ନିଘୋଡ଼ ନିଦରେ ଦେଶର ଆର୍ଥିକ ରାଜଧାନୀ

କୋଭିଡ୍‌-୧୯ରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। କୁହାଯାଏ, ଏହି ସହର ସର୍ବଦା ଚଳଚଞ୍ଚଳ। ଏବେ ଏହା ନିଘୋଡ଼ ନିଦରେ ଶୋଇଥିବା ପରି ମନେହେଉଛି। ଏ ସମ୍ପର୍କରେ ‘ସମ୍ବାଦ’କୁ ନିଜ ଅନୁଭୂତି ବାଣ୍ଟିଛନ୍ତି ମୁମ୍ବାଇର ଥାନେଠାରେ ରହୁଥିବା ଆଇନ ପରାମର୍ଶଦାତା ଅନୁସୂୟା ପାଣିଗ୍ରାହୀ।

ସେ କହିଛନ୍ତି ଯେ, ‘ ଲକ୍‌ଡାଉନ୍‌ ଯୋଗୁଁ ମୁମ୍ବାଇ ସହର ସତେ ଯେପରି ଧୀରେଧୀରେ ନିଶ୍ବାସ ନେଉଛି। ଏହି ଜନଗହଳିପୂର୍ଣ୍ଣ ସହରର ଏବେ ଖାଁ ଖାଁ। ଗାଡ଼ିମୋଟରର ହର୍ଣ୍ଣ ଶୁଭୁନି। ଟ୍ରାଫିକ ସିଗନାଲ ବନ୍ଦ। ମଲ୍‌, ଛୋଟବଡ଼ ଦୋକାନ ଗୁଡ଼ିକରେ ସଟର ପଡ଼ିଛି। ସେହିପରି ପ୍ରବଳ ଭିଡ଼ ହେଉଥିବା ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ, ମନ୍ଦିର, ସ୍ମାରକୀ, ସିନେମା ହଲ୍, ଭୋଜନାଳୟ ଓ ବିଭିନ୍ନ କାର୍ଯ୍ୟାଳୟ ଏବେ ବନ୍ଦ ପଡ଼ିଛି।’ ‘ ମୁମ୍ବାଇର ପରିଚୟ କୁହାଯାଉଥିବା ଲୋକାଲ ଟ୍ରେନ୍ ଆଉ ଗଡ଼ୁନି। ଡବାବାଲା, ରିକ୍ସାବାଲା, ଟ୍ୟାକ୍ସିବାଲା ସବୁ ଘରେ ବସିଛନ୍ତି। ସତେ ଯେମିତି ସୋ’ ଶେଷ ହୋଇଯାଇଛି, ଆଉ ଲାଇଟ୍‌, ସାଉଣ୍ଡ ବନ୍ଦ ହୋଇଯାଇଛି। ସେହିପରି ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ମଧ୍ୟ ଜନଶୂନ୍ୟ ରହିଛି,’ ବୋଲି କହିଛନ୍ତି ଅନୁସୂୟା। ଅନ୍ୟପକ୍ଷରେ, କରୋନାକୁ ପ୍ରତିହତ କରିବା ପାଇଁ ଘଣ୍ଟାଘଣ୍ଟା ଧରି କାମ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ସାରାଦେଶ ପ୍ରଶଂସା କରୁଛନ୍ତି। ସେମାନଙ୍କ ସୁରକ୍ଷା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ବୋଲି ସେ କହିଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ପରିବାର ସହିତ ସମୟ ବିତାଇବା ପାଇଁ ସମୟ ଦେଇଥିବା କଥା ‘ସମ୍ବାଦ’କୁ କହିଛନ୍ତି ଅନୁସୂୟା।

(‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ପ୍ରଦୀପ କୁମା‌ର ମହାପାତ୍ରଙ୍କୁ ନିଜର ଅନୁଭୂତି ବାଣ୍ଟିଛନ୍ତି ଅନୁସୂୟା ପାଣିଗ୍ରାହୀ)

ସମ୍ବନ୍ଧିତ ଖବର