ଅଫେରା ହ୍ରଦ! ଏଠାକୁ ଯିଏ ଆସିଛି ଆଉ ଫେରିନି

ନୂଆଦିଲ୍ଲୀ: ଅଫେରା ହ୍ରଦ । ଏଠାକୁ ଯିଏ ଥରେ ଆସିଛି ଆଉ ଜୀବନ ଧରି ଫେରିନି । କ’ଣ ରହିଛି ଏହି ହ୍ରଦରେ ତାହା କେହି ଜାଣିନାହାନ୍ତି । ଯଦି କିଏ ବି ଭୁଲରେ ଏଠାକୁ ଚାଲି ଆସିଛି, ଆଉ ଫେରିବା ତା ପାଇଁ ସମ୍ଭବ ହୋଇନି । କେଉଁଠି ରହିଛି ଏହି ରହସ୍ୟମୟ ହ୍ରଦ, କ’ଣ ରହିଛି ଏହି ଲୋମହର୍ଷଣକାରୀ ହ୍ରଦକୁ ନେଇ ଲୋକକଥା ଆସନ୍ତୁ ଜାଣିବା ।

ଇଏ ଏପରି ଏକ ରହସ୍ୟମୟ ହ୍ରଦ, ଏଥିରେ ଯିଏ ପାଦ ଦିଏ ତାକୁ ପାଣି କେଉଁ ଆଡେ ଟାଣିନିଏ ତାହା କେହି ଜାଣିପାରନ୍ତି ନାହିଁ । ଜୀବଜନ୍ତୁଙ୍କ ଜୀବନ ନେଉଥିବା ଏହି ହ୍ରଦ ରହିଛି ମିଆଁମାର-ଭାରତ ସୀମା ନିକଟବର୍ତୀ ପାଙ୍ଗସୁରେ । ଏହାର ଲମ୍ବା ୧ କିଲୋମିଟର ୪୦୦ ମିଟର ରହିଥିବା ବେଳେ ସର୍ବାଧିକ ଓସାର ରହିଛି ୮୦୦ ମିଟର । ଏହି ହ୍ରଦ ନିକଟରେ ରହିଛନ୍ତି ଆଦୀମ ଅଧିବାସୀ । ଏହାର ଆଖପାଖରେ ଜନବସତି ରହିଥିଲେ ମଧ୍ୟ କେହି ବି ଏହା ନିକଟକୁ ଯାଆନ୍ତି ନାହିଁ । କୁହାଯାଉଛି କି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଅନେକ ରହସ୍ୟମୟ ଘଟଣା ଦେଖିବାକୁ ମିଳିଥିଲା । ଏହାକୁ ଏକ ସମତଳ ସ୍ଥାନ ମନେ କରି ଏଠାରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା ଏକ ଆମେରିକୀୟ ବିମାନ । ବିମାନ ତ ଅବତରଣ କଲା ହେଲେ ଏଥିରେ ଥିବା ପାଇଲଟ, କର୍ମଚାରୀ ଓ ଯାତ୍ରୀମାନଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିଲା ନାହିଁ । ବିମାନରେ ଥିବା ସମସ୍ତ ଲୋକ କୁଆଡେ ହଜିଗଲେ, ତାହା କେହି ଜାଣିପାରିଲେ ନାହିଁ।

ସେହି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଆଉ ଏକ କାହାଣୀ ରହିଛି । ସେହି ସମୟରେ ଇଂରେଜ ଏବଂ ଜାପାନ ମଧ୍ୟରେ ଭୟଙ୍କର ସଂଗ୍ରାମ ହୋଇଥିଲା । ଆସାମକୁ କବଜା କରିବା ଲକ୍ଷ୍ୟରେ ମାଡି ଆସିଥିଲା ଜାପାନ । ତେବେ ଜାପାନୀ ସୈନିକମାନେ ଯେତେବେଳେ ଏହି ହ୍ରଦ ନିକଟବର୍ତ୍ତୀ ହୋଇଥିଲେ ଜଣେ ଜଣେ କରି ସବୁ ସୈନିକ କୁଆଡେ ହଜି ଯାଇଥିଲେ, ତାହା ଜଣାପଡ଼ିନଥିଲା।

୧୯୪୨ ମସିହାରେ ବ୍ରିଟିସ୍ ସେନାର ଏକ ଦଳ ଏଠାକୁ ଆସିଥିଲା । ଏଠାରେ ପହଞ୍ଚିବା ପରେ ସେମାନଙ୍କର ଗାଡି ବାଲି ଭିତରେ ପୋତି ହୋଇଯାଇଥିଲା । ଜଣେ ବି ସୈନିକ ଏଠାରୁ ଜୀବନ୍ତ ଫେରିନଥିଲେ । ଏହି ହ୍ରଦକୁ ନେଇ ଏକ ଲୋକକଥା ରହିଛି । ଥରେ ଗାଁର କିଛି ଲୋକ ଏହି ହ୍ରଦ ନିକଟକୁ ଆସିଥିଲେ । ଏଠାରେ ସେମାନେ ଏକ ବିଶାଳକାୟ ମାଛ ଦେଖିଥିଲେ । ଏତେ ବଡ ମାଛ ଗାଁ ଲୋକେ କେବେ କେଉଁଠି ଦେଖିନଥିଲେ । ଗାଁ ଲୋକେ ମେଳ ହୋଇ ସେଇ ମାଛକୁ ଧରିଥିଲେ । ରାତିରେ ଗାଁ ସାରା ଲୋକ ଭୋଜି କରି ଉତ୍ସବ ପାଳନ କରିଥିଲେ । ତେବେ ଗାଁର ଜଣେ ମାତ୍ର ବୁଢୀ କୌଣସି କାରଣରୁ ଅନ୍ୟ ଏକ ଗାଁକୁ ଚାଲିଯାଇଥିଲେ । ସେହି ରାତିରେ ଗାଁ ଭିତରକୁ ମାଡି ଆସିଥିଲା ଏହି ହ୍ରଦର ପାଣି । ପୂରା ଗାଁ ପାଣିଭିତରେ ବୁଡିଯାଇଥିଲା । ରାତି ପାହିବା ବେଳକୁ ପୂରା ଗାଁ ଜନଶୂନ୍ୟ ହୋଇଯାଇଥିଲା । ଅନ୍ୟ ଗାଁକୁ ଚାଲିଯାଇଥିବାରୁ କେବଳ ସେହି ବୁଢୀ ଲୋକଟି ହିଁ ବଞ୍ଚିଯାଇଥିଲେ ।

ସ୍ଥାନୀୟ ଲୋକଙ୍କ କହିବା କଥା ରାତି ହେବାମାତ୍ରେ ଏହି ହ୍ରଦ ନିକଟରୁ ବିକଟାଳ ଶବ୍ଦ ଶୁଭିଥାଏ । କେହିକେହି କହନ୍ତି ଯେ ଏଠାରେ କୁଆଡେ ଅଶରୀରୀମାନେ ରହନ୍ତି । ଏଠାରେ ଯିଏ ପାଦ ଦିଅନ୍ତି, ସେମାନଙ୍କୁ ଏହି ଅଶରୀରୀମାନେ ଜୀଅନ୍ତା ଖାଇଯାଆନ୍ତି । ଆଉ କେହିକେହି ବିଶ୍ୱାସ କରନ୍ତି ଯେ, ଏଠାରେ ଏଲିଅନମାନଙ୍କର ବେସ୍ ରହିଛି । ଆହୁରି ମଧ୍ୟ କୁହାଯାଉଛି କି ଏହି ହ୍ରଦରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ ରହିଛି, ଯାହା ଫଳରେ କି ଏହାର ଫଟୋ ଉଠାଇବା ଅସମ୍ଭବ । ଆଜି ମଧ୍ୟ ଏହି ହ୍ରଦର ରହସ୍ୟ ଭେଦ କରିବାରେ କେହି ବି ସଫଳ ହୋଇପାରିନାହାନ୍ତି ।

ସମ୍ବନ୍ଧିତ ଖବର