ିମଟର ତ ପ୍ରଚଳନ ହୋଇ ନଥାଏ ଶଗଡ଼ ଗାଡ଼ିରେ ଗଲେ ପୁରୀ। ଦିନକ ପରେ ଶରଧାବାଲିରେ ପହଞ୍ଚିଲେ। ତା’ପରଦିନ ସକାଳୁ ଚାଲିଲେ ଶ୍ରୀମନ୍ଦିର। ଅରୁଣସ୍ତମ୍ଭରେ ମଥା ଛୁଆଇଁ ପତିତପାବନଙ୍କୁ ଦର୍ଶନ କରି ବାଇଶି ପାହାଚ ଚଢ଼ି ରତ୍ନବେଦୀରେ ବିରାଜମାନ ଶ୍ରୀଜିଉଙ୍କ ପାଖରେ ପହଞ୍ଚିଲେ ସେ। ଶ୍ରୀଜଗନ୍ନାଥଙ୍କୁ ଦେଖି ସ୍ୱତଃ ତାଙ୍କ କଣ୍ଠରୁ ବାହାରି ଆସିଲା- ‘କଦାଚିତ୍ କାଳିନ୍ଦୀ ତଟବିପିନ ସଂଗୀତ କରଲୋ…।’

କାଳିଆ ଦର୍ଶନ ସରିବା ପରେ ଶ୍ରୀମନ୍ଦିର ବେଢାରେ ଥିବା ଅନ୍ୟ ଦିଅଁଦେବତାଙ୍କ ଦର୍ଶନ ସାରି ଛାଇ ଦେଖି ଗୋଟିଏ ସ୍ଥାନରେ ବସିଲେ। ବାଉରୀବନ୍ଧୁ ମନେ ମନେ ପଣ କରିଥାଆନ୍ତି ଯେତେ ଭୋକ କଲେ ବି ଅନ୍ନମହାପ୍ରସାଦ ସେ କିଣି ଖାଇବେ ନାହିଁ। ଦେଖିବା ଠାକୁରେ ତାଙ୍କୁ ଖୁଆଉଛନ୍ତି ନା ନାହିଁ। ବସି ବସି କ’ଣ କରିବେ? ଗୀତା, ଭାଗବତ, ଭଜନ, ଜଣାଣ ଯାହା ଜାଣିଥିଲେ, ସେସବୁ ଗାଇବା ଆରମ୍ଭ କଲେ। କିଛି ଦର୍ଶନାର୍ଥୀ ବି ପାଖରେ ବସି ବାଉରୀବନ୍ଧୁଙ୍କଠାରୁ ଭଜନ-ଜଣାଣ ଶୁଣି ସମୟ କାଟିଲେ। ହେଲେ କେହି ପଚାରୁ ନଥାନ୍ତି ମହାପ୍ରସାଦ ସେବନ କଥା। ଏମିତିରେ ମଧ୍ୟାହ୍ନ ଟପିଗଲା। ଭକ୍ତ ମନରେ ଜିଦ୍। ସେ ପରୀକ୍ଷା କରିବ ସତରେ କ’ଣ ଶ୍ରୀମନ୍ଦିରରେ କେହି ଅଭୁକ୍ତ ରହନ୍ତି ନାହିଁ?

ସେମିତି ନୀଳଚକ୍ର ଓ ପତିତପାବନ ବାନାକୁ ଚାହିଁ ବସିଥାଆନ୍ତି ବାଉରୀବନ୍ଧୁ। ଅପରାହ୍ନ ହୋଇଗଲା କିନ୍ତୁ ଅନ୍ନ ଜୁଟୁ ନଥାଏ। ଧୀରେ ଧୀରେ ମନ୍ଦିର ଭିତର ଗହଳି ପତଳା ହୋଇଆସିଲା। ସୂର୍ଯ୍ୟ ପଶ୍ଚିମରେ ବୁଡ଼ିବାକୁ ଆରମ୍ଭ କଲେ। ଦୁଇ ଦିନର ଯାତ୍ରାର କ୍ଲାନ୍ତି ସାଙ୍ଗକୁ ପ୍ରବଳ ଭୋକ। ତଥାପି ଟଳୁ ନଥାନ୍ତି ବାଉରୀବନ୍ଧୁ। ଜଗନ୍ନାଥଙ୍କ ପରୀକ୍ଷା ନେବା କ’ଣ ସହଜ କଥା!!

୪୦ ଦଶକର କଥା। ଆଜିକାଲି ଭଳି ଆଲୋକ ବ୍ୟବସ୍ଥା ନ ଥାଏ ମନ୍ଦିର ବେଢ଼ାରେ। ଯାତ୍ରୀ ସଂଖ୍ୟା ବି ସେମିତି ଆଖିଦୃଶିଆ ନଥାଏ। ସଂଜ ନଇଁବା ନଇଁବା ହେଉଥାଏ। ବେଢା ଅନ୍ଧାରୁଆ ଅନ୍ଧାରୁଆ ଲାଗିବା ଆରମ୍ଭ ହେଲା। ବାଉରୀବନ୍ଧୁ ଲକ୍ଷ୍ୟ କଲେ କେହି ଜଣେ ଦୁଇ ହାତରେ ଦୁଇଟି ମହାପ୍ରସାଦ କୁଡୁଆ ଧରି ତାଙ୍କରି ଆଡ଼କୁ ଆସୁଛନ୍ତି। ସେ ଭାବିଲେ ବ୍ୟକ୍ତି ଜଣକ ବୋଧହୁଏ ଆଉ କାହା ପାଖକୁ ଯାଉଥିବେ। କିନ୍ତୁ ସେ ବ୍ୟକ୍ତି ଜଣକ ଅଭୁକ୍ତ ବାଉରୀବନ୍ଧୁଙ୍କ ନିକଟରେ ଆସି ଅଟକି ଗଲେ। ଅତ୍ୟନ୍ତ ବିନମ୍ରତାର ସହ କହିଲେ- ଆଜ୍ଞା, ମୁଁ ଅଧିକ ପରିମାଣର ମହାପ୍ରସାଦ କିଣି ଦେଲି। ଏକୁଟିଆ ଏତେ ଖାଇପାରିବି ନାହିଁ। ଆପଣ ଯଦି ଦୟାକରି ଏଥିରୁ ଗୋଟିଏ ଭାଗ ପାଆନ୍ତେ ତେବେ ଖୁବ୍ ଭଲ ହୁଅନ୍ତା। ଏତିକ କହି ସେ ବାଉରୀବନ୍ଧୁଙ୍କ ଉତ୍ତରକୁ ଅପେକ୍ଷା ନ କରି ତାଙ୍କ ହାତକୁ ଅନ୍ନ ମହାପ୍ରସାଦ ଓ ଅନ୍ୟାନ୍ୟ ତରିତରକାରୀ ଥିବା ଗୋଟିଏ କୁଡୁଆ ଅତ୍ୟନ୍ତ ଶ୍ରଦ୍ଧାର ସହ ବଢ଼ାଇ ଦେଲେ।

ଆଖି ଛଳଛଳ ହୋଇଗଲା ବାଉରୀବନ୍ଧୁଙ୍କର। ମନେ ମନେ ସେ କାଳିଆ ଠାକୁରଙ୍କୁ କହିଲେ- ‘ତୁମ ଲୀଳା ଦେଖିଲି। ତୁମ ମନ୍ଦିରରେ ସତରେ କେହି କେବେ ଭୋକିଲା ରହେ ନାହିଁ। ଯୁଗ ଯୁଗ ଧରି ଯେଉଁ ବିଶ୍ୱାସ ଚଳି ଆସିଛି, ଆଜି ତାହା ମୁଁ ଅଙ୍ଗେ ନିଭାଇଲି।’ ଭାବନାରୁ ବାହାରି ପ୍ରକୃତିସ୍ଥ ହେଲେ ବାଉରୀବନ୍ଧୁ। ସେତେବେଳକୁ ମହାପ୍ରସାଦ ଆଣି ଦେଇଥିବା ବ୍ୟକ୍ତି ପାଖରେ ନଥିଲେ। ଧନ୍ୟବାଦ ଜଣାଇବାକୁ ତାଙ୍କୁ ଖୋଜିଲେ ସେ। ମାତ୍ର ତାଙ୍କର ଚିହ୍ନବର୍ଣ୍ଣ ନଥିଲା। ମହାଆନନ୍ଦରେ ମହାପ୍ରସାଦ ସେବନ କରି ଶ୍ରୀମନ୍ଦିରରୁ ବାହୁଡ଼ିଲେ ବାଉରୀବନ୍ଧୁ।

ଆଜି ମଧ୍ୟ ଏହି ବିଶ୍ୱାସ ପ୍ରଚଳିତ। ଶ୍ରୀଜଗନ୍ନାଥ ମନ୍ଦିରରେ କେହି ଅଭୁକ୍ତ ରହନ୍ତି ନାହିଁ। କେବଳ ସେତିକି ନୁହେଁ, ମହାପ୍ରସାଦ କେବେ ବି ନିଅଣ୍ଟ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ସତରେ କାଳିଆର ଲୀଳା ଅପାର ଓ ସାଧାରଣ ମଣିଷ ଲାଗି ଅଗୋଚର।

– ଧୃତିକାମ ମହାନ୍ତି

ସମ୍ବନ୍ଧିତ ଖବର