ପୃଥିବୀର ଅନ୍ୟତମ ଦୀର୍ଘ ନଦୀ ଭାବରେ ମାନ୍ୟତାପ୍ରାପ୍ତ ସିନ୍ଧୁ ନଦୀ, ଏକ ନଦୀ ମାତ୍ର ନୁହେଁ। ସମଗ୍ର ପୃଥିବୀର ପ୍ରାଚୀନ ସଭ୍ୟତାର ଏହା ମୂକସାକ୍ଷୀ ମଧ୍ୟ। ଏହି ନଦୀର ତଟଦେଶରେ ଗଢ଼ି ଉଠିଥିଲା ହରପ୍‌ପା ଓ ମହେଞ୍ଜୋଦାରୋର ଦ୍ରାବିଡ଼ ସଭ୍ୟତା। ସିନ୍ଧୁ ନଦୀର ନାମାନୁସାରେ ତାହାର ନାମ ହୋଇଥିଲା ସିନ୍ଧୁ ସଭ୍ୟତା। ସେହିପରି, ବେଦକାଳରେ ସିନ୍ଧୁ ସହିତ ସମ୍ମିଶ୍ରିତ ହୋଇ ବିପାଶା, ବିତସ୍ତା, ଚନ୍ଦ୍ରଭାଗା, ଇରାବତୀ, ଶତଦ୍ରୂ ଓ ସରସ୍ୱତୀ ଯେଉଁ ଅଞ୍ଚଳରେ ପ୍ରବାହିତ ହେଉଥିଲେ, ସେହି ଅଞ୍ଚଳର ନାମ ଥିଲା ସପ୍ତସିନ୍ଧୁ। ‘ଋକ୍‌ବେଦ’ରେ ଏହି ନଦୀର ପ୍ରଶସ୍ତି ବର୍ଣ୍ଣନାରେ କୁହାଯାଇଛି, “ପ୍ରସୂତ୍ୟରୀଣାପ୍ରତି ସିନ୍ଧୁ ରୋଜସା” (୧୦/୭୫)। ସେହିପରି ‘ମହାଭାରତ’ରେ କୁହାଯାଇଛି, ସିନ୍ଧୁ ଓ ସାଗରର ସଂଗମସ୍ଥଳ ବରୁଣତୀର୍ଥ ନାମରେ ପ୍ରଖ୍ୟାତ। ଏହି ତୀର୍ଥରେ ସ୍ନାନ କରି, ଶୁଦ୍ଧ ଚିତ୍ତରେ ଦେବତା, ଋଷି ଓ ପିତୃପୁରୁଷଙ୍କୁ ତର୍ପଣ କଲେ ମନୁଷ୍ୟ ଦିବ୍ୟଦ୍ୟୁତି ଲାଭ କରି ବରୁଣଲୋକରେ ସ୍ଥାନ ପାଏ। ଏ ସଂପର୍କରେ ଏକ ସୁନ୍ଦର କାହାଣୀ ‘ମହାଭାରତ’ରେ ବର୍ଣ୍ଣିତ। ସିନ୍ଧୁ ପ୍ରଦେଶର ଅଶ୍ୱମାନେ ନିଜର ସୌନ୍ଦର୍ଯ୍ୟ ଓ କ୍ଷିପ୍ରତା ନିମିତ୍ତ ବିଖ୍ୟାତ ଥିଲେ। ଏକଦା ମୁନି ଗାଲବ ମହର୍ଷି ବିଶ୍ୱାମିତ୍ରଙ୍କୁ ଗୁରୁ ଦକ୍ଷିଣା ନେବାକୁ ବାଧ୍ୟ କରିବାରୁ, ବିଶ୍ୱାମିତ୍ର ବିରକ୍ତିରେ ତାଙ୍କୁ ଆଠଶହ ଉଜ୍ଜ୍ୱଳ ଶୁଭ୍ରବର୍ଣ୍ଣର ତଥା ଏକ ଶ୍ୟାମ କର୍ଣ୍ଣ ଥିବା ଅଶ୍ୱ ଦେବାକୁ କହିଲେ। ଏହି ଅଶ୍ୱମାନଙ୍କ ସଂପର୍କରେ ଜଣାଯାଏ, ଏହିପରି ଏକହଜାର ଅଶ୍ୱ ସ୍ୱୟଂ ବରୁଣଦେବ ମହାମୁନି ଋଚିକଙ୍କୁ ପ୍ରଦାନ କରିଥିଲେ। ସତ୍ୟବତୀଙ୍କ ବିବାହ ସମୟରେ, କନ୍ୟାପଣ ଭାବରେ ଋଚିକ ଏହାକୁ ବିଶ୍ୱାମିତ୍ରଙ୍କ ପିତା ଗାଧିଙ୍କୁ ପ୍ରଦାନ କରିଥିଲେ। ଗାଧୀ ତାହାକୁ ବ୍ରାହ୍ମଣମାନଙ୍କୁ ଦାନ କରିଥିଲେ। ବ୍ରାହ୍ମଣମାନେ ତାହାକୁ ଅର୍ଥ ବିନିମୟରେ ବିଭିନ୍ନ ରାଜାଙ୍କୁ ପ୍ରଦାନ କରିଥିଲେ।

Advertisment

ସିନ୍ଧୁ ନଦୀର ନାମାନୁସାରେ ଯେଉଁ ସିନ୍ଧୁ ପ୍ରଦେଶ ଗଠିତ ହୋଇଥିଲା, ତାର ରାଜା ଥିଲେ ଜୟଦ୍ରଥ, ଯେ କୁରୁପାଣ୍ଡବ ବଂଶର ଏକମାତ୍ର କନ୍ୟା ଦୁଃଶଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର କୁକର୍ମର ଫଳ ସେ କିପରି ଭୋଗ କରିଥିଲେ ତାର ବର୍ଣ୍ଣନା ‘ମହାଭାରତ’ରେ ଲିପିବଦ୍ଧ। ସିନ୍ଧୁ ନଦୀ କୈଳାସର ପାଦଦେଶରୁ ବାହାରି ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଜଳସିଂଚନ ଦ୍ୱାରା ସେଚିତ କରିଥିବାରୁ ଏହି ଅବଦାନ ନିମିତ୍ତ ଏହାକୁ ଏକ ପବିତ୍ର ନଦୀର ମାନ୍ୟତା ପ୍ରଦାନ କରାଯାଇଥାଏ। ଏହି ନଦୀ କୂଳରେ ପାଣିନୀଙ୍କର ଆଶ୍ରମ ଥିବାର ଜଣାଯାଏ। ଯଦିଓ ଏହି ନଦୀ ଚୀନ୍‌ରୁ ବାହାରି, ଭାରତ ମଧ୍ୟ ଦେଇ ପାକିସ୍ଥାନରେ ସାଗର ସଂଗମ କରିଛି, ତଥାପି ହିନ୍ଦୁମାନଙ୍କ ନିମିତ୍ତ ଏହା ପବିତ୍ରନଦୀ ହୋଇଥିବାରୁ, ଭାରତ ସରକାରଙ୍କ ଦ୍ୱାରା ସିନ୍ଧୁ ନଦୀ ତୀରରେ ଲଦାଖର ଲେହଠାରେ ପ୍ରତିବର୍ଷ ଜ୍ୟେଷ୍ଠମାସରେ ସିନ୍ଧୁଘାଟ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ସିନ୍ଧୁ ଏକ ପାର୍ବତ୍ୟନଦୀ ହୋଇଥିବାରୁ ଏହାର ଜଳସ୍ରୋତର ବେଗ ତୀବ୍ର ତଥା ସୁମଧୁର ଧ୍ୱନି ସୃଷ୍ଟିକାରୀ। ଏଥିପାଇଁ ‘ଋଗ୍‌ବେଦ’ରେ ଏହାର ପ୍ରଶଂସା କରାଯାଇଛି।
-ଡକ୍ଟର ତୁଳସୀ ଓଝା