କହନ୍ତି ମଣିଷ ସମୟର ଦାସ। ଜୀବନ ରାସ୍ତାରେ ସମୟ କେଉଁ ପ୍ରକାର ସ୍ଥିତି ସୃଷ୍ଟି କରିବ ଏବଂ ଆମକୁ କେଉଁ ଚକ୍ରବ୍ୟୂହରେ ପକାଇବ ତାହା କେହି କହିପାରିବେ ନାହିଁ। ସେମିତି କିଛି ଘଟଣା ପ୍ରବାହ ଦେଖାଦେଇଥିଲା ଉତ୍ତରାଖଣ୍ଡର ଝିଅ ତାନ୍ୟାଙ୍କ ଜୀବନରେ। ମାତ୍ର ୧୬ ବର୍ଷ ବୟସରେ ପୌଡ଼ି ଗଡ଼ୱାଲ୍ ବାସିନ୍ଦା ତାନ୍ୟା ନୟାଲ୍ ନାଟକୀୟ ମୋଡ଼ରେ ତାଙ୍କ ଜୀବନର ଗୋଟେ ଘଡ଼ିସନ୍ଧି ମୂହୁର୍ତ୍ତକୁ ଭେଟିଥିଲେ। ତାହା ଏପରି ସମୟ ଥିଲା, ଯେଉଁଠି ତାଙ୍କ ବୁଦ୍ଧି ଓ ଧୈର୍ଯ୍ୟର ଆବଶ୍ୟକତା ଥିଲା। କାରଣ ଯଦି ସେ ସମୟରେ ନିଜକୁ ସ୍ଥିରଚିତ୍ତ ନରଖି ଅଟଳ ମନୋଭାବରେ ସେହି କଠିନ ପରିସ୍ଥିତିର ମୁକାବିଲା କରିନଥା’ନ୍ତେ ତେବେ ତାଙ୍କ ପାଇଁ ତାଙ୍କ ସମଗ୍ର ଦୁନିଆ ଭୁଶୁଡ଼ି ପଡ଼ିଥାନ୍ତା। ତାଙ୍କ ବୟସର ପିଲା ଯେତେବେଳେ ଅଧିକ ବାପାଙ୍କ ସୁଖ ପାଉଥିଲେ, ଯେଉଁ ବୟସରେ ଗୋଟେ ଝିଅପାଇଁ ତା’ ବାପାଙ୍କ ଉପସ୍ଥିତି ଏକ ସୁରକ୍ଷା କବଚ ଭଳି ହୋଇଥାଏ; ସେହି ବୟସରେ ତାନ୍ୟାଙ୍କ ବାପା ନିଜ ପାଇଁ ଏକ ଅଲଗା ଦୁନିଆ ବାଛିଥିଲେ ଏବଂ ତାଙ୍କୁ ଏକୁଟିଆ ଏହି ଝଡ଼ର ସାମ୍ନା କରିବାକୁ ଛାଡ଼ିଦେଇଥିଲେ। ଦୀର୍ଘସମୟ ଧରି ତାଙ୍କ ପିତାମାତାଙ୍କ ଭିତରେ ଥିବା ମତପାର୍ଥକ୍ୟ ଶେଷରେ ଛାଡ଼ପତ୍ର ରୂପ ନେଲା। ତାନ୍ୟାଙ୍କ ବାପା ଘରୁ ଚାଲିଯିବା ପରେ ତାଙ୍କ ମାଆ ଦେବେଶ୍ବରୀ ନୟାଲ୍ ପିଲାମାନଙ୍କୁ ଧରି ଏକୁଟିଆ ରହିବାକୁ ଲାଗିଲେ। ଏହାଭିତରେ ତାନ୍ୟା ଓ ତାଙ୍କ ସାନଭାଇ ତରୁଣଙ୍କ ପାଠପଢ଼ା ଜାରି ରଖିଲେ। ଅଳ୍ପ ପାଠ ପଢ଼ିଥିବାରୁ ତାନ୍ୟାଙ୍କ ମାଆ କୌଣସି ଜାଗାରେ ବ୍ୟବସ୍ଥିତ ଚାକରି ଖଣ୍ଡେ ପାଇବାକୁ ବହୁ ସଂଘର୍ଷ କରିବାକୁ ପଡ଼ିଲା। ତାଙ୍କ ସ୍ବାମୀ ତାଙ୍କୁ ଆଗକୁ ପଢ଼ିବାକୁ କେବେ ଉତ୍ସାହିତ କରିନଥିଲେ, ଯାହା ପରିବାରର ଆର୍ଥିକ ଚାପକୁ ବୃଦ୍ଧି କରିଥିଲା।
ଏହି କଠିନ ସମୟରେ ତାନ୍ୟା ଏକ ଘରୋଇ ପ୍ରତିଷ୍ଠାନରେ ଫ୍ୟାସନ୍ ଡିଜାଇନିଂ ପାଠ୍ୟକ୍ରମ କରିବା ସହ ଛୋଟ ପିଲାଙ୍କୁ ଟ୍ୟୁସନ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ମଧ୍ୟ ଏକ ଟିଫିନ୍ ସେବା ଆରମ୍ଭ କଲେ। ଏକ ପ୍ରେରଣାଦାୟକ ମୋଡ଼ରେ ତାନ୍ୟା ତାଙ୍କ ମାଆଙ୍କ ପାଇଁ ଶକ୍ତିର ଏକ ସ୍ତମ୍ଭ ଭାବରେ ଉଭା ହୋଇଥିଲେ। ଅଟଳ ଓ ଦୃଢ଼ ବିଶ୍ବାସର ସହିତ, ଦୁଇ ମହିଳା ନୂଆ ସୁଯୋଗ ଆଶାେର ନିଜ ଘର ଛାଡ଼ି ସ୍ଥିର ଚାକିରି ସନ୍ଧାନରେ ବାହାରିଲେ। ଜଣେ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ତାନ୍ୟା ତାଙ୍କ ମାଆଙ୍କ ସହିତ ରାଜ୍ୟ ଦୂରଦର୍ଶନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପାହାଡ଼ୀ ପୋଷାକ ଡିଜାଇନ୍ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ଓ ତାଙ୍କ ମାଆଙ୍କ ମଧ୍ୟରେ ଆଲୋଚନା ସମୟରେ, ଯେପରି ଭଗବାନ ନିଜେ ତାଙ୍କ ସାକ୍ଷାତକାର ନେଉଥିବାର ସେ ଅନୁଭବ କରିଥିଲେ ବୋଲି ଏକ ସାକ୍ଷାତ୍କାରରେ ତାନ୍ୟା କହିଥିଲେ। ଏହାସହ ତତ୍କାଳୀନ ନିର୍ଦ୍ଦେଶକ ଦୂରଦର୍ଶନ କର୍ମଚାରୀଙ୍କ ପାଇଁ ଏକ ନିୟମିତ ଟିଫିନ୍ ସେବା ପ୍ରତିଷ୍ଠା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହା ତାଙ୍କ ଜୀବନରେ ଏକ ପରିବର୍ତ୍ତନମୂଳକ ଘଟଣା ପ୍ରମାଣିତ ହୋଇଥିଲା।
ଦେବେଶ୍ବରୀଙ୍କ ଗଡ଼ୱାଲୀ ଓ ହିନ୍ଦୀ ପରି ଦ୍ବିଭାଷୀ ଦକ୍ଷତା ଥିବାରୁ ତାହା ଦୂରଦର୍ଶନର ଜଣେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦୂରଦୂରାନ୍ତର ଅନେକ ସ୍ଥାନୀୟ କଳାକାରଙ୍କୁ ହିନ୍ଦୀ ଭାଷାରେ ଅସୁବିଧା ହେଉଥିଲା। ଏଣୁ ଦେବେଶ୍ୱରୀ ପ୍ରଯୋଜକଙ୍କ ପାଇଁ ସେମାନଙ୍କର ଚିନ୍ତାଧାରା ହିନ୍ଦୀରେ ଅନୁବାଦ କରି ସେହି ବ୍ୟବଧାନକୁ ପୂରଣ କରିଥିଲେ। ଏହାସହ ଦେବେଶ୍ୱରୀ ଓ ତାନ୍ୟା ଏକ ବ୍ୟବସ୍ଥିତ ଚାକିରି ପାଇ ନୂଆ ଜୀବନ ଆରମ୍ଭ କଲେ। ଆଇନଗତ ଛାଡ଼ପତ୍ର ହୋଇଥିବା ବେଳେ, ଦେବେଶ୍ୱରୀଙ୍କ ହୃଦୟରେ ତାଙ୍କ ସ୍ୱାମୀଙ୍କ ପ୍ରତି ଅସନ୍ତୋଷ ଥିଲା। ଏଣୁ ନୀରବ ପ୍ରତିଶୋଧ ସ୍ବରୂପ ସେ ତାଙ୍କ ପିଲାଙ୍କୁ ଶିକ୍ଷିତ କରି ତାଙ୍କର ମର୍ଯ୍ୟାଦା ପୁନଃପ୍ରାପ୍ତ କରିବାକୁ ଏବଂ ତାଙ୍କ ପିଲାମାନଙ୍କୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ବହୁବିଧ ଆୟଉତ୍ସ ସହିତ ସେ ଓ ତାନ୍ୟା ତରୁଣଙ୍କୁ ମର୍ଚ୍ଚାଣ୍ଟ ନେଭିରେ ପଠାଇପାରିଲେ। ଏବେ ତାନ୍ୟା ତାଙ୍କର ନିଜସ୍ୱ ଉଦ୍ୟୋଗ ‘ତାନ୍ତି’ର ପ୍ରତିଷ୍ଠାତା। ତାନ୍ତି ଏକ ସଂସ୍କୃତ ଶବ୍ଦ। ଯାହାର ଅର୍ଥ ତନ୍ତୁ ପାଇଁ ଉଦ୍ଦିଷ୍ଟ କପଡ଼ାରେ ବୁଣା ସୂତା। ଗୋଟିଏ ଛୋଟ ଉଦ୍ୟୋଗ ଭାବେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ଏବେ ଏକ ସମୃଦ୍ଧ ବ୍ୟବସାୟରେ ପରିଣତ ହୋଇଛି। ଯେଉଁଥିରେ ଡିଜାଇନର୍, ଦର୍ଜୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ୫୩ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ତାନ୍ୟା ନୟାଲ ଆଉ ଏପରି ଏକ ନାମ ନୁହେଁ ଯାହାକୁ ଉତ୍ତରାଖଣ୍ଡରେ ପରିଚୟର ଆବଶ୍ୟକତା ଅଛି। ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ତାନ୍ୟାଙ୍କର ଯାତ୍ରା ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି କ୍ରମରେ ତାନ୍ୟାଙ୍କ ନାମ ଗିନିଜ୍ ବୁକ୍ ୱାର୍ଲ୍ଡ ରେକର୍ଡରେ ସାମିଲ୍ ହୋଇଛି। ଯାହାକି ଜଣେ ସଂଘର୍ଷମୟ ନାରୀର ଏକ ସଫଳ ପରିଚୟ।